ସ୍ୱାମୀ ସ୍ତ୍ରୀଙ୍କ ଦର ୪୦ ହଜାର । ସତ ସତିକା ନୁହେଁ ପିତ୍ତଳର ସ୍ୱାମୀ ଓ ସ୍ତ୍ରୀଙ୍କ ମୂର୍ତ୍ତିର ଦର ହେଉଛି ୪୦ ହଜାର ଟଙ୍କା । କଟକ ବାଲିଯାତ୍ରାରେ ପିତ୍ତଳରେ ନିର୍ମିତ ଏକ ଧାଙ୍ଗଡା ଧାଙ୍ଗଡି ଯୋଡ଼ି ମୂର୍ତ୍ତି ଆସିଛି । ଏକ ଫୁଟ ଉଚ୍ଚର ଏହି ଧାଙ୍ଗଡ଼ା ଓ ଧାଙ୍ଗଡ଼ି ମୂର୍ତ୍ତିରେ ଝଲସୁଛି ଜନଜାତି ସଂସ୍କୃତିର ଷ୍ଟଲ୍ । ସେପଟେ ପ୍ରଥମ ଥର ପାଇଁ ବାଲିଯାତ୍ରାରେ ପଡିଥିବା ଆଡଭେଂଚର୍ସ ଦୋଳିର ମଜା ଉଠାଇବାକୁ ଦିନ ତମାମ ଲାଗୁଛି ଭିଡ । ରାତିର ଅନ୍ଧାରକୁ ଚିରି ରଙ୍ଗୀନ ଆଲୁଅରେ ଦର୍ଶକଙ୍କୁ ବାନ୍ଧି ରଖୁଛି ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନେଇ ଚିତ୍ତାକର୍ଷକ ଲେଜର୍ ସୋ' ।
ପୂରା ବାଲିଯାତ୍ରାରେ ଯେତିକି ଭିଡ, ଅଧାରୁ ଅଧିକ ଲାଗିଛି ଦୋଳି ପାଖରେ । ସାଙ୍ଗ ସାଥୀଙ୍କ ସହ ଘେରାଏ ଘୂରି ଆସିବାକୁ ଲାଗିଛି ଲମ୍ବା ଲାଇନ୍ । ସେ ଏମିତି ସେମିତିକା ଦୋଳି ନୁହେଁ, ତା’ର ନାଁ ସୁନାମୀ । ନାଁ ଯେତିକି ଭୟଙ୍କର, ତାଠୁ ଅଧିକ ଛାତି ଥରି ଉଠିବ ଏଥିରେ ବସିବା ବେଳେ । ଥରେ ଚକ୍କର କାଟିଦେଲେ, ଆସିଯିବ ସମୁଦ୍ରର ଅନୁଭବ । ଭୟ ଥିଲେ ବି ମଜା ଉଠାଇବାକୁ ଆଗଭର ଯୁବପିଢି ।
Also Read
ଅଧିକ ପଢ଼ନ୍ତୁ: ନାବାଳକକୁ କିଏ ସଜାଇଲା ଭଗବାନ, ଉଠିଲା ନାନା ପ୍ରଶ୍ନ
ଆକାଶ ଉଚ୍ଚର ଏହି ଦୋଳି ଯିଏ ଖେଳିଛି ସିଏ ଜାଣିଛି ଏହାର ମଜା କେତେ । ହେଲେ ଏଥିପାଇଁ ଦରକାର ସାହସ । ଚଳିତ ବର୍ଷ ବାଲିଯାତ୍ରାକୁ ଆସିଥିବା ଏହି ନୂଆ ଦୋଳି ହେଲା ସ୍କ୍ରିମ୍ ଟାୱାର । ଗାଜିଆବାଦର ଏକ କମ୍ପାନୀ ପ୍ରଥମଥର ପାଇଁ ଏହାକୁ ଲଂଚ୍ କରିଛି କଟକ ବାଲିଯାତ୍ରାରେ । ଏକାଥରକେ ୩୨ ଜଣ ଏହି ଦୋଳିର ମଜା ଉଠାଇପାରିବେ ।
ଇଏ ଆଉ ଏକ ଆମୋଦଦାୟକ ଦୋଳି ଫ୍ରିସ୍ ବି । ଏଠି ଭୟ କମ୍, ରୋମାଂଚ ଅଧିକ । ବାଲିଯାତ୍ରାରେ ସ୍କ୍ରିମ ଟାୱାର ଦୋଳିର ଦାମ୍ ୨ଶହ ଟଙ୍କା ଥିବା ବେଳେ ଫ୍ରିସ ବି ଓ ସୁନାମୀ ପାଇଁ ଦେବାକୁ ପଡୁଛି ଶହେ ଟଙ୍କା । ଏଥର ବାଲିଯାତ୍ରାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଛି ଏସବୁ ନୂଆ ଦୋଳି ।
ପାଣି ଓ ଆଲୋକର ଅଭୁତ ମିଳନ । ମହାନଦୀ ବକ୍ଷରେ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ନିଦର୍ଶନ । ଗଡଗଡିଆ ଘାଟରେ ଚିତ୍ତାକର୍ଷକ ଲେଜର ଲାଇଟ୍ ସୋରେ ପ୍ରଦର୍ଶିତ ହେଉଛି ହଜାରେ ବର୍ଷ ତଳର କଳିଙ୍ଗ ସଂସ୍କୃତି ଓ ଇତିହାସ । ମର୍କତ କେଶରୀଙ୍କ ରାଜୁତି ଠାରୁ ଅଭିନବ କଟକ ପ୍ରତିଷ୍ଠା ଯାଏଁ, ଲେଜର ସୋ ବଖାଣୁଛି ଓଡ଼ିଶା ଓ ଓଡ଼ିଆଙ୍କ ବୀରତ୍ୱର ଗାଥା ।
ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀମନ୍ଦିରର କଥା କହିବା ବେଳେ ତ ଭାବରେ ଭରିଆସୁଛି ଦର୍ଶକଙ୍କ ହୃଦୟ । ଏସିଆର ବୃହତ୍ତମ ବାଣିଜ୍ୟିକ ମେଳା ବାଲିଯାତ୍ରାର ଉପର ଓ ତଳ ପଡିଆରେ ଲାଗିଛି ୨୫ ଶହରୁ ଅଧିକ ଷ୍ଟଲ୍ । ସେଥିରୁ ଓରମାସରେ କେବଳ ୫ଶହରୁ ଅଧିକ ଷ୍ଟଲ ରହିଛି । ଯେଉଁଥିରେ ଚାଲିଛି ବିକ୍ରିବଟା ।