• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସରକାରକୁ ଆସୁ ଆସୁ ଜୁନ୍ ୨୨ରେ ସମସ୍ତ ନିଗମର ଅଧ୍ୟକ୍ଷ ପଦରେ ଥଇଥାନ ହୋଇଥିବା ବିଜେଡି ନେତାଙ୍କୁ ପଦରୁ ଅବ୍ୟାହତି ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ନିଷ୍ପତ୍ତିକୁ ୩ ମାସ ପୂରିଥିଲେ ବି ଏ ଯାଏଁ ନିଗମଗୁଡିକରେ ନୂଆ ଅଧ୍ୟକ୍ଷ ନିଯୁକ୍ତ କରିନାହାନ୍ତି ସରକାର । ଯେଉଁଥି ପାଇଁ ପ୍ରାୟ ଅଚଳ ନିଗମ ଏବଂ ବୋର୍ଡ । ଏପଟେ ଆଶାୟୀ ନେତାଙ୍କ ଭିତରେ ବଢୁଛି ଉତ୍କଣ୍ଠା । ତେଣେ ରାଜ୍ୟ ବିଜେପି ସଭାପତି କହିଛନ୍ତି ଆଲୋଚନା ଆରମ୍ଭ ହେଲାଣି, ସଦସ୍ୟତା ଅଭିଯାନ ସରୁ ସରୁ ନିଷ୍ପତ୍ତି ହେବ ।

ନୂଆ ସରକାରକୁ ପୂରିଲାଣି ୩ ମାସ । ହେଲେ ଅଚଳ ନିଗମ ଆଉ ବୋର୍ଡ । ନିଯୁକ୍ତ ହୋଇ ପାରୁନାହାନ୍ତି ଅଧ୍ୟକ୍ଷ । ଖାଲି ପଡିଛି ବୋର୍ଡ ନିର୍ଦ୍ଦେଶକ ପଦବି । କେବେ ହେବ ନିଯୁକ୍ତି, କାହାକୁ ମିଳିବ କେଉଁ ନିଗମ? ରାଜ୍ୟରେ ରହିଛି ୩୭ ନିଗମ ସହ ଅନେକ ପ୍ରକାର ବୋର୍ଡ । ମୁଖ୍ୟତଃ ଓଟିଡିସି, କାଜୁ ନିଗମ, ମତ୍ସ୍ୟ ନିଗମ, ଉଠା ଜଳସେଚନ ନିଗମ, ଖଦି ବୋର୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ନିଗମ ଓ ବୋର୍ଡଗୁଡିକ ସମେତ କୌଣସିରେ ଏ ଯାଏଁ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି ।

ବିଜେଡି କ୍ଷମତାରୁ ଯିବା ପରେ ଜୁନ୍ ୨୨ରେ ନିଗମଗୁଡିକର ଗୁଣାତ୍ମକ ଉନ୍ନତି ହୋଇନଥିବା ଅଭିଯୋଗ କରି ସମସ୍ତ ନିଗମ ଗୁଡିକରେ ଥଇଥାନ ହୋଇଥିବା ବିଜେଡି ନେତା ତଥା ଅଧ୍ୟକ୍ଷମାନଙ୍କୁ ଅବ୍ୟାହତି ଦେଇଥିଲେ ନୂଆ ସରକାର । ଖାଲି ନିଗମ ନୁହେଁ ଆଦିବାସୀଙ୍କ ପାଇଁ ରାଜ୍ୟରେ ଥିବା ୨୩ଟି SDC ବା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ସରକାର ବାତିଲ କରିଥିଲେ ।

କିନ୍ତୁ ଏଯାଏଁ ସେଗୁଡିକରେ ଅଧ୍ୟକ୍ଷ କିମ୍ବା ସଦସ୍ୟ ନିଯୁକ୍ତ ହୋଇନାହାନ୍ତି । ତେବେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର ଗଢ଼ିଥିବା ବେଳେ ଲମ୍ବା ସମୟ ଧରି କେଉଁ କାର୍ଯ୍ୟକର୍ତ୍ତାକୁ କେଉଁଠି ଥଇଥାନ କରାଯିବ ତାହା ଦଳ ପାଇଁ ଚ୍ୟାଲେଞ୍ଜ ହୋଇପାରେ । ଖାଲି ନିଗମ ନୁହେଁ ରାଜ୍ୟ ଯୋଜନା ବୋର୍ଡଠୁ ଆରମ୍ଭ କରି ଜିଲ୍ଲା ଯୋଜନା ବୋର୍ଡଗୁଡିକ ବି ଫାଙ୍କା ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦବି ବି ଖାଲି ପଡ଼ିଛି । ବଡ଼ କଥା ହେଲା ଦୀର୍ଘ ଦିନ ପରେ କ୍ଷମତାକୁ ଆସିବା ପରେ ଆରମ୍ଭ ହୋଇଛି ନେତାଙ୍କ ଲବି । ଚର୍ଚ୍ଚା ହେଉଛି ଏନେଇ ଦଳ ଏବଂ ସରକାରୀ ସ୍ତରରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇସାରିଛି । ଟିକେଟ୍ ନନେଇ ଦଳ ପାଇଁ ନିର୍ବାଚନ କାର୍ଯ୍ୟରେ ମୁଖ୍ୟ ଭୂମିକା ନେଇଥିବା ନେତାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ ।

ଲବିରେ ଆଗରେ ଅଛନ୍ତି, ଦଳର ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ତ୍ରିପାଠୀଙ୍କ ସହ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ, ଯତୀନ ମହାନ୍ତି, ଶାରଦା ଶତପଥୀ । ସେହିପରି ଜୟନ୍ତ ଜେନା, ସମୀର ରଞ୍ଜନ ଦାଶ, ସୁରଥ ବିଶ୍ୱାଳ, ସୁଦୀପ୍ତ ରାୟ, ସଜ୍ଜନ ଶର୍ମା, ରାଜେନ୍ଦ୍ର ପଣ୍ଡା, ଅନୀଲ ବିଶ୍ୱାଳଙ୍କ ନାଁ ବି ଚର୍ଚ୍ଚା ହେଉଛି ।

ଅନ୍ୟପକ୍ଷରେ ନିର୍ବାଚନ ଲଢି ହାରିଥିଲେ ବି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ଜଗନ୍ନାଥ ପ୍ରଧାନ, କୁସୁମ ଟେଟେ, ଗୌତମ ରାୟ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ଦଳ ନିଯୁକ୍ତି ଦେଇପାରେ । ସଭାପତି ମନମୋହନ ସାମଲ କହିଛନ୍ତି ଆଲୋଚନା ଆରମ୍ଭ ହୋଇଛି, ସଦସ୍ୟତା ଅଭିଯାନ ସରିବା ପରେ ଖୁବ୍ ଶୀଘ୍ର ଏହି ନିଯୁକ୍ତି ଦିଆଯିବ ।

ଏସବୁ ବାଦ୍ OERC ଅଧ୍ୟକ୍ଷ, ରାଜ୍ୟ ନିର୍ବାଚନ ଆୟୋଗ, ଲୋକାୟୁକ୍ତ ଅଧ୍ୟକ୍ଷ ଭଳି ବୈଧାନିକ ପଦବି ବି ଖାଲି ପଡିଛି । ନୂଆ ସରକାର କେବେ ଏଦିଗରେ ଦୃଷ୍ଟି ଦେଉଛନ୍ତି ତା ଉପରେ ନଜର ।

  • Reported by:
  • KAPILENDRA PRADHAN , SOUMYA RANJAN SAHOO

OTV is now on Whatsapp

Join and get latest news update delivered to you via whatsapp

Join Now