/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751380415.jpg)
BJP’s Jagannath Pradhan alleges BMC controlled by BJD leadership
BMC ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ନୂଆ ମୋଡ଼। ଆଜି ମିଡିଆ ଆଗରେ ମୁହଁ ଖୋଲି ସାଂଘାତିକ ବୟାନ ଦେଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। କହିଛନ୍ତି ମୋଦିଙ୍କ କାର୍ଯ୍ୟକ୍ରମକୁ ମହିଳାଙ୍କୁ ନେବାରୁ ବିଜେଡି କର୍ପୋରେଟରଙ୍କ କଥାରେ ପଡି ଜଣେ ସ୍ୱଚ୍ଛ ସାଥୀଙ୍କୁ ନିଲମ୍ବନ କରିଥିଲେ ଅତିରିକ୍ତ କମିଶନର। ଏ ବିଷୟରେ ପଚାରିବାରୁ ଖରାପ ବ୍ୟବହାର କରିଥିଲେ। ତେବେ ଏହାକୁ ଖଣ୍ଡନ କରିଛନ୍ତି ଅତିରିକ୍ତ କମିଶନର। ଏପଟେ ବିବାଦ ତେଜିବାରେ ଲାଗିଛି। ଆଜି ବିଏମସି ଅଧିକାରୀ ଏବଂ କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ କରିଥିବା ବେଳେ 11 ଜିଲ୍ଲାର OAS ଏବଂ ORS ଅଧିକାରୀମାନେ ସମୂହ ଛୁଟିରେ ପଳେଇଛନ୍ତି।...
ତେଜିଲା ମାଡ଼ ବିବାଦ । ଅତିରିକ୍ତ କମିଶନରଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ ଜଗା ପ୍ରଧାନ। କହିଛନ୍ତି, ସରକାର ବଦଳିଛି, ହେଲେ ବଦଳିନି ସରକାରୀ ଅଧିକାରୀଙ୍କ ମାନସିକତା! କମିନି ବିଜେଡି ପ୍ରେମ। ଏବେ ବି ବିଜେଡି ପାଇଁ କାମ କରୁଛନ୍ତି ଅଧିକାରୀ। ଆଉ ଏହା ହିଁ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାର ମୁଖ୍ୟ କାରଣ ବୋଲି କହିଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ SHG ମହିଳାଙ୍କୁ ନେବାରୁ, ବିଜେଡି କର୍ପୋରେଟରଙ୍କ କଥାରେ ପଡ଼ି ୩୪ ନମ୍ବର ୱାର୍ଡର ଜଣେ ସ୍ୱଚ୍ଛସାଥୀଙ୍କୁ ନିଲମ୍ବନ କରିଥିଲେ ଅତିରିକ୍ତ କମିଶନର ରତ୍ନାକର ସାହୁ। ଏ ବାବଦରେ ସେ ତାଙ୍କୁ ଫୋନ ଯୋଗେ ପଚାରିବାରୁ ସେ ପାଲଟା ତୁମେ କିଏ ପଚାରିବାକୁ ବୋଲି ପ୍ରଶ୍ନ କରିଥିଲେ। ଏହା ଶୁଣି ତାଙ୍କ ନିକଟରେ ଥିବା କିଛି କାର୍ଯ୍ୟକର୍ତ୍ତା ବିଏମସି ଅଫିସକୁ ଯାଇ ଅତିରିକ୍ତ କମିଶନରଙ୍କୁ ପଚାରିବାରୁ ସେମାନଙ୍କୁ ମଧ୍ୟ ସେ ଅଶାଳୀନ ବ୍ୟବହାର କରିଥିଲେ। ଯେଉଁଥିପାଇଁ ଘଟଣା ବଢିଥିଲା ଏବଂ ମାଡ ମାରିବା ସ୍ଥିତି ତିଆରି ହୋଇଥିଲା। ଏହା ସହ ମେୟରଙ୍କୁ ଟାର୍ଗେଟ କରି କହିଛନ୍ତି, ରାଜନୀତି କରିବା ପାଇଁ ମେୟର ଘଟଣାକୁ ବଡ କଲେ। ତାଙ୍କ ଉପସ୍ଥିତିରେ ଏତ ବଡ଼ ଘଟଣା କେମିତି ଘଟିଲା, ସେ ମଧ୍ୟ ଉତ୍ତରଦାୟୀ ରହିବା ଦରକାର ବୋଲି କହିଛନ୍ତି।
ଏପଟେ ଗତକାଲି ଘଟଣା ପୂର୍ବରୁ ଅତିରିକ୍ତ କମିଶନରଙ୍କ ବିରୋଧରେ ଖାରବେଳନଗର ଥାନାରେ ଏତାଲ ଦେଇଥିଲେ ସ୍ୱଚ୍ଛ ସାଥୀ ରେବତୀ ରାଉତ। ସେ କୌଣସି ଭୁଲ କରିନଥିବା ବେଳେ, ବିଜେଡି କର୍ପୋରେଟରଙ୍କ କଥାରେ ପଡି ତାଙ୍କୁ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ କରିଥିଲେ। ଏମିତି କି ଚାକିରିରେ ରହିବାକୁ କର୍ପୋରେଟରଙ୍କ ସ୍ୱାମୀଙ୍କ ସହ ସାଲିସ କରିବାକୁ ଅତିରିକ୍ତ କମିଶନର ତାଙ୍କୁ କହିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅତିରିକ୍ତ କମିଶନର। କହିଛନ୍ତି ଅଭିଯୋଗ ଭିତ୍ତିହୀନ, ଆଇନ ଉପରେ ମୋର ଭରସା ଅଛି ନ୍ୟାୟ ମିଳିବ।
ଏପଟେ ବିବାଦ ବି ତେଜିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମୂହ ଛୁଟିକୁ ବାତିଲ କରିବାକୁ ଓଏଏସ ସଂଘ ନିଷ୍ପତ୍ତି କରିଥିବା ବେଳେ ଆଜି କିନ୍ତୁ 10ରୁ ଅଧିକ ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ସୁବର୍ଣ୍ଣପୁର, ସମ୍ବଲପୁର, ରାୟଗଡ଼ା, ଦେବଗଡ଼, ନୂଆପଡ଼ା ଓ ବଲାଙ୍ଗିରରେ OAS ଏବଂ ORS ଅଧିକାରୀମାନେ ଛୁଟିରେ ଯାଇଛନ୍ତି। ବିଏମ୍ସି ଅଫିସରେ ମଧ୍ୟ ଅଧିକାରୀ ଏବଂ କର୍ମଚାରୀମାନେ କଳା ବ୍ୟାଚ୍ ପିନ୍ଧିବା ସହ କଲମ ଛାଡ ଆନ୍ଦୋଳନ କରିଥିଲେ। ବିଏମସିର ଅନେକ ଅଞ୍ଚଳରେ ସଫେଇ କର୍ମଚାରୀମାନେ ପ୍ରତିବାଦ ସ୍ବରୁପ କାମ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା।
ଅନ୍ୟପଟେ ଘଟଣାରେ ସଂଜୀବ ମିଶ୍ର ନାମକ ଆଉ ଜଣେ ବ୍ୟକ୍ତି ଗିରଫ ହେବାପରେ ଗିରଫଦାରୀ ସଂଖ୍ୟା 4କୁ ବୃଦ୍ଧି ପାଇଛି। ଏଥିସହିତ ଏହି 4 ଜଣଙ୍କ ସହ ମୋଟ ୫ ଜଣଙ୍କୁ ବିଜେପି ଦଳରୁ ନିଲମ୍ବନ କରିଛି। ଆଗକୁ ଏହି ବିବାଦ କେଉଁ ମୋଡ ନେଉଛି ଏବେ ତାଉପରେ ନଜର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)