Advertisment

Saroj Padhi Targets Achyuta Samanta: ‘ଅଚ୍ୟୁତଙ୍କୁ ବିଜେଡି ଅହେତୁକ ଅନୁକମ୍ପା ଦେଖାଉଥିଲା‘

ବିଜେଡିର ଅନୁକମ୍ପା ପ୍ରସଙ୍ଗ ଉଠାଇଲେ ବିଧାୟକ ସରୋଜ ପାଢ଼ୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କ’ଣ ବେଆଇନ ନିର୍ମାଣ କରିବେ ବୋଲି ପଚାରିଲେ । ବିନା ଅନୁମୋଦନରେ ନିର୍ମାଣ କେମିତି କଲେ ?

ଅଦ୍ୟତନ ହୋଇଛି
Saroj Padhi Targets Achyuta Samanta

Saroj Padhi Targets Achyuta Samanta

Advertisment

କିଟ୍‌ ଘଟଣା, ବଢୁଛି ବିବାଦ । ବିଜେଡି ଅନୁକମ୍ପା ପ୍ରସଙ୍ଗ ଉଠାଇଲେ ବିଧାୟକ ସରୋଜ ପାଢ଼ୀ । ଅଗ୍ରଣୀ ପ୍ରତିଷ୍ଠାନ କରିବାକୁ କ’ଣ ବେଆଇନ ନିର୍ମାଣ କରିବେ ବୋଲି ପଚାରିଲେ । ବିନା ଅନୁମୋଦନରେ ନିର୍ମାଣ କେମିତି କଲେ ? ତାକୁ ପୁଣି ସରକାର ବରଦାସ୍ତ କରିବେ ? ଏମିତି ନାନା ପ୍ରଶ୍ନ ଉଠାଇଛନ୍ତି ସରୋଜ ପାଢ଼ୀ । ଆହୁରି କହିଛନ୍ତି ଯେ, ବିଜେଡି ସାଂସଦ ଥିଲେ, ବିଜେଡି ଅହେତୁକ ଅନୁକମ୍ପା ଦେଖାଉଥିଲା । ବିଜେଡି ତାଙ୍କ ଠାରୁ କଣ ପାଉଥିଲା କେଜାଣି ଅନୁକମ୍ପା ଦେଖାଉଥିଲା । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ସରକାର ବୋଲି କହିଛନ୍ତି ବିଧାୟକ ସରୋଜ ପାଢ଼ୀ ।

Advertisment

ଏପଟରେ ଖୋଲୁଛି କିଟ୍ ପ୍ରତିଷ୍ଠାତା ତଥା ପୂର୍ବତନ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ଜମି କେଳେଙ୍କାରୀର ଅସରନ୍ତି ପେଡ଼ି । ଯେତେ ଖୋଳିଲେ ସେତେ ବାହାରୁଛି ଗୁମର । କେବଳ ଇଡ୍‌କୋ କି ଜିଏ (ସାଧାରଣ ପ୍ରଶାସନ)  ବିଭାଗର ଜମି ନୁହେଁ, ଆଦିବାସୀ ପିଲାଙ୍କୁ ପାଠପଢ଼ା ଆଳରେ ଜଙ୍ଗଲ ଜମିକୁ ବି ଛାଡ଼ିନାହାନ୍ତି ଅଚ୍ୟୁତ ସାମନ୍ତ । ୨୦୧୬ରେ ବିଧାନସଭାରେ ତତ୍କାଳୀନ ଜଙ୍ଗଲ ମନ୍ତ୍ରୀଙ୍କ ଲିଖିତ ଉତ୍ତର ଅନୁସାରେ, ଭୁବନେଶ୍ବର ପଥରଗାଡ଼ିଆ ମୌଜାରେ ୧୮.୧ ଏକର ଜଙ୍ଗଲ କିସମ ଜମିକୁ ଦଖଲ କରିଛି କିଟ୍ ସଂସ୍ଥା ।

ଅଧିକ ପଢ଼ନ୍ତୁ : 'କିଟ୍‌ରେ ଚାଲିଛି ସାମ୍ପ୍ରଦାୟିକ ବିଭେଦ': ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

Advertisment

ଏହି ଜଙ୍ଗଲ ଜମିକୁ ସରକାରୀ ତହବିଲକୁ ଫେରାଇ ନେବାକୁ ଓଡ଼ିଶା ଜମି ଜବରଦଖଲ ଉଚ୍ଛେଦ ଆଇନ ଅନୁସାରେ ମାମଲା ହୋଇଛି । ସରକାର ଅବରୋଧ ମୁକ୍ତ କରିବାକୁ ପଦକ୍ଷେପ ବି ନେଇଛନ୍ତି । ଖାଲି ସେତିକି ନୁହେଁ, ପଥରଗାଡ଼ିଆ ଅଞ୍ଚଳରେ କିସ୍ ପକ୍ଷରୁ ୪.୦୩୨ ହେକ୍ଟର ବା ୧୦ ଏକରରୁ ଊର୍ଦ୍ଧ୍ବ ଜଙ୍ଗଲ ଜମି ଜବରଦଖଲ ହୋଇଥିବା ନେଇ ୨୦୧୬ରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲରେ ମାମଲା ଦାଖଲ ହୋଇଥିଲା । ଯାହାକୁ ନେଇ କିସ୍‌କୁ ବାଜିଥିଲା ଏନଜିଟି ଛାଟ । ସୂଚନା ଅଧିକାରୀ କର୍ମୀ ସୁବାସ ମହାପାତ୍ରଙ୍କ ଅଭିଯୋଗର ଶୁଣାଣି କରି ୨୦୧୭ ମାର୍ଚ୍ଚ ୨୧ରେ କିସ୍ ଜବରଦଖଲରେ ଥିବା ଜଙ୍ଗଲ ଜମିରୁ ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ସହ ତାକୁ ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କେବଳ ଏତିକି ନୁହେଁ, ଅନୁମତି ନମିଳିବା ପର୍ଯ୍ୟନ୍ତ ସେଠାରେ ଅଣଜଙ୍ଗଲ କାର୍ଯ୍ୟକଳାପ ହୋଇପାରିବ ନାହିଁ ବୋଲି ୨୦୨୦ର ଚୂଡ଼ାନ୍ତ ରାୟରେ ଶୁଣାଇଥିଲେ ଏନଜିଟି । ତେବେ ବିଡ଼ମ୍ବନା, ଏହି ନିର୍ଦ୍ଦେଶକୁ ତତ୍କାଳୀନ ବିଜେଡି ସରକାର କାର୍ଯ୍ୟକାରୀ କରିବା ତ ଦୂରର କଥା, ବରଂ ଏହାକୁ ଭୃକ୍ଷେପ କରିନଥିଲେ । କିସ୍ ପକ୍ଷରୁ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା । ଠିକ୍ ୨୦୨୪ ସାଧାରଣ ନିର୍ବାଚନର କିଛି ଦିନ ପୂର୍ବରୁ କିସ୍ ଦଖଲରେ ଥିବା ୧୦ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି ବୋଲି ଗତ ବର୍ଷ ମାର୍ଚ୍ଚ ୯ ତାରିଖରେ ଖବର କାଗଜରେ ବିଜ୍ଞାପନ ଜାରି ହୋଇଥିଲା ।

Advertisment

ତେବେ ନିର୍ବାଚନ ସରିବା ପରେ ଏହି ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ । ଚିଠିରେ ଉଲ୍ଲେଖଥିଲା କିସ୍ ସପକ୍ଷରେ ୪.୦୩୨ ହେକ୍ଟର ରାଜସ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ଜଙ୍ଗଲ ଅଧିକାର ଆଇନର ସଠିକ୍ ଅନୁପାଳନ ହୋଇନଥିବା ଅଭିଯୋଗ ଆସିଛି । ତେଣୁ ଆଦିବାସୀ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ ଏବଂ ଆନୁଷ୍ଠାନିକ ଅନୁମୋଦନ ଦିଆନଯିବା ପର୍ଯ୍ୟନ୍ତ ସେହି କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

ଯାହାପରେ ଏବେ ଉକ୍ତ ଜଙ୍ଗଲ ଜମିର କିସମ ପରିବର୍ତ୍ତନକୁ ସ୍ଥଗିତ ରଖାଯାଇଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ । ତେବେ ସୂଚନା ଅଧିକାରୀ କର୍ମୀ କହିଛନ୍ତି ତତ୍କାଳୀନ ବିଜେଡି ସରକାରର ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଫିସରଙ୍କ ସହଯୋଗ ଯୋଗୁ ଜମି ଦୁର୍ନୀତିର ପାହାଡ଼ରେ ଛିଡ଼ା ହୋଇଛନ୍ତି ଅଚ୍ୟୁତ । ଅଚ୍ୟୁତ କେମିତି କଲେ ଏତେ ବଡ଼ ଜମି ଦୁର୍ନୀତି ? ଏହା ପଛରେ ଅଛି କି ବଡ଼ବଡ଼ିଆଙ୍କ ହାତ ? ବର୍ତ୍ତମାନର ମୋହନ ସରକାର ଏହି ଘଟଣାର ବିଚାର ବିଭାଗୀୟ ତଦନ୍ତ ବା ଏସ୍ଆଇଟି ତଦନ୍ତ କରି ବାସ୍ତବ ତଥ୍ୟ ଲୋକଲୋଚନକୁ ଆଣିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ ।

ଅପରପକ୍ଷରେ ଆଇନ ମନ୍ତ୍ରୀ କହିଛନ୍ତି, ଯେଉଁଠି ଜମି ଜବରଦଖଲ ହୋଇଛି । ତାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ଓ ଜିଏ ବିଭାଗ ପକ୍ଷରୁ ସ୍ପେଶାଲ ଡ୍ରାଇଭ ପାଇଁ ଯୋଜନା ହୋଇଛି । ଖୁବଶୀଘ୍ର ଏହି ପଦକ୍ଷେପ ନିଆଯିବ । ତେବେ ଜଙ୍ଗଲ ଜମି କ୍ଷେତ୍ରରେ ବ୍ୟାବସାୟିକ ଉଦ୍ଦେଶ୍ୟରେ ହେଉ ବା ବେଆଇନ ଜବରଦଖଲ, ସେ ବାବଦରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

ଅନ୍ୟପଟେ କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଆରଜୁ ରାନା ଦେଉବାଙ୍କ ସହ ଫୋନ୍ ଯୋଗେ କଥା ହୋଇ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହିତ ପିଲାଙ୍କ ଭରସା ଫେରାଇ ଆଣିବାକୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଲୋକସେବା ଭବନରେ ନେପାଳ ଦୂତାବାସର ୨ ଜଣ ଅଧିକାରୀ ନବୀନ ରାଜ୍ ଅଧିକାରୀ ଓ ସଞ୍ଜୀବ ଶର୍ମା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଘଟଣା ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଆଲୋଚନାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଉପସ୍ଥିତ ଥିଲେ।  

ଅଧିକ ପଢ଼ନ୍ତୁ : ଜମି ଦୁର୍ନୀତି ପାହାଡ଼ ଉପରେ ଛିଡ଼ା ହୋଇଛି କିଟ୍ ଓ କିସ୍ !

Land Encroachment Achyuta Samanta BJP MLA KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ