/odishatv-khabar/media/post_attachments/uploadimage/library/16_9/16_9_0/Bird_Flu__1725204447.jpg)
Bird Flu
ବାର୍ଡ ଫ୍ଲୁ ଚିହ୍ନଟ ପରେ ଚାଲିଛି କୁକୁଡା କଲିଂ। ଚାଷୀ ଆଖି ଆଗରେ ତା’ର ମାସ ମାସର ପରିଶ୍ରମକୁ ମାରି ସଫା କରି ଦିଆଯାଉଛି । କେଉଁଠି ୨ ହଜାର ତ କେଉଁଠି ୪ ହଜାର, ବେଧଡ଼କ ଚାଲିଛି କୁକୁଡା ମରା ଅଭିଯାନ । ଖାଲି କରି ଦିଆଯାଉଛି ପୁରା ଫାର୍ମକୁ । ଯାହାକୁ ଦେଖିପାରୁଛି ନା ଦେଖି ସହିପାରୁଛି ଚାଷୀ ।
ଡେଲାଙ୍ଗ ବାତଳ ଗାଁର କୁନାମଣି ପରିଡା । ଫାର୍ମରେ ପ୍ରାୟ ୨ ହଜାର କୁକୁଡା ପାଳିଥିଲେ । ଅତି ଯତ୍ନର ସହ ପରିବାର ଭଳି ଖାଇବା, ପିଇବାକୁ ଦେଉଥିଲେ । ହେଲେ ଆଜି ଫାର୍ମରେ ପ୍ରଶାସନ ପକ୍ଷରୁ କୁକୁଡାଙ୍କୁ ମାରି ପୋତି ଦିଆଯାଇଛି । କୋହଭରା କଣ୍ଠରେ କୁନାମଣି କହିଛନ୍ତି, ଆମେ ବି ସରକାରଙ୍କୁ ୭୦ ଟଙ୍କା ଦେବୁ, ସେ ବି ୯୦ ଦିନ କୁକୁଡା ପାଳନ୍ତୁ ତା ପରେ ଆମେ କ୍ଷତିପୂରଣ ଦେବୁ ।
ସେହିପରି ନିମାପଡ଼ା ନୂଆସନ୍ଥ ଗାଁର ଜଣେ ଚାଷୀଙ୍କ ଆଖିରୁ ଲୁହ ବଦଳରେ ବହୋଯାଉଛି ରକ୍ତ । କାହିଁକି ତାଙ୍କ ଫାର୍ମରେ ଚୁଁ ଚୁଁ ହୋଇ ଘୁରି ବୁଲୁଥିବା କୁକୁଡ଼ାଙ୍କ ଭବିଷ୍ୟତ ୨୪ ଘଣ୍ଟାରୁ କମ୍ । କାଲି ଚାଲିବ କୁକୁଡା ମରା ଅଭିଯାନ, ଖାଲି ହୋଇଯିବ ପୁରା ଫାର୍ମ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୋଟିଏରୁ ଅଧିକ ଟଙ୍କାର ଋଣ ଆଣି ଦୁଇଟି ଫାର୍ମ କରିଥିଲେ ଚାଷୀ ଉପେନ୍ଦ୍ର ବାରିକ। ପାଳିଥିଲେ ୧୫ ହଜାରରୁ ଅଧିକ କୁକୁଡା। ତେବେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା କୋଟକସାଙ୍ଗ ଗାଁ ଠାରୁ ତାଙ୍କ ଫାର୍ମ ୧ କୋଲିମିଟର ଭିତରେ ଥିବାରୁ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସବୁ କୁକୁଡା ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।
ବାର୍ଡ ଫ୍ଲୁ ଚିହ୍ନଟ ପରେ ଏମାନଙ୍କ ଭଳି ଅନେକ କୁକୁଡ଼ା ଚାଷୀଙ୍କ ଫାର୍ମ ଖାଲି ହୋଇଯାଇଛି । କିଚିରି ମିଚିରି ଶବ୍ଦରେ ଫାଟି ପଡୁଥିବା ଫାର୍ମ ଏବେ ଫାଙ୍କା। ତେବେ ଲକ୍ଷ ଲକ୍ଷ ଟଙ୍କା ଋଣ କରି କୁକୁଡା ଚାଷ କରିଥିବା ଚାଷୀ ବ୍ୟାଙ୍କ ଋଣ ପୈଠ କରିବା କଷ୍ଟକର ହୋଇପଡିଛି। ପୁଣି ଋଣ କରି ଚାଷ କରିବା କଥା ଭାବିଲେ ବି ଡର ମାଡୁଛି। ଚାଷୀ କହିଛନ୍ତି, ସରକାର ଆମ କୁକୁଡା ମାରନ୍ତୁ, ହେଲେ ଆମ ଋଣ ସୁଝି ଦିଅନ୍ତୁ।
ପୁରୀ ଜିଲ୍ଲା ପିପିଲି ପରେ ସତ୍ୟବାଦୀ, ନିମାପଡ଼ା ଓ ଡେଲାଙ୍ଗକୁ ଡେଇଁଛି ବାର୍ଡ ଫ୍ଲୁ ସଂକ୍ରମଣ । ଫଳରେ RRT ଟିମ୍ ପକ୍ଷରୁ ହଜାର ହଜାର କୁକୁଡାଙ୍କୁ ମାରି ଖାଲ କରି ପୋତି ଦିଆଯାଉଛି । ଏଥିସହ ଫାର୍ମ ସ୍ଥଳରେ ବ୍ଲିଚିଂ ପକାଇ ସାନିଟାଇଜ୍ କରାଯାଉଛି ।
ପିପିଲିରୁ ଦ୍ବିତୀକୃଷ୍ଣ ପଟ୍ଟନାୟକ ଓ କୋଣାର୍କରୁ ସଂଜୟ ପତିଙ୍କ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)