• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୀ ଜିଲ୍ଲାରେ କୁକୁଡ଼ା ମଡ଼କ। କେବଳ ପିପିଲି ଓ ସତ୍ୟବାଦୀରେ ସୀମିତ ନା ଅନ୍ୟ ଅଞ୍ଚଳକୁ ବି ମାଡ଼ିଗଲାଣି ? ଯାହାକୁ ନେଇ ବଢ଼ିଛି ଚିନ୍ତା। ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରାଣୀ ସଂପଦ ବିଭାଗ ପକ୍ଷରୁ ୪ ଦିନ ହେଲା ଚାଲିଛି କିଲିଂ। ଏଇ ଦୁଇ ବ୍ଲକରେ ୨୮ହଜାରରୁ ଅଧିକ କୁକୁଡ଼ାକୁ ମରାଯାଇ ପୋତାଗଲାଣି। ଆଜି ଆଉ ୨୩୦୦ କୁକୁଡ଼ାକୁ ମରାଯାଇଥିବା ବେଳେ କୁକୁଡ଼ା ଫାର୍ମଗୁଡ଼ିକୁ ସାନିଟାଇଜ୍ କରାଯାଉଛି। 

ହେଲେ ବାର୍ଡ ଫ୍ଲୁ ଭୟକୁ ବଢ଼ାଇଦେଉଛି ସ୍ଥାନୀୟ ଲୋକଙ୍କ ଅଭିଯୋଗ। ତେଇଶିପୁର ପଞ୍ଚାୟତବାସୀଙ୍କ କହିବା କଥା, ମାସେ ହେଲା ଏଠାରେ କୁକୁଡ଼ା ମରୁଛନ୍ତି। ନିକଟସ୍ଥ କେନାଲ ଓ ଜୋରରେ ଭାସୁଛି ମଲା କୁକୁଡ଼ା। ଏମିତିକି କୁକୁଡ଼ା ଫାର୍ମ ମାଲିକ, କୁକୁଡ଼ା ଗୋଟାକୁ ୨୦ ଟଙ୍କାରେ ବି ଯାଚିଛନ୍ତି। ଗ୍ରାଉଣ୍ଡ ଜିରୋରେ ଓଟିଭି ଟିମ୍ ପହଞ୍ଚିବା ପରେ ଏମିତି ବଖାଣିଛନ୍ତି ସ୍ଥାନୀୟ ଲୋକେ। ହେଲେ ପ୍ରାଣୀ ସଂପଦ ବିଭାଗର କହିବା କଥା, ଆମକୁ ଅଗଷ୍ଟ ୧୫ରେ କୁକୁଡ଼ା ମରୁଥିବା ଖବର ଆସିବା ପରେ ଆମେ ୧୭ ତାରିଖରେ ନମୁନା ସଂଗ୍ରହ କରି ଭୋପାଳ ପଠାଇଥିଲୁ। ୨୩ ତାରିଖରେ ପଜିଟିଭ୍ ରିପୋର୍ଟ ଆସିବା ପରେ ଏବେ ବାର୍ଡ କିଲିଂ ଚାଲିଛି ।

ଏପଟେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଚିନ୍ତାରେ କୁକୁଡ଼ା ଚାଷୀ। ଯେତିକି କୁକୁଡ଼ା ଥିଲା, ତାହା ତ’ ଗଲା, ଏବେ ଅତିକମରେ ୩ ମାସ ଫାର୍ମ ବନ୍ଦ। ସରକାର ଯାହା ସହାୟତା ଦେଇଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ। ଏମିତି ଜଣେ କୁକୁଡ଼ା ଚାଷୀ ହେଲେ ପିପିଲି ତେଇଶିପୁରର ଜିତେନ୍ଦ୍ର ରଥ। ବ୍ୟାଙ୍କରୁ ଋଣ ଆଣି, ୨୫ ଲକ୍ଷ ଟଙ୍କା ଖର୍ଚ୍ଚରେ ନୂଆ କରି ଫାର୍ମ କରିଥିଲେ। ପ୍ରଥମ ଥର ଲାଗି ୨୫ ଦିନ ତଳେ ସାଢ଼େ ୬ ହଜାର କୁକୁଡ଼ା ଚିଆଁ ଛାଡ଼ିଥିଲେ ।

ପ୍ରତି କୁକୁଡ଼ା ପିଛା ୮୦-୯୦ ଟଙ୍କା ଲେଖାଏଁ ଖର୍ଚ୍ଚ ବି କରିସାରିଥିଲେ। ହେଲେ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଗତକାଲି ତାଙ୍କ ଫାର୍ମର କୁକୁଡ଼ା ସବୁକୁ ମାରି ଦେବା ସହ ଆଜି ଫାର୍ମରେ ତାଲା ପକାଇ ଦେଇଛନ୍ତି। ଏହା ପରେ କ’ଣ କରିବେ, ଚିନ୍ତା କରିପାରୁନାହାନ୍ତି ଜିତେନ୍ଦ୍ର।

ଏଣେ କୁକୁଡ଼ାଠୁ ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମିତ ହେବାରୁ ରୋକିବାକୁ ଆକ୍ସନ ମୁଡ୍‌କୁ ଆସିଛି ସ୍ୱାସ୍ଥ୍ୟ ବିଭାଗ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଘଟଣା ସ୍ଥଳକୁ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ରାପିଡ୍ ଆକ୍ସନ ଟିମ୍ ପଠାଯାଇଛି। ଲୋକମାନେ କ’ଣ ସତର୍କତାମୂଳକ ପଦକ୍ଷେପ ନେବା ଉଚିତ, ସେଥିପାଇଁ ନିର୍ଦ୍ଦେଶାବଳୀ ବି ଜାରି ହୋଇଛି। ଯେଉଁମାନେ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ପ୍ରତିଷେଧକ ଔଷଧ ଦିଆଯାଉଛି। ସଂକ୍ରମିତ ଅଞ୍ଚଳର ଲୋକମାନେ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏସବୁ ଭିତରେ ଆଜି ନିମାପଡ଼ା ଅଞ୍ଚଳରୁ ବି କୁକୁଡ଼ା ମଡ଼କ ଖବର ଆସିଛି।

 

  • Reported by:
  • KAPILENDRA PRADHAN , Duti Krushna Pattnaik

OTV is now on Whatsapp

Join and get latest news update delivered to you via whatsapp

Join Now