Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ରାଜ୍ୟର ୯୧ ଥାନାରେ ନାହିଁ CCTV

ଭରତପୁର ଥାନା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ସେନା ଅଫିସର ଓ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଅଭିଯୋଗକୁ ନେଇ ହଇଚଇ ବେଳେ ବହୁ କୋଟି ଟଙ୍କାରେ ଆଧୁନିକୀକରଣ ପରେ ଏ ଥାନାରେ ବି ସିସିଟିଭି ନଥିବା ଘଟଣା ପୋଲିସ ବିଭାଗର ସାଂଘାତିକ ଦୋଷତ୍ରୁଟିକୁ ପଦାରେ ପକାଇଛି।

author-image
Santosh Kumar Sahoo
CCTV in Police Station

CCTV in Police Station

ସିସିଟିଭି ଫୁଟେଜ୍ ନାହିଁ ବୋଲି ବଢୁଛି ଭରତପୁର ଥାନା ମାମଲା ତଦନ୍ତରେ ଅଡ଼ୁଆ ? ଫୁଟେଜ୍ ଅଭାବରୁ ଅଧିକ ଗତିଶୀଳ ହୋଇପାରୁନି ସଂପୂର୍ଣ୍ଣ ତଦନ୍ତ ପ୍ରକ୍ରିୟା ? ଭରତପୁର ଥାନା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ, କୋଟି କୋଟି ଟଙ୍କାରେ ଆଧୁନିକୀକରଣ ହୋଇଥିବା ଏ ଥାନାରେ ସିସିଟିଭି ନଥିବା ଘଟଣା ପୋଲିସ ବିଭାଗର ଦୋଷତ୍ରୁଟିକୁ ପଦାରେ ପକାଇଛି । କାରଣ ୨ ଦିନ ତଳେ ଏ ସମ୍ବେଦନଶୀଳ ମାମଲାର ନିଜ ତରଫରୁ ଶୁଣାଣି କରିଥିବା ହାଇକୋର୍ଟ ଭରତପୁର ଥାନାରେ ସିସିଟିଭି ଲାଗିନଥିବାରୁ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଥିଲେ ।

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଭରତପୁର ଥାନାରେ ସିସିଟିଭି ନଥିବା କଥା କହିଛନ୍ତି ହାଇକୋର୍ଟ । ତେଣୁ ଘଟଣାର ଗୁରୁତ୍ବ ଉପଲବ୍ଧି କରି ତୁରନ୍ତ ଅନ୍ୟ ସମସ୍ତ ଥାନାରେ ସିସିଟିଭି ସ୍ଥିତି ଜଣାଇବାକୁ ପୋଲିସ ଆଧୁନିକୀକରଣ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ଏପରିକି ରାଜ୍ୟର ସମସ୍ତ ଥାନା ଓ ଫାଣ୍ଡିରେ ସିସିଟିଭି ସୁବିଧାର ସ୍ଥିତି ନେଇ ଆସନ୍ତା ଅକ୍ଟୋବର ୮ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଥାନାର କେଉଁ ସ୍ଥାନରେ ସିସିଟିଭି କ୍ୟାମେରା ଲାଗୁଛି, ସେ ସମ୍ପର୍କରେ ମଧ୍ୟ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୋଲିସ ତଦନ୍ତରେ ସ୍ବଚ୍ଛତା ଲାଗି ଦେଶର ସମସ୍ତ ଥାନାରେ ସିସିଟିଭି ବାଧ୍ୟତାମୂଳକ ବୋଲି ୨୦୨୦ ଓ ୨୦୨୩ରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସର୍ବୋଚ୍ଚ କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ପରେ ରାଜ୍ୟରେ ଆଜି ବି ଅନେକ ଥାନା ସିସିଟିଭି ଶୂନ୍ୟ । କଳାହାଣ୍ଡି ଜିଲ୍ଲା କଲମପୁର ଥାନା । ୨୦୨୩ ଜାନୁଆରୀରୁ ଫାଣ୍ଡିରୁ ଥାନା ମାନ୍ୟତା ପାଇଥିଲେ ବି ଏଯାଏଁ ଲାଗି ପାରିନି ସିସିଟିଭି । ସେହିଭଳି ଭଦ୍ରକ ତିହିଡ଼ି ଥାନା ବର୍ଷେ ତଳୁ ଓ ପୀରହାଟ ଥାନା ୩ ମାସ ପୂର୍ବରୁ ସ୍ଥାନାନ୍ତରିତ ଏବଂ ଆଧୁନିକୀକରଣ ପରେ ବି ଆଜିଯାଏଁ ସିସିଟିଭିର ବ୍ୟବସ୍ଥା ନାହିଁ । ସେପଟେ ବୌଦ୍ଧ ଜିଲ୍ଲାର ଘଣ୍ଟାପଡ଼ା ଥାନା କାର୍ଯ୍ୟାଳୟ ଶୁଭାରମ୍ଭକୁ ୨ ବର୍ଷ ବିତି ଯାଇଥିଲେ ବି ଥାନାକୁ ମିଳିପାରିନି ସିସିଟିଭି କ୍ୟାମେରା।

Advertisment

ଏବେ ନଜର ପକାନ୍ତୁ ରାଜ୍ୟର ଥାନାଗୁଡ଼ିକରେ ସିସିଟିଭି ବ୍ୟବସ୍ଥା ନେଇ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଉପରେ। ଗତ ବିଧାନସଭା ଅଧିବେଶନରେ ବିଜେଡି ବିଧାୟକ ସୌଭିକ ବିଶ୍ବାଳଙ୍କ ଏକ ପ୍ରଶ୍ନର ଉତ୍ତର ରଖିଥିଲେ ଗୃହ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ସମସ୍ତ ଥାନାରେ ସିସିଟିଭି ସଂଯୋଗୀକରଣ କରାଯାଇଥିବା ମୁଖ୍ୟମନ୍ତ୍ରୀ ଲିଖିତ ଭାବେ ଉତ୍ତର ରଖିଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ମିଛ କୁହାଯାଇଥିବା ଅଫିସର କିଏ ? ହାଇକୋର୍ଟରେ ସରକାର ତଥ୍ୟ ଦେବା ବେଳେ ରାଜ୍ୟର ୯୧ ଥାନାରେ ସିସିଟିଭି ନଥିବା କଥା ଦର୍ଶାଇ ଥିବା ବେଳେ ୩ ସପ୍ତାହ ତଳେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କାହିଁକି କୁହାଇଥିଲେ ଏଭଳି ମିଛ ? ୟା ପଛରେ କିଛି ଷଡ଼ଯନ୍ତ୍ର ଥିଲା ନା କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିଲା ତ୍ରୁଟିପୂର୍ଣ୍ଣ ତଥ୍ୟ। ଯାହାକୁ ନେଇ ଏବେ ରାଜନୀତି ଜୋର ଧରିଛି।

Supreme Court CCTV Police Stations Mohan Majhi
Advertisment
Advertisment