Subhadra Yojana: ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା

'ସୁଭଦ୍ରା'ରେ ଯୋଡ଼ି ହେଲେ ଆଉ ୨ ଲକ୍ଷ ୩୪ ହଜାର ହିତାଧିକାରୀ । ପାଞ୍ଚଟି ପର୍ଯ୍ୟାୟରେ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି । ବାକି ରାକ୍ଷୀ ପୂର୍ଣ୍ଣିମାରେ ଏକା ସାଥେ ପାଇବେ ୩ଟି କିସ୍ତିର ୧୫ ହଜାର ଟଙ୍କା ।

ଆକାଉଣ୍ଟରେ ପଶିଚାଲିଛି ‘ସୁଭଦ୍ରା ଟଙ୍କା’

ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା । ସୁଭଦ୍ରା ଯୋଜନାରେ ପୁଣି ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାର ମହିଳାଙ୍କୁ ସାମିଲ କଲେ ସରକାର । ଆଜି ୫ ହଜାର ଲେଖାଏଁ ଦେଲେ, ଦିନକ ପରେ ପୁଣି ଯିବ ଦ୍ବିତୀୟ କିସ୍ତିର ପାଞ୍ଚ ହଜାର ଲେଖାଏଁ ଟଙ୍କା । ପାଞ୍ଚଟି ପର୍ଯ୍ୟାୟରେ ମୋଟ୍ କୋଟିଏ ୬୪ ହଜାର ମହିଳାଙ୍କୁ ସାମିଲ କରିଛନ୍ତି ସରକାର । ବାକି ମହିଳାଙ୍କୁ ବି ଖୋଜି ରାକ୍ଷୀ ପୂର୍ଣ୍ଣିମାରେ ଏକା ବେଳେ ୩ଟି କିସ୍ତି ଦିଆଯିବ । ଏହି ଅବସରରେ ସୁଭଦ୍ରାର ସଫଳତା ପାଇଁ ଆସନ୍ତା କାଲି ସନ୍ଧ୍ୟା ବେଳେ ଘରେ ଗୋଟିଏ ଗୋଟିଏ ଦୀପ ଜାଳିବାକୁ ଅପିଲ୍ କରିଛନ୍ତି ପ୍ରଭାତୀ ।

'ସୁଭଦ୍ରା'ରେ ଯୋଡ଼ି ହେଲେ ଆଉ ୨ ଲକ୍ଷ ୩୪ ହଜାର ହିତାଧିକାରୀ । ପାଞ୍ଚଟି ପର୍ଯ୍ୟାୟରେ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି । ବାକି ରାକ୍ଷୀ ପୂର୍ଣ୍ଣିମାରେ ଏକା ସାଥେ ପାଇବେ ୩ଟି କିସ୍ତିର ୧୫ ହଜାର ଟଙ୍କା । ଆଜି ମହିଳା ଏବଂ ଶିଶୁ ବିକାଶ ବିଭାଗର କନଫ୍ରେନ୍ସ ହଲ୍‌ରୁ ଅନଲାଇନ୍ ଯୋଗେ ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ବାଣ୍ଟିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏହି ପର୍ଯ୍ୟାୟରେ ବଣ୍ଟା ଯାଇଛି ୧୧୫ କୋଟି ଟଙ୍କାର ସହାୟତା ରାଶି । ଦିନକ ପରେ ଅର୍ଥାତ ମାର୍ଚ୍ଚ ୮- ଅନ୍ତର୍ଜାତୀୟ ମହିଳା ଦିବସରେ ସବୁ ହିତାଧିକାରୀ ପୁଣି ପାଇବେ ଦ୍ବିତୀୟ ପର୍ଯ୍ୟାୟର ୫ ହଜାର ଲେଖାଏଁ ଟଙ୍କା ।

ଅଧିକ ପଢ଼ନ୍ତୁ: ଧୋଇଦେଲେ ଅମର, ଲୋକ ମୁହଁ ମୋଡିଦେଲା ପରେ ଖୋଜୁଛନ୍ତି ବିଜୁ ଲିଗାସୀ

ସେହିଦିନ କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ୫ ହଜାର କୋଟିରୁ ଅଧିକ ଟଙ୍କା । ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ହିତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର । ଯୋଗ୍ୟ ହିତାଧିକାରୀଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକାଥରେ ୩ଟି କିସ୍ତି । ଏପଟେ ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ବେଳେ ଦିନକ ପରେ ପୁଣି ୫ ହଜାର ମିଳିବାକୁ ଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଅନେକ ଉତ୍ସାହ ।

ପଞ୍ଚମ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ଅବସରରେ ସୁଭଦ୍ରା ଯୋଜନାକୁ ଘରେ ଘରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ନେଇଥିବା ଅଙ୍ଗନୱାଡି କର୍ମୀ ଏବଂ ସହାୟିକାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ପ୍ରତି ଅଙ୍ଗନବାଡ଼ି କର୍ମୀଙ୍କୁ ୧୫ ଶହ ଏବଂ ସହାୟିକାଙ୍କୁ ୫ ଶହ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ଗୁରୁତ୍ବପୂର୍ଣ୍ଣ କଥା ହେଲା ସୁଭଦ୍ରାରୁ ମହିଳାଙ୍କୁ ସଶକ୍ତ କରିବା ପାଇଁ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ପ୍ରତି ଗାଁରେ ଲକ୍ଷପତି ଦିଦି ତିଆରି କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି IIM ସହ ହୋଇଥିବା ଚୁକ୍ତି ଜରିଆରେ ମହିଳାଙ୍କୁ ତାଲିମ ଦେବା, ବିଜିନେସ୍‌ ମଡେଲ ତିଆରି କରିବା, ତାଙ୍କ ଉତ୍ପାଦ ପାଇଁ ବଜାର ବ୍ୟବସ୍ଥା କରିବାକୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ଖୁବ୍‌ କମ୍‌ ସମୟରେ ସୁଭଦ୍ରା କୋଟିଏ ମହିଳାଙ୍କ ପାଖରେ ପହଞ୍ଚିଥିବାରୁ ଆସନ୍ତାକାଲି ଗୋଟିଏ ସୁଭଦ୍ରା ଗୋଟିଏ ଦୀପ ଲଗାଇବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ମା ସୁଭଦ୍ରାଙ୍କ ପାଖରେ ପରିବାରର ମଙ୍ଗଳ ଏବଂ ରାଜ୍ୟର ମଙ୍ଗଳ ସହ ସୁଭଦ୍ରା ଯୋଜନାକୁ ଆହୁରି ସଶକ୍ତ କରିବାକୁ ସନ୍ଧ୍ୟାରେ ପ୍ରତି ଘରେ ଦୀପ ଜାଳିବାକୁ ନିବେଦନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ‘ସ୍କୁଲ୍ ରଙ୍ଗ ନୁହେଁ, ବିଜେଡି ରଙ୍ଗ ବଦଳାଇଛୁ’: ଗଣଶିକ୍ଷା ମନ୍ତ୍ରୀ