Advertisment

‘ବସନ୍ତ ମୁଦୁଲି କବିତା ପୁରସ୍କାର-୨୦୨୪’ ପାଇବେ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବକବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି।

author-image
Satyendu Shekher Mishra
Dr. Debashish Mishra

Dr. Debashish Mishra

‘କବି ବସନ୍ତ ମୁଦୁଲି ସ୍ମୃତି ସଂସଦ’ର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ଏକ ବୈଠକରେ, ପ୍ରତିବର୍ଷ ସଂସଦ ତରଫରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ର ଫଳାଫଳ ଘୋଷଣା କରାଯାଇଛି। ୨୦୨୪ ବର୍ଷ ପାଇଁ ଏହି ପୁରସ୍କାର ଲାଭ କରିବେ ରାଜ୍ୟର ସୁପରିଚିତ ଯୁବକବି ଜ୍ଞାନୀ ଦେବାଶିଷ ମିଶ୍ର। ଅନୁଷ୍ଠିତ ବୈଠକରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ନଭେମ୍ବର ୩ ତାରିଖରେ ଭଦ୍ରକଠାରେ ହେବାକୁ ଥିବା ସ୍ମୃତି ସମାରୋହରେ ପ୍ରଦାନ କରାଯିବ ବୋଲି ସ୍ମୃତିସଂସଦ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

Advertisment

ଭଦ୍ରକଠାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂସଦର ଉପଦେଷ୍ଟା ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଶାନ୍ତନୁ ମହାପାତ୍ର, ରବୀନ୍ଦ୍ର କୁମାର ପଣ୍ଡା, ଉପସଭାପତି କବି କିଶୋର ପାଣିଗ୍ରାହୀ, ସମ୍ପାଦକ କୃଷ୍ଣ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଅମିତାଭ ଖିଲାର, ସଂଯୋଜକ ଅରୁଣ ଖିଲାର ଏବଂ କବିପତ୍ନୀ ସୁନନ୍ଦା ମୁଦୁଲି ପ୍ରମୁଖ ଉପସ୍ଥିତ ଥାଇ ବିଚାରକଙ୍କଠାରୁ ପ୍ରାପ୍ତ ମତ ଭିତ୍ତିରେ ପୁରସ୍କୃତି ପାଇଁ ମନୋନୀତ କବିଙ୍କ ନାଁ ଘୋଷଣା କରାଯାଇଥିଲା। କେବଳ ବିଚାରକଙ୍କ ମତାମତକୁ ଆଧାର କରି ଫଳାଫଳ ଘୋଷଣା କରାଯାଏ ବୋଲି ସଂସଦର ସଂଯୋଜକ ଅରୁଣ ଖିଲାର ପ୍ରକାଶ କରିଛନ୍ତି।

ନଭେମ୍ବର ୩ ତାରିଖ ଦିବା ୧୦ ଘଟିକା ସମୟରେ ଭଦ୍ରକସ୍ଥ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥିଛବା ୩୮ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ବିଜେତା କବି ଜ୍ଞାନୀ ଦେବାଶିଷ ମିଶ୍ରଙ୍କୁ ପୁରସ୍କାର ସ୍ୱରୂପ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା କବି ଶ୍ରୀ ମିଶ୍ର ଓଡ଼ିଆ କବିତା କ୍ଷେତ୍ରରେ ବେଶ୍ ପରିଚିତ ଏବଂ ଓଡ଼ିଆ କବିତାରେ ନିଜସ୍ଵ ଛାପ ଛାଡ଼ିଛନ୍ତି।

Advertisment

୧୯୮୫ ମସିହାରେ ନୟାଗଡ଼ଠାରେ ଜନ୍ମ ଗ୍ରହଣ କରିଥିବା କବି ଶ୍ରୀ ମିଶ୍ର ସମ୍ପ୍ରତି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟରତ। ତାଙ୍କ ରଚିତ ପୁସ୍ତକର ସଂଖ୍ୟା ୧୦ ହୋଇଥିବା ବେଳେ ତନ୍ମଧ୍ୟରୁ କବିତା ପୁସ୍ତକ ତଥାପି ଜୀବନ, ଦାଗ, ପୟରେ ନଲାଗଇ ଧୂଳି, ତରା ଓ ଫଜେରା ଏବଂ ସମାଲୋଚନା ପୁସ୍ତକ ସମୟ ସହ କେଇପାଦ, କଥାଦୃଷ୍ଟି, ନାଟ୍ୟ ପରିକ୍ରମା ପ୍ରଭୃତି ଉଲ୍ଲେଖଯୋଗ୍ୟ। 

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବକବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୬ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି। ବିଗତ ୩୬ ବର୍ଷ ଭିତରେ ପୁରସ୍କୃତ ହୋଇଥିବା କବିଗଣ ଏବଂ କିଛି ବିଜ୍ଞ ଲେଖକ ଏହାର ବିଚାରକ ଥିବାବେଳେ ସେମାନଙ୍କଠାରୁ ଆସିଥିବା ମନୋନୟନ ପ୍ରକ୍ରିୟାକୁ ଅନୁସରଣ କରି ଯୋଗ୍ୟ କବିପ୍ରତିଭା ନିର୍ଣ୍ଣୟ କରାଯାଇଛି। ଏହି ପୁରସ୍କାର ପ୍ରଦାନ ଉତ୍ସବକୁ ଉଚ୍ଚଶିକ୍ଷା, ଭାଷାସାହିତ୍ୟ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦ୍ଘାଟନ କରିବା ବେଳେ ବିଶିଷ୍ଟ କବି ଓ ସମାଲୋଚକ ପ୍ରଫେସର ଡକ୍ଟର ପ୍ରଫୁଲ୍ଲ କୁମାର ମହାନ୍ତି ଓ ବିଶିଷ୍ଟ କବି ଡକ୍ଟର ଅପର୍ଣ୍ଣା ମହାନ୍ତି ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି।

Poet
Advertisment
Advertisment