Advertisment

NAC Officer Dadagiri: ମାଛ ବିକୁଥିଲେ ଦୁଇ ଭଉଣୀ; ନାଳକୁ ଫିଙ୍ଗି ଦେଲେ ବାବୁ !

ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍‌ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଅଦ୍ୟତନ ହୋଇଛି
Fish

Fish

Advertisment

ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦାଦାଗିରୀ! ରାସ୍ତା ପାର୍ଶ୍ୱରେ ଦୁଇ ଭଉଣୀ ବିକ୍ରି କରୁଥିବା ମାଛକୁ ନର୍ଦ୍ଦମାକୁ ଫିଙ୍ଗି ଦେଲେ! ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଏପରି ଦାଦାଗିରୀ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ। ଦୁଇ ଭଉଣୀଙ୍କ କହିବା ଅନୁସାରେ ପ୍ରାୟ ଲକ୍ଷେ ଟଙ୍କାର ମାଛ ନଷ୍ଟ ହୋଇଛି। ଅନ୍ୟପକ୍ଷରେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଲିଗୁଡ଼ା ଏନ୍‌ଏସି କର୍ତ୍ତୃପକ୍ଷ।

Advertisment

ବାଲିଗୁଡା ଏନ୍‌ଏସିର ଗୌରୀ ବେହେରା ଓ ଭୌମି ବେହେରା ମାଛ ବେପାର କରି ପରିବାର ଭରଣ ପୋଷଣ କରନ୍ତି। ସବୁଦିନ ପରି ଆଜି ସକାଳେ ଦୁଇ ଭଉଣୀ ୫୯ ନମ୍ୱର ଜାତୀୟ ରାଜପଥର ନୂଆସାହି ଛକରେ ମାଛ ବିକ୍ରି ପାଇଁ ଦୋକାନ ଖୋଲିଥିଲେ। ଠିକ୍‌ ସେତିକି ବେଳେ ସେଠାରେ ପହଞ୍ଚିଥିଲେ ଏନ୍‌ଏସି ଅଧିକାରୀ ଓ ତାଙ୍କ କର୍ମଚାରୀ। ରାସ୍ତା ଅବରୋଧ ବାହାନାରେ ଉଭୟଙ୍କୁ ମାଛ ବିକ୍ରି ନକରିବା ପାଇଁ ତାଗିଦ କରିଥିଲେ। ଟ୍ରାଫିକ ସମସ୍ୟା ହେଉଥିବାରୁ ସେଠାରୁ ଉଠି ଯିବାକୁ କହିଥିଲେ।

ଅଭିଯୋଗ ଅନୁସାରେ ଦୁଇ ଭଉଣୀ ଉଠିବା ପୂର୍ବରୁ ଏନ୍‌ଏସି ଅଧିକାରୀ ଓ ତାଙ୍କ କର୍ମଚାରୀମାନେ ମାଛ ଗୁଡ଼ିକୁ ଡ୍ରେନକୁ ଫିଙ୍ଗି ଦେଇଥିଲେ। ଫିଙ୍ଗା ଯାଇଥିବା ମାଛର ମୂଲ୍ୟ ଲକ୍ଷେରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପକ୍ଷରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ସ୍ଥାନୀୟ ଲୋକ।

Advertisment

ଅଧିକ ପଢ଼ନ୍ତୁ: ସାମ୍ବାଦିକଙ୍କୁ ବ୍ଲକ୍ ଅଫିସ କାହିଁକି ମନା; କ’ଣ ରହିଛି କାରଣ ?

ମାଛ ବିକ୍ରି କରୁଥିବା ଗୌରୀ ବେହେରା କହିଛନ୍ତି, ଆଜି ସକାଳେ ମାଛ କାଟୁଥିଲି। ଏନ୍‌ଏସି ବାବୁ ଆସି କହିଲେ ଏଠାରୁ ଘୁଞ୍ଚି ଯାଅ। ଘୁଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ସେମାନେ ମୋର ସବୁ ମାଛ ନାଳକୁ ଫିଙ୍ଗି ଦେଲେ। ମୁଁ କ’ଣ ଏବେ କରିବି କିଛି ବୁଝି ପାରୁନାହିଁ। ମୋତେ ନ୍ୟାୟ ଦରକାର ବୋଲି ଗୌରୀ କହିଛନ୍ତି।

ଗୌରୀଙ୍କ ଭଉଣୀ ଭୌମି ବେହେରା କହିଛନ୍ତି, ଆଜି ସକାଳେ ମାଛ ବିକୁଥିଲି। ସେମାନେ ଆସି ଏଠାରୁ ଉଠି ଯିବା ପାଇଁ କହିଲେ। ସେମାନଙ୍କ କଥା ମାନି ଉଠିବା ପାଇଁ ମାଛ ଗୋଟାଉଥିଲୁ। ଠିକ୍‌ ସେତିକି ବେଳେ ସେମାନେ ମୋର ସବୁ ମାଛ ଫିଙ୍ଗି ଦେଲେ। ଆମେ ଏବେ ବଞ୍ଚିବୁ କେମିତି? ଧାର ଉଧାର କରି ମାଛ କିଣିଥିଲୁ। ଦୁଇ ଭଉଣୀଙ୍କର ଲକ୍ଷେ ଟଙ୍କାର ମାଛ ନଷ୍ଟ ହାଇଗଲା ବୋଲି ଭୌମି କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କୁର୍ଲା ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା, ଆଉ ଜଣଙ୍କୁ ଗିରଫ କଲା ପୋଲିସ

ସେପଟେ ଦୁଇ ଭଉଣୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବାଲିଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ। ସେ କହିଛନ୍ତି, ରାସ୍ତା ପାର୍ଶ୍ୱରେ ମାଛ ବିକ୍ରି ନକରି ଆର୍‌ଏମ୍‌ସି ମାଛ ମାର୍କେଟରେ ବିକ୍ରି କରିବା ପାଇଁ କୁହାଯାଇଥିଲା। ଏଥିପାଇଁ ସୋମବାର ସନ୍ଧ୍ୟା ବେଳେ ମାଇକ୍‌ ମାଧ୍ୟମରେ ପ୍ରଚାର କରାଯାଇଥିଲା। ଏହା ସତ୍ତ୍ୱେ ସେମାନେ ଆଜି ସକାଳେ ମାଛ ବିକ୍ରି କରୁଥିଲେ। ସେମାନଙ୍କୁ ଉଠିବା ପାଇଁ କହିଥିଲୁ। ହେଲେ ସେମାନେ ଉଠୁନଥିଲେ। ତେଣୁ ସେମାନଙ୍କ ମାଛକୁ ଜବରଦସ୍ତି ଟୋକେଇରେ ପୂରାଇବାକୁ ଚେଷ୍ଟା କରୁଥିଲୁ। ସେହି ସମୟରେ ଦୁଇ ଭଉଣୀ ବିରୋଧ କରିବାରୁ ଏଣେତେଣେ ମାଛ ପଡ଼ିଥିଲା ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Kandhamal Fishermen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ