• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁଆରୁ ଲିଭିନି ବାହାଚିତା । ହେଲେ ଏପଟେ ଚିତା ଜଳିବ ବୋଲି ଏକାଠି ହେଲେଣି ମାଲଭାଇ । କାନ୍ଦବୋବାଳିରେ ଫାଟି ପଡୁଛି ଘର । ଜନ୍ମକଲା ମା’ର ଅନ୍ତର ଆତ୍ମା ଫାଟି ପଡୁଛି । ଲୋଟି ପଡୁଛି ଭୁଇଁରେ ସିଏ ଥରକୁ ଥର । କାନ୍ଦି କାନ୍ଦି ନୟାନ୍ତ ହେଲାଣି ପୁରା ପରିବାର । ଘରର ରୋଜଗାରିଆ ପୁଅ ଆଉ ନାହିଁ । ଖାଲି ପୁଅ ନୁହେଁ ଏ ଘରର ଲକ୍ଷ୍ମୀବନ୍ତ ବୋହୂ ବି ଚାଲିଯାଇଛି । ସବୁଦିନ ପାଇଁ ।

ଯେଉଁ ଘରକୁ ବର୍ଷେ ତଳେ ସ୍ୱାମୀ ସହ ମଥାରେ ଓଢ଼ଣୀ ଦେଇ ନୂଆବୋହୂ ହୋଇ ସସ୍ମିତା ଆସିଥିଲେ ସେଇ ଘରୁ ସ୍ୱାମୀଙ୍କ ସହ ଆଜି ତାଙ୍କର କୋକେଇ ଉଠିବ । ଆରମ୍ଭ ହୋଇଥିବା ଗୋଟାଏ ନୂଆ କାହାଣୀ, ଆଜି ଜୁଇରେ ଶୋଇ ପଡିବ । କାନ୍ଦିବେ ଦୁଇ ଦୁଇଟା ପରିବାର । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ପାର୍ବତୀପୁର ଗାଁରେ ।

ଏଇ ଗାଁର ମନୋଜ କୁମାର ମହାକୁଡ଼ ଓ ତାଙ୍କର ପତ୍ନୀ ସସ୍ମିତା ମହାକୁଡ଼ ଗୋଟିଏ ବର୍ଷ ପୂର୍ବରୁ ବିବାହ କରିଥିଲେ । ମନୋଜ ଲୋକୋ ପାଇଲଟ ଭାବେ କାର୍ଯ୍ୟ କରୁଥିବା ବେଳେ ସସ୍ମିତା ଥିଲେ ଗୃହିଣୀ । ଦାମ୍ପତ୍ୟ ସୁଖକୁ ବର୍ଷଟିଏ ପୁରି ନ ଥିଲା କି କୋଳକୁ ପରପିଢିର ଦାୟାଦ ବି ଆସି ନ ଥିଲେ । କିନ୍ତୁ ମୃତ୍ୟୁ ଏତେ ଶୀଘ୍ର ଆସିବ ଏ କଥା ସମସ୍ତଙ୍କ ବିଶ୍ୱାସର ବାହାରେ ଥିଲା ।

ହଠାତ୍ ଗତକାଲି ଘରକୁ ଆସିଥିଲେ ମନୋଜ । ସବୁ କିଛି ଠିକ୍ ଠାକ୍ ଥିଲା । ତାଙ୍କ ଆସିବାଠୁ ନେଇ ଖିଆପିଆ ଆଉ ଘରର ଦରଜା ପଡିବା ଯାଏଁ ସବୁ ଯଥାରୀତି ଚାଲିଥିଲା । ହେଲେ କିଏ ଜାଣିଥିଲା, ଦୁଇଟା ଆତ୍ମୀୟ ମଣିଷଙ୍କ ଏ କବାଟ ଆଉ ଫିଟିବନି ବୋଲି । ସ୍ୱାମୀ-ସ୍ତ୍ରୀ ସକାଳୁ ନ ଉଠିବାରୁ ପରିବାର ଲୋକ ସେମାନଙ୍କ କବାଟ ବାଡ଼େଇ ଥିଲେ । ତଥାପି ଭିତରୁ କିଛି ଶବ୍ଦ ଶୁଭି ନ ଥିଲା କି କୌଣସି ଉତ୍ତର ଆସି ନ ଥିଲା ।

କବାଟ ତାଡ଼ି ଘରେ ପଶିଲା ବେଳକୁ ସବୁ ସରିଯାଇଥିଲା । ପଲଙ୍କ ତଳେ ପଡ଼ିଥିଲେ ଦୁଇ ସ୍ୱାମୀ-ସ୍ତ୍ରୀ । ମୃତଦେହରେ ବିଦ୍ୟୁତ ତାର ଲାଗିଥିବା ବି ଦେଖିବାକୁ ମିଳିଥିଲା । ଏହା ଆତ୍ମହତ୍ୟା ନା ବିଦ୍ୟୁତ୍ ଆଘାତ ଜନିତ ମୃତ୍ୟୁ, ତାହା କାହାରିକୁ ଜଣାନାହିଁ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି । ମୃତଦେହ ଉଦ୍ଧାର କରିଛି ।

କେହି କିଛି ଜାଣିବା ଆଗରୁ ସବୁ କିଛି ଯେମିତି ଶେଷ ହୋଇଯାଇଛି । ପରିବାରଟା ଯେମିତି ଆଜି ଲକ୍ଷ୍ମୀଛଡ଼ା ହୋଇଯାଇଛି । କାରଣ ହାତ ଧରାଧରି ହୋଇ ଆରପାରିକୁ ଚାଲିଯାଇଛନ୍ତି ପୁଅ ମନୋଜ ଆଉ ବୋହୂ ସସ୍ମିତା ।

OTV is now on Whatsapp

Join and get latest news update delivered to you via whatsapp

Join Now