/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750498488.jpg)
ବିଳମ୍ବିତ ରାତିରେ ଦୁର୍ଘଟଣା
ବଲାଙ୍ଗିର ସହର ଦେଇ ଯାଇଛି ଦୁଇ ଦୁଇଟି ଜାତୀୟ ରାଜପଥ । କିନ୍ତୁ ଅଧାପନ୍ତରିଆ ହୋଇ ପଡିରହିଛି ବଲାଙ୍ଗିର ବାଇ-ପାସ ରୋଡ । ଆଜି ବି ଏଠି ମାଲ୍ ବୋଝେଇ ଟ୍ରକ ୧୮ ଘଣ୍ଟା ଅଟକ ରହେ । ଆଉ ରାତି ୧୨ ପରେ, ଶହ ଶହ ଗାଡି ସହର ଦେଇ ପାରିହୁଏ । କେତେବେଳେ ଟ୍ରକ ଚାପାରେ ଲୋକେ ମରନ୍ତି ତ ଆଉ କେତେବେଳେ ଦୋକାନ ଭିତରକୁ ପଶିଯାଇଥାଏ ମାଳ ବୋଝେଇ ଗାଡି । ଗତ ୧୭ ତାରିଖ ଏଭଳି ଏକ ଘଟଣା ଯୋଗୁଁ, ବଡ ଅଘଟଣରୁ ବଂଚିଗଲେ ସହରବାସୀ । ହେଲେ ଦୋକାନ ଭିତରକୁ ଧସେଇ ପଶିଲା, ବଡ କନଟେନର । ହେଲେ ବିଡମ୍ବନା, ଡ୍ରାଇଭରକୁ ଉଦ୍ଧାର କରି ଫେରାର କରିଦେଲା ପୋଲିସ । ଆଉ ଡ୍ରାଇଭର ନାଁରେ ପରୱାନା ଜାରୀ କରିଛି ପୋଲିସ । ସତ କହୁଛି ସି.ସି.ଟିଭି । ପୂରା ଘଟଣାକୁ ନେଇ ବଲାଙ୍ଗିରରୁ ଆମର ଏହି ରିପୋର୍ଟ-‘‘ନିଶା ରାତିରେ ପୋଲିସର ଚୋରା ପୀରତି...’’ ।
ଗତ ପାଂଚଦିନ ତଳେ ଜାତୀୟ ରାଜପଥ ୨୬, ସାଗରପଡା ଛକ ନିକଟରେ ଧସେଇ ପଶିଥିଲା କନଟେନର । ଆଜି ବି ସେଇ ଅବସ୍ଥାରେ ପଡ଼ିରହିଛି । ଫେରାର ଡ୍ରାଇଭରକୁ ଖୋଜୁଛି ପୋଲିସ । ଡ୍ରାଇଭର ନାଁରେ ପରୱାନା ଜାରୀ କରିଛି ବଲାଙ୍ଗିର ଟାଉନ ପୋଲିସ । କିନ୍ତୁ ଦୁର୍ଘଟଣା ଜାଗା ପାଖରେ ଲାଗିଥିବା ସି.ସି.ଟିଭି ଫୁଟେଜ କହୁଛି ସତ ! ମଝି ରାତିରେ ଘଟିଥିବା ଦୁର୍ଘଟଣା ପରେ ଘଟଣାସ୍ଥଳକୁ ଆସିଥିଲା ପୋଲିସ ଗାଡି । ବର୍ଦ୍ଦିରେ ବି ଦୁଇଜଣ ପୋଲିସ ବାଇକରେ ଆସିଥିଲେ । ପାଖରେ ଲାଗିଥିବା କଳା ଧଳା ସି.ସି.ଟିଭିରୁ ଜଣାପଡ଼ିଛି ପୋଲିସର କଳା କାରନାମା । ଦୁର୍ଘଟଣା ପରେ ପରେ ଗୋଡ଼ରେ ଆଘାତ ଲାଗିଥିବାରୁ ଛୋଟେଇ ଛୋଟେଇ ବାହାରିଥିଲେ ଡ୍ରାଇଭର । ଉପସ୍ଥିତ ପୋଲିସ କର୍ମଚାରୀ, ଅଧିକାରୀଙ୍କ ସହିତ କିଛି କଥାବାର୍ତ୍ତା ବି କରୁଛନ୍ତି । ତାପରେ ଗାୟବ ଡ୍ରାଇଭର । କିନ୍ତୁ ସକାଳୁ ନୋଟିସ କରି ଡ୍ରାଇଭରକୁ ଛାଡିଦେଇଛି ପୋଲିସ । କିନ୍ତୁ କାହିଁକି ଓ କଣ ପାଇଁ ଡ୍ରାଇଭରର ମେଡିକାଲ ଟେଷ୍ଟ କଲାନାହିଁ ପୋଲିସ । ଅନ୍ଧାର ରାତିରେ, ବଲାଙ୍ଗିର ଟାଉନ ପୋଲିସର ଚୋରା ପୀରତିକୁ ନେଇ ସାଧାରଣରେ ପ୍ରଶ୍ନ ।
ଗତ ୧୭ ତାରିଖ ରାତି ୩ ଟା ୪୫ । ଲମ୍ବାଲାଇନରେ ଆସୁଥିଲା ଦଶରୁ ବାର ଟି କନଟେନର । କିନ୍ତୁ ହଠାତ ସହରର ସାଗରପଡା ଛକ ନିକଟରେ ରାସ୍ତାକଡରେ ଥିବା ମାର୍କେଟ କଂପ୍ଳେକ୍ସକୁ ଧସେଇ ପଶିଲା ଏକ କନଟେନର । ସୌଭାଗ୍ୟବଶତଃ କେହି ଦୋକାନ ଘରେ କି ବାହାରେ ଶୋଇ ନଥିଲେ । ତେଣୁ ଟଳିଗଲା ବଡ ଅଘଟଣ । କିନ୍ତୁ ପାଂଚଟି ଦୋକାନର ଅନେକ କ୍ଷତି ହୋଇଛି । ସାଧାରଣ ଲୋକଙ୍କ ସେଲୁନ ସମେତ, ଖୁଚୁରା ଦୋକାନ ହୋଇଥିବାରୁ, ବ୍ୟବସାୟୀଙ୍କ ବେପାରରେ ମାଡ ପଡିଛି । ଦୋକାନ ଘର ଭାଙ୍ଗିଯାଇଥିଲେ ବି, ଗତ ପାଂଚଦିନ ଧରି ଗାଡି ଉଠାଯାଉନଥିବାରୁ, ଦୋକାନ ବନ୍ଦ ରହିଛି । ଲୋକେ ଦୋକାନ ଖୋଲିନପାରିବାରୁ, ରୋଜଗାର ବନ୍ଦ । ଦୋକାନୀଙ୍କ ଅଭିଯୋଗ, ଋଣ କରି ଦୋକାନ କରିଥିଲୁ । ତେଣୁ ଆମକୁ କ୍ଷତିପୂରଣ ଦେବା ସହିତ, ତୁରନ୍ତ ଦୁର୍ଘଟଣାଗ୍ରସ୍ତ ଟ୍ରକକୁ ଉଠାଇଲେ, ଆମେ ମରାମତି କରି ଦୋକାନ ଖୋଲିବୁ । କିନ୍ତୁ ସହର ମଝିରେ ଏଭଳି ଘଟଣା ଘଟିଥିଲେ ବି, ପାଂଚଦିନ ଧରି ପଡିରହିଛି ଗାଡି । ବନ୍ଦ ରହିଛି ଦୋକାନ । କିନ୍ତୁ ଏସବୁ ଭିତରେ ଗାଡି ବାଳାଙ୍କ ସହିତ ପଦାରେ ପଡିଛି ପୋଲିସର ଚୋରାପୀରତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)