/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755442156.jpg)
balanga case
କଡ଼ ଲେଉଟାଇବ କି ବଳଙ୍ଗା କାଣ୍ଡ? ୟୁଟର୍ଣ୍ଣ ନେବ କି ଅତି ରହସ୍ୟଜନକ ଭାବେ ଏବଂ ନିଛାଟିଆ ସ୍ଥାନରେ ଜଳିପୋଡ଼ି ଦିଲ୍ଲୀ AIIMSରେ ନାବାଳିକା ପ୍ରାଣହାନୀ ମାମଲା? କାରଣ ମୃତ୍ୟୁ ପୂର୍ବରୁ ତଦନ୍ତକାରୀ ଟିମ୍ ଉପସ୍ଥିତିରେ ହସପିଟାଲରେ ହୋଇଥିବା ବୟାନ ରେକର୍ଡ ବେଳର ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
ପୀଡ଼ିତାଙ୍କ କଥାରୁ ଜଣାପଡୁଛି, କିରୋସିନି ଢାଳି ନିଆଁ ଲଗାଇଥିବା ଦୁର୍ବୃତ୍ତ ବାଇକରେ ଆସିଥିଲେ। ମୁହଁରେ ରୁମାଲ ବନ୍ଧା ଅବସ୍ଥାରେ ଥିଲେ। ଫଳରେ ପୀଡ଼ିତା ତାଙ୍କୁ ଚିହ୍ନିପାରିନାହାନ୍ତି। ତେବେ ଏହି ଭାଇରାଲ୍ ଭିଡ଼ିଓଟି ଭୁବନେଶ୍ବର ନା ଦିଲ୍ଲୀ ଏମ୍ସର? କେଉଁ ସମୟରେ ବୟାନ ରେକର୍ଡ କରାଯାଇଥିଲା? ପୁରୀ ଏସପି କହିଛନ୍ତି, ଭିଡ଼ିଓଟି ପୀଡିତାଙ୍କୁ ପ୍ରଥମେ ଯେତେବେଳେ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା ସେଠାକାର ହୋଇଥାଇପାରେ। ପରେ କିନ୍ତୁ ଦିଲ୍ଲୀ ଏମ୍ସରେ ଜୁଡିସିଆଲ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେକର୍ଡ କରାଯାଇଥିଲା।
ଏବେ ବୟାନ ଭିଡିଓକୁ କିଏ ଓ କାହିଁକି ଭାଇରାଲ କଲା, ସାଇବର ଟିମ୍ ଓ କ୍ରାଇମବ୍ରାଞ୍ଚ ସହଯୋଗରେ ଅନୁସନ୍ଧାନ କରାଯାଉଛି। ବଳଙ୍ଗା ମାମଲାର ତଦନ୍ତ ଚୂଡ଼ାନ୍ତ ପର୍ଯ୍ୟାୟରେ। କେବଳ କିଛି ଫରେନସିକ୍ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ଜୁଲାଇ ୧୯। ବଳଙ୍ଗା ଅଞ୍ଚଳରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ନାବାଳିକାଟିକୁ। ଏହାପରେ ପ୍ରଥମେ ଭୁବନେଶ୍ବର ଏମ୍ସ ଓ ଜୁଲାଇ ୨୦ରେ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ ନିଆଯାଇଥିଲା। ପୀଡ଼ିତାଙ୍କ ଚିକିତ୍ସା ପାଇଁ ସବୁ ପ୍ରକାର ପଦକ୍ଷେପ ନେଇଥିଲେ ରାଜ୍ୟ ସରକାର। କିନ୍ତୁ ଦୁର୍ଭାଗ୍ୟ, ହସ୍ପିଟାଲ ବେଡରେ ୧୪ ଦିନର ସଂଗ୍ରାମ ପରେ ଅଗଷ୍ଟ ୨ରେ ଆଖି ବୁଜିଲେ।
ତାରି ଭିତରେ ପ୍ରଥମେ ଭୁବନେଶ୍ବର ଏମସରେ ଏବଂ ପରେ ଦିଲ୍ଲୀ ଏମସରେ ଚିକିତ୍ସାଧିନ ଅବସ୍ଥାରେ ବୟାନ ରେକର୍ଡ କରାଯାଇଥିଲା। ତଥାପି ବୟାନରେ ତାଳମେଳ ନଥିବାରୁ ପୁଣି ଦିଲ୍ଲୀ ଏମସରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଝିଅର ମୃତ୍ୟୁ ପାଇଁ ପରିବାର ଲୋକେ କାହାକୁ ଦୋଷ ବି ଦେଇନଥିଲେ। ଏପରିକି ରାଜନୀତି ନକରିବାକୁ ନିବେଦନ କରିଥିଲେ ବାପା।
ଏବେ ଭିଡ଼ିଓ ଭାଇରାଲ ପରେ ଜୋର୍ ଧରିଛି ରାଜନୈତିକ ବୟାନ ବାଜି। ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଦାବି କରିଛି, ଏହି ଭିଡ଼ିଓ ଠିକ୍ ନା ଭୁଲ୍ ବିଜେପି ସ୍ପଷ୍ଟ କରୁ। ସେହିପରି ପିସିସି ସଭାପତି ଅଭିଯୋଗ କରିଛନ୍ତି, ପୋଲିସ୍ ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ବିଫଳ ହୋଇଛି। ଜବାବରେ ବିଜେପି କହିଛି, ଭିଡ଼ିଓଟି ସତ କି ମିଛ, ତଦନ୍ତ ପରେ ଜଣାପଡ଼ିବ। ବଳଙ୍ଗା ଘଟଣାକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛନ୍ତି ବିରୋଧୀ।
ଗୋଟିଏ ପଟେ ପୀଡ଼ିତା ନିଆଁରେ ଜଳିଯିବାର ରହସ୍ୟ ସାମ୍ନାକୁ ଆସିନାହିଁ, ପରିବାର ଲୋକେ ବି କାହାକୁ ଦୋଷୀ କହିନାହାଁନ୍ତି। ଓଡ଼ିଶା ପୋଲିସ ବି ସୋସିଆଲ୍ ମିଡ଼ିଆ Xରେ ବଳଙ୍ଗା ଘଟଣାରେ ଅନ୍ୟ କାହାର ସଂପୃକ୍ତି ନାହିଁ ବୋଲି କହିଥିଲା। ତେବେ ଏହି ଭିଡ଼ିଓ ପଛର ସତ ଏବଂ ଭାଇରାଲର କାରଣ କ’ଣ ? ତାକୁ ନେଇ ଏବେ ବଢ଼ିଛି ଚର୍ଚ୍ଚା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)