/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730127348.jpg)
Diwali Confusion
ଦୀପାବଳିକୁ ନେଇ ଦ୍ୱନ୍ଦ୍ୱ, ଦ୍ୱିମତ। କେଉଁଦିନ ପାଳନ ହେବ କାଳୀପୂଜା ? କେଉଁଦିନ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ ? ରାଜ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ଉଭୟ ପର୍ବ ପାଳନର ଦିନ ଅଲଗା ଅଲଗା ଥିବାରୁ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟ ଦେଖାଦେଇଛି ଦ୍ୱନ୍ଦ୍ୱ। ରାଜ୍ୟର କିଛି ଭାଗରେ ଲୋକେ ଅକ୍ଟୋବର ୩୧ ଗୁରୁବାର ହିଁ କାଳୀପୂଜା ସାଙ୍ଗକୁ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ କରିବାକୁ ଯାଉଛନ୍ତି।
ହେଲେ ଶ୍ରୀମନ୍ଦିର ଏବଂ ପୁରୀ ଅଞ୍ଚଳରେ ଅକ୍ଟୋବର ୩୧ ଗୁରୁବାର ଦିନ କାଳୀପୂଜା ଓ ନଭେମ୍ବର ୧ ଶୁକ୍ରବାର ଦିନ ଦୀପାବଳି, ପୟାଶ୍ରାଦ୍ଧ ପାଳନ କରାଯିବ।
ଏପଟେ ଦୀପାବଳି ଓ ପୟାଶ୍ରାଦ୍ଧର ଭିନ୍ନ ତିଥିକୁ ନେଇ ସ୍ପଷ୍ଟ ମତ ରଖିଛନ୍ତି ବରିଷ୍ଠ ଜ୍ୟୋତିର୍ବିଦ, ପଣ୍ଡିତ ତଥା ପଞ୍ଜିକା ଗଣନାକାରୀ। ପୁରୀର ପଣ୍ଡିତ ହରିଶଙ୍କର ମିଶ୍ରଙ୍କ ମତ, ଯେଉଁଦିନ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ଅମାବାସ୍ୟା ତିଥି ଥାଏ, ସେହିଦିନ ପାଳନ ହୁଏ ଦୀପାବଳି। ଏ ବର୍ଷ ଅକ୍ଟୋବର ୩୧ ତାରିଖ ଗୁରୁବାର ଦିନ ୩ ଟା ୪୫ରେ ଅମାବାସ୍ୟା ତିଥି ପ୍ରବେଶ କରୁଛି। ଗୁରୁବାର ରାତିରେ ଅମାବାସ୍ୟା ତିଥି ରହୁଥିବାରୁ ସେହିଦିନ କାଳୀପୂଜା ପାଳନ କରାଯିବା ବିଧେୟ। ଏହାର ପରଦିନ ଅର୍ଥାତ ନଭେମ୍ବର ୧ରେ ଅମାବାସ୍ୟା ତିଥି ଉଭୟ ସକାଳ ଓ ସଂଧ୍ୟାକୁ ପାଉଥିବାରୁ ସେଦିନ ପାଳନ ହେବ ପୟାଶ୍ରାଦ୍ଧ ଓ ଦୀପାବଳି ଉତ୍ସବ।
ସେପଟେ ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଷାରଦଗଣ ସମାନ ମତ ପୋଷଣ କରିଥିଲେ ବି ପୟାଶ୍ରାଦ୍ଧ ଉତ୍ସବକୁ ଉଭୟ ଅକ୍ଟୋବର ୩୧ ଏବଂ ନଭେମ୍ବର ୧ରେ ପାଳନ କରାଯାଇପାରିବ ବୋଲି ମତ ରଖିଛନ୍ତି। କିନ୍ତୁ ୧ ତାରିଖରେ ପୟାଶ୍ରାଦ୍ଧ ପାଳନ ଓ ପିତୃପୁରୁଷଙ୍କୁ ଦୀପଦାନ ଅଧିକ ଫଳପ୍ରଦ ବୋଲି ମତ ପ୍ରକାଶ ପାଇଛି। ତେବେ ଶ୍ରୀମନ୍ଦିରରେ ୧ ତାରିଖ ଶୁକ୍ରବାର ଦିନ ପାଳନ ହେବ ଦୀପାବଳି ଅମାବାସ୍ୟା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)