• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପରିବା କିଣି ଗଲେ ମରିବା ଭଳି ଲାଗୁଛି । ହାଟରେ ଯେଉଁ ପରିବାକୁ ବି ଛୁଇଁଲେ ଦାମ୍ ୫୦, ୬୦ ନହେଲେ ୮୦ରୁ ୧୦୦ ଟଙ୍କା । ବେପାରୀ ବି ଆଉ କିଲୋ ନୁହେଁ ଅଢ଼େଇ ଶହ ଗ୍ରାମ୍ ରେଟ୍ ରେ ଡାକ ପକାଉଛନ୍ତି । ଏଣେ ରାଜ୍ୟର ବଡ଼ ପରିବା ମଣ୍ଡି ଭୁବନେଶ୍ୱରର ୧ ନମ୍ବର ହାଟ ହେଉକି କଟକର ଛତ୍ରବଜାର ଅବା ବାଲେଶ୍ୱରର ନୂଆ ବଜାର ସବୁଠି ଦର ଉଣା-ଅଧିକେ ପ୍ରାୟ ସମାନ ।

ଟମାଟୋ ଖୁଚୁରା ଦରରେ ୭୦ରୁ ୮୦, ଦେଶୀ ପୋଟଳ ୬୦ରୁ ୭୦, ବାଇଗଣ ୭୦ରୁ ୮୦, ଭେଣ୍ଡି ୫୦ରୁ ୬୦ ଓ କଲରା ୮୦ ଟଙ୍କାରେ ବିକ୍ରି ହେଉଛି । ବାଲେଶ୍ୱର ହେଉ କି ବିନିକା, ରାଜ୍ୟର ଅନ୍ୟ ବଜାରରେ ବି ପରିବା ରେଟ୍ ଏତେ ଆକାଶଛୁଆଁ ଯେ, ଗରିବ ଓ ମଧ୍ୟବିତ୍ତ ଆଉ ହାଟ ଯିବାକୁ ଡରିଲେଣି ।

ସେପଟେ ନାଲି ଉଲି ପିଆଜର ଦୁଇଟି ଚିନ୍ତାଜନକ ଚିତ୍ର ଦେଖିବାକୁ ମିଳିଛି । ଗୋଟିଏ ରାଜଧାନୀ ବଜାରର ତ ଅନ୍ୟଟି ନୂଆପଡ଼ା କାଳିମାଟି ଗାଁରେ ଚାଷୀ ସାଇତି ଥିବା ଘରର । ଭୁବନେଶ୍ୱରରେ ଯେଉଁ ପିଆଜ କିଲୋ ପିଛା ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଛି, ସେଇ ପିଆଜ କାଳିମାଟି ଗାଁରେ ଚାଷୀ ୧୦ରୁ ୨୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି।

ପଢନ୍ତୁ ଏହି ଖବର: ପ୍ରତିବର୍ଷ ସମାନ ଅବସ୍ଥା, ବର୍ଷା ଆସିବା ମାତ୍ରେ ବାହାରୁଛି ଡ୍ରେନେଜ୍ ସମସ୍ୟା

ଇଏ ସେଠିକାର ଜଣେ ପିଆଜ ଚାଷୀ ପବିତ୍ର ହାତୀ, ଏସନ ୫୦ କୁଇଣ୍ଟାଲ ପାଖାପାଖି ପିଆଜ ଅମଳ କରିଛନ୍ତି । ହେଲେ ଏଇ ଭଙ୍ଗା ଦଦରା ଘରେ ସାଇତି ରଖିବା ଛଡା ଅନ୍ୟ ଉପାୟ ନାହିଁ । କାରଣ ତାଙ୍କ ଗାଁରେ ନାହିଁ ଶୀତଳ ଭଣ୍ଡାର । ତେଣୁ ବଜାରରେ ୪୦ ଟଙ୍କା ଉପରେ ପିଆଜ ଭାଉ ଚାଲିଥିବାବେଳେ ପଚିଯିବା ଆଶଙ୍କାରେ ସେ ଶାଗ ମାଛ ଦରରେ ବିକିବାକୁ ବାଧ୍ୟ ହେଉଥିବା କ୍ଷୋଭର ସହ କହିଛନ୍ତି ।

ଏଣେ ନୂଆପଡ଼ା ଉଦ୍ୟାନ ବିଭାଗ କିନ୍ତୁ ବଡ଼ ଟାଣପଣରେ କହୁଛି ତାଙ୍କ ପାଖେ ଅମଳ ପିଆଜ ରଖିବାକୁ କୁଆଡ଼େ ପର୍ଯ୍ୟାପ୍ତ ପରିମାଣର ସାଇତା ଗୃହ ଅଛି, ହେଲେ ଚାଷୀ ସେଠିକୁ ଆଣୁନାହାନ୍ତି ।

ଏଣେ ୨ ସପ୍ତାହରୁ ଅଧିକ ସମୟ ହେଲାଣି ଆକାଶଛୁଆଁ ପନିପରିବା ସହ ତାଳ ଦେଇ ଆଳୁ-ପିଆଜ ଦର ବି ବଢ଼ି ଚାଲିଛି । ଆଳୁ ଏବେ ୩୦ରୁ ୩୫ଟଙ୍କା ଓ ପିଆଜ ୪୦ରୁ ୪୫ ଟଙ୍କାରେ ବିକ୍ରି ହେଉଥିବା ଦେଖି ସଜାଗ ହୋଇଛନ୍ତି ରାଜ୍ୟ ସରକାର । ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି- ପରିବାର ବେଆଇନ୍ ‘ହୋର୍ଡିଂ ଉପରେ ନଜର ରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଆଳୁ ଓ ପିଆଜ ଯୋଗାଇବାକୁ ନାଫେଡକୁ କୁହାଯିବ ଏବଂ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଏବେ ଦେଖିବାର କଥା, କେବେ ଲାଗୁଛି ହୁ ହୁ ପରିବା ଦର ବୃଦ୍ଧିରେ ବ୍ରେକ୍।

ପଢନ୍ତୁ ଏହି ଖବର: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

OTV is now on Whatsapp

Join and get latest news update delivered to you via whatsapp

Join Now