ଉତ୍କଳ ସଂଗୀତ ମହାବିଦ୍ୟାଳୟ ନାଁରେ ସାଂଘାତିକ ଅଭିଯୋଗ । ମାର୍କ ବଢାଇ ଦେବାକୁ ପ୍ରଲୋଭନ ଦେଖାଇ ଶିକ୍ଷକ କରୁଛନ୍ତି କି ଶୋଷଣ ? କିଛିଦିନ ତଳେ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚାରେ ମହାବିଦ୍ୟାଳୟ । ଅନେକ ଛାତ୍ରଛାତ୍ରୀ କ୍ୟାମେରା ଆଗରେ ମୁହଁ ଖୋଲିବାକୁ ଡରୁଥିଲେ ବି ଗତ କିଛି ଦିନର ଘଟଣା ଉତ୍କଳ ସଂଗୀତ ମହାବିଦ୍ୟାଳୟକୁ ବିବାଦ ଘେରକୁ ଟାଣିଛି । ପ୍ରାୟ ମାସେ ଭିତରେ ଦୁଇଜଣ ମହିଳା ଅତିଥି ଅଧ୍ୟାପକ ଦୁର୍ବ୍ୟବହାର ପାଇଁ କଲେଜ ଛାଡ଼ିଛନ୍ତି ।
Also Read
କଲେଜର କିଛି ଅଧ୍ୟାପକଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । କଲେଜରେ ଫି ' ଆଦାୟ ନାଁରେ ଅଧିକ ଅର୍ଥ ଆଦାୟ ଓ ପିଲାମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । କେତେକ କ୍ଷେତ୍ରରେ ପିଲାଙ୍କ ମାର୍କ ପ୍ରକାଶ ନ କରି ହଇରାଣ କରାଯାଉଥିବା ନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ୨୦୧୮ରେ ଓଡ଼ିଶୀ କଣ୍ଠ ସଂଗୀତ ବିଭାଗର ଜଣେ ଅତିଥି ଅଧ୍ୟାପକ ଜଣେ ଦୃଷ୍ଟି ବାଧିତ ଛାତ୍ରୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଥିଲା ।
ସଂପୃକ୍ତ ଅଧ୍ୟାପକ ଏନେଇ ବିଭାଗୀୟ ମୁଖ୍ୟଙ୍କ ନିକଟରେ ଘଟଣାର ପୁନରାବୃତ୍ତି ହେବନି ବୋଲି ଲିଖିତ ଭାବେ ଜଣାଇବା ପରେ ତାଙ୍କ ବିରୋଧରେ ଆଉ କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ସଂପୃକ୍ତ ଅଧ୍ୟାପକ ଏବେ ବି କଲେଜରେ ଅଧ୍ୟାପନା କରୁଛନ୍ତି । ତେବେ ଅଧ୍ୟକ୍ଷ ଅଭିଯୋଗକୁ ଖଣ୍ଡନ କରିବା ସହ କଲେଜକୁ ବଦନାମ ପାଇଁ ଏଭଳି କରାଯାଉଥିବା କହିଛନ୍ତି । ତେବେ ଅଭିଯୋଗରେ ସତ୍ୟତା କେତେ ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି ।