କୋରାପୁଟ କୋଟିଆର ନିଦା ବାଉଁଶ ଉପରେ ଆନ୍ଧ୍ର ବ୍ୟବସାୟୀଙ୍କ ଆଖି। ଓଡ଼ିଶା ମାଟିରୁ କାଟି ନେଇ ମାଲେ ମାଲ ପଡ଼ୋଶୀ ରାଜ୍ୟର ମାଫିଆ। କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ ଭିତରେ ଥିବା କୋରଲା ହାରୁ ଓ ସୁନା ପାହାଡ଼ରୁ ବାଉଁଶ କାଟି ଆଣି ବିଡ଼ା ବାନ୍ଧିବା ପରେ ଦିନ ଦିପହରେ ବୋହି ନେଉଛନ୍ତି ଆନ୍ଧ୍ର ବ୍ୟବସାୟୀ।
Also Read
ଘଞ୍ଚ ଜଙ୍ଗଲରୁ ବାଉଁଶ କଟାଯିବା ପରେ ଟ୍ରାକ୍ଟର ଯୋଗେ ପ୍ରଥମେ ନେରେଡ଼ିବାଲସା ଓ ପରେ ଟ୍ରକ୍ ଯୋଗେ ସାର୍କି ହାଟ ଓ ସେଠାରୁ ଯାଉଛି ଆନ୍ଧ୍ରର ବିଜିୟନଗରମ୍। ଦୈନିକ ସ୍ପଷ୍ଟ ଦିବାଲୋକରେ ଓଡିଶା ସୀମା ଭିତରୁ ଏଭଳି ବେଆଇନ ଓ ଜବବଦସ୍ତି ଭାବେ ବାଉଁଶ ଚାଲାଣ ଜାରି ରହିଥିବାରୁ ଏହାର ବିରୋଧ କରିଛନ୍ତି ସ୍ଥାନୀୟ ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ପରିବେଶବିତ।
କୋଟିଆ କାହାର, ଏ ନେଇ ସୁପ୍ରିମକୋର୍ଟରେ ଏବେ ମାମଲା ବିଚାରାଧୀନ। ଏପରିସ୍ଥଳେ ଓଡ଼ିଶା ସୀମା ଭିତରୁ କେମିତି ବାଉଁଶ ବୋହି ନେଉଛି ଆନ୍ଧ୍ର ? ପଡ଼ୋଶୀ ରାଜ୍ୟର ବ୍ୟବସାୟୀଙ୍କୁ କିଏ ଦେଉଛି ବାଉଁଶ କାଟିବାକୁ ଅନୁମତି ? ଏ ସମ୍ପର୍କରେ ଓଟିଭିର ତନାଘନା ପରେ ଜାଣିବାକୁ ମିଳିଛି, ଯେ କୋରାପୁଟକୁ ଲାଗିଥିବା ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍ ମାନ୍ୟମ ଜିଲ୍ଲାର ଡିଏଫଓଙ୍କ ଅନୁମତି ପତ୍ର ବଳରେ ବାଉଁଶ କାଟୁଛନ୍ତି ଆନ୍ଧ୍ର ବ୍ୟବସାୟୀ।
ଏ କଥା ଜଣାପଡ଼ିବା ପରେ କୋରାପୁଟ ଡିଏଫଓ, ପାର୍ବତୀପୁରମ୍ ମାନ୍ୟମ୍ ଡିଏଫଓଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ପରେ ଏବେ ବାଉଁଶ କଟା ବନ୍ଦ ରହିଥିବା ସୂଚନା ଦେଇଛନ୍ତି କୋରାପୁଟ ଡିଏଫ୍ଓ।
- Reported by:
- Surya Narayan Panda