/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727491172.jpg)
Bhadrak Curfew
ସୋସିଆଲ୍ ମିଡିଆରେ ଏକ ପୋଷ୍ଟକୁ ନେଇ ଭଦ୍ରକରେ ତୁମୁଳକାଣ୍ଡ ପରେ ଭଦ୍ରକ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗି ଧାରା ୧୬୩ । ସହରରେ କିଭଳି ଶାନ୍ତି ଫେରିବ ସେନେଇ ପୋଲିସ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି । ସହରରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଅନେକ ଅଫିସର ନିୟୋଜିତ କରାଯାଇଛି ।
ପୋଲିସ୍ ଫ୍ଲାଗମାର୍ଚ୍ଚ ସହ ଭେଇକିଲ ପେଟ୍ରୋଲିଂ ମାର୍ଚ୍ଚ କରିଛି । ଗାଡ଼ି ଗୁଡ଼ିକୁ ଯାଞ୍ଚ ସହ ନାକାବନ୍ଦି କରାଯାଉଛି । ଲୋକଙ୍କୁ ଏକାଠି ହେବା ଉପରେ କଟକଣା ରହିଛି । ସେହିଭଳି ଧାମନଗରରେ ମଧ୍ୟ ଉତ୍ତେଜନାମୂଳକ ସ୍ଥିତି ଥିବାରୁ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ, ଦୋବଲ ଓ ଏହାର ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ହୋଇଥିବା ବେଳେ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।
ପୁରୁଣା ବଜାର ଥାନାରେ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସହ ପୋଲିସ ଡିଆଇଜି, ଭଦ୍ରକ ଏସପି, ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚଳ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ୍ଚ କରିଛନ୍ତି । ଶାନ୍ତି କମିଟି ସହ ଆଲୋଚନା କରାଯାଇଛି ।
ଡିଆଇଜି କହିଛନ୍ତି ଯେ ବିବାଦୀୟ ପୋଷ୍ଟକୁ ନେଇ ସାଇବର ସେଲ ତଦନ୍ତ କରୁଛି । ପୋଷ୍ଟରେ ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କିନ୍ତୁ ସର୍ବସାଧାରଣ ସ୍ଥାନରେ ପୋଲିସକୁ ଆକ୍ରମଣ ଓ ସରକାରୀ ସମ୍ପତ୍ତି ନଷ୍ଟ କରିବା ସହ ଅଶାନ୍ତି ସୃଷ୍ଟି କରିବା ସହ ଉପଦ୍ରବ କରିଥିବା ଓ ଢେଲା ମାଡ଼ କରିଥିବା କୌଣସି ବ୍ୟକ୍ତିକୁ ଛଡାଯିବ ନାହିଁ ବୋଲି କହିଛନ୍ତି ଡିଆଇଜି ।
ଦୋକାନ ବଜାର ଖୋଲିବା ଉପରେ ନିର୍ଦ୍ଧିଷ୍ଟ ସମୟ ଦିଆଯିବ ବୋଲି ଡିଆଇଜି କହିଛନ୍ତି । ସୋସିଆଲ୍ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟ କରିଥିବା ଜଣେ ଅଭିଯୁକ୍ତଙ୍କ ଗିରଫ ଦାବି କରି ରାଲି ଚାଲିଥିବା ବେଳେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ୩ ପୋଲିସ ଅଧିକାରୀ ଆହତ ହୋଇଥିଲେ। ତା’ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡ଼ି ବି ଭଙ୍ଗାରୁଜା ହୋଇଥିଲା । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ସହରରେ ଫ୍ଲାଗମାର୍ଚ୍ଚ କରିଛି । ଏହି ଘଟଣାରେ ପୋଲିସ ୯ଜଣଙ୍କୁ ଅଟକ ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)