ମ୍ୟାଟ୍ରିକରେ A1 ଗ୍ରେଡ ରଖୁବାକୁ ଚାହୁଁଛନ୍ତି କି ? ତେବେ ହୋଇଯାଆନ୍ତୁ ପ୍ରସ୍ତୁତ । କାରଣ ସରକାରଙ୍କ ତରଫରୁ ଏଥିପାଇଁ ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ । ଛାତ୍ରଛାତ୍ରୀଙ୍କୁ ମ୍ୟାଟ୍ରିକରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ୱର ରଖିବାରେ କରାଯାଉଛି ସାହାଯ୍ୟ । ଫେଵୃୟାରୀ ୨୧ରେ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ ଆଗୁଆ ପିଲାମାନଙ୍କୁ ପ୍ରସ୍ତୁତ କରାଯାଉଛି । ପୁରୀ ଜିଲ୍ଲାରେ A1 ମାର୍କ ରଖିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କ୍ଳାସର ଆୟୋଜନ କରାଯାଇଛି। ଯାହାଦ୍ୱାରା ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।
Also Read
ଅଧିକ ପଢ଼ନ୍ତୁ: ବାଜିଲା ଖବର, ଆକାଉଣ୍ଟରେ କ୍ରେଡିଟ ହେଲା ୮୦ ହଜାର
ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ସ୍ମାର୍ଟ କ୍ଲାସ । ଚଳିତ ବର୍ଷ ସବୁ ସ୍କୁଲରେ କିଭଳି ଶତ ପ୍ରତିଶତ ରେଜଲ୍ଟ ହେବ ଓ ପ୍ରତି ସ୍କୁଲରୁ ଅନୁନ୍ୟ ୧୦ ପ୍ରତିଶତ ଛାତ୍ରଛାତ୍ରୀ A1ରେ ଉତ୍ତୀର୍ଣ୍ଣ ହେବେ ସେଥିପାଇଁ ପୁରୀ ସଦର ଓ ପୁରୀ ପୌରପାଳିକା ଅଞ୍ଚଳର ୨୪୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍ୱତନ୍ତ୍ର କ୍ଲାସ୍ ଚାଲିଛି । ବିଭିନ୍ନ ବିଦ୍ୟାଳୟରୁ ବଛା ଯାଇଥିବା ଛାତ୍ରଛାତ୍ରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ସେମାନଙ୍କୁ ୨ ଦିନ ଧରି କୋଚିଂ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି । ଏଥିରେ ପିଲାମାନଙ୍କର ସବଜେକ୍ଟ ଗୁଡିକରେ ଥିବା ସନ୍ଦେହକୁ ଏକ୍ସପଟ୍ମାନଙ୍କ ଦ୍ବାରା ଦୂରୀକରଣ କରାଯାଉଛି । ଏହାସହ ପରୀକ୍ଷାକୁ ଭୟ ନ କରିବା ଓ ପ୍ରତି ବିଷୟରେ ଅଧିକ ନମ୍ୱର ରଖିବାର ଟିପ୍ସ ଦିଆଯାଉଛି ।
ବର୍ଷ ତମାମ ପରିଶ୍ରମ କରିଥିଲେ ମଧ୍ୟ ପରୀକ୍ଷା ସମୟରେ ଛାତ୍ରଛାତ୍ରୀ ଛୋଟ ମୋଟ ତ୍ରୁଟି ବିଚ୍ୟୁତି କରିଦିଅନ୍ତି । ତେଣୁ ଏହି ପ୍ରଶିକ୍ଷଣ ଦ୍ୱାରା ପିଲାମାନେ ସମୟ ପରିଚାଳନା, ମାନସିକ ସ୍ତରରେ ପ୍ରସ୍ତୁତ ରହିବା, ଜଟିଳ ପ୍ରଶ୍ନ ଗୁଡିକର ଉତ୍ତର ଲେଖିବା ସମ୍ପର୍କରେ ଅଭିଜ୍ଞ ଶିକ୍ଷକଙ୍କ ମାଧ୍ୟମରେ ବୁଝି ପାରିବେ । ଆଶା କରାଯାଉଛି ଏ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦ୍ୱାରା ଛାତ୍ରଛାତ୍ରୀ ମାଟ୍ରିକରେ ଭଲ ରେଜଲ୍ଟ କରିବେ ଓ ସମସ୍ତଙ୍କୁ ଗର୍ବିତ କରିବେ ।