• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଡପ ମଣ୍ଡପ ପହଣ୍ଡି ଦିନ ବଡଠାକୁର ରଥ ଉପରେ ପଡ଼ିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି । ମହାପ୍ରଭୁ ବଳଭଦ୍ରଙ୍କ ବାଡଗ୍ରାହୀଙ୍କୁ ଡାକି ପଚରାଉଚରା କରିଛି ତିନିଜଣିଆ କମିଟି । ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀଙ୍କ ସମେତ ବରିଷ୍ଠ ଦଇତାପତି ସେବକ ମାନଙ୍କୁ ମଧ୍ୟ ପଚରା ଉଚରା କରାଯାଇଛି । ଭିଡିଓ ଦେଖାଇ ତିନି ଜଣିଆ କମିଟି ଏଡିଏମ୍, ନୀତି ପ୍ରଶାସକ, ସିଟି DSP ତଦନ୍ତ କରୁଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭର୍ଚୁଆଲରେ ରହିଥିଲେ ।

ଗତ ଜୁଲାଇ ୯ ତାରିଖରେ ଆଡପ ପହଣ୍ଡି ବେଳେ ଘଟିଥିଲା ଏହି ଅଘଟଣ । ତେବେ ନୀଳାଦ୍ରି ବିଜେ ଜୁଲାଇ ୧୯ ତାରିଖରୁ ଶେଷ ହେଲାଣି। ୧୦ ଦିନ ଭିତରେ ଅର୍ଥାତ୍ ଜୁଲାଇ ୨୯ ତାରିଖ ସୁଦ୍ଧା କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା କଥା । କିନ୍ତୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି।

ଅଧିକ ପଢ଼ନ୍ତୁ: ଅବକାରୀ ସ୍କାନରରେ ବେଆଇନ୍ ମଦ ଦୋକାନ; ଯାଞ୍ଚ ପାଇଁ ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ

ସୂଚନା ଅନୁସାରେ ଗତ ଜୁଲାଇ ୯ ତାରିଖରେ ଆଡ଼ପ ପହଣ୍ଡି ବେଳେ ଘଟିଥିଲା ଅଭାବନୀୟ ଘଟଣା । ଶରଧାବାଲିରୁ ଗୁଣ୍ଡିଚା ମନ୍ଦିରକୁ ପହଣ୍ଡି ବେଳେ ଚାରରେ ଖସି ପଡ଼ିଥିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥରୁ ସେବାୟତମାନେ ବଡ଼ ଠାକୁରଙ୍କୁ ପହଣ୍ଡି କରି ଚାରମାଳ ଦେଇ ଆଣୁଥିବା ବେଳେ ହଠାତ୍ ଚାରମାଳ ଉପରେ ଖସି ପଡ଼ି ହାମୁଡେଇ ପଡିଥିଲେ ବଳଭଦ୍ର ।

ଏହି ଅଘଟଣରେ ୭ରୁ ଅଧିକ ସେବାୟତ ଆହତ ମଧ୍ୟ ହୋଇଛନ୍ତି । ତେବେ ଏହି ଘଟଣା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି । ଗତବର୍ଷ ମଧ୍ୟ ଆଡ଼ପ ପହଣ୍ଡିବେଳେ ନନ୍ଦିଘୋଷ ରଥରେ ହାମୁଡ଼େଇ ପଡିଥିଲେ ପ୍ରଭୁ ଜଗନ୍ନାଥ । ଏବର୍ଷ ସେହିଭଳି ଘଟଣାର ପୁନରାବୃତ୍ତି ଭକ୍ତ ମହଲରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି।

ଆଡ଼ପ ପହଣ୍ଡି ମହାବିଭ୍ରାଟକୁ ନେଇ ସାରା ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ଏଭଳି ଅକ୍ଷମଣୀୟ ସ୍ଥିତି ପାଇଁ ନଇଁ ଯାଇଛି ପ୍ରତି ଓଡ଼ିଆଙ୍କ ମଥା। ଖୋଦ୍ ଗଜପତି ମହାରାଜା ବି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଥିଲା ବେଳେ ଅଘଟଣର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା । ତେବେ କେଉଁ ପରିସ୍ଥିତିରେ ଏତେ ବଡ଼ ବିଭ୍ରାଟ ହେଲା କମିଟି ତା’ର ତଦନ୍ତ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now