ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଗୁରୁଗାଓଁର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏହାକୁ ନେଇ ଚିନ୍ତିତ ଅଛନ୍ତି ସିନେ ପ୍ରେମୀ । ଉତ୍ତମ... ନାଁ ସହିତ ମେଳ ଖାଏ ତାଙ୍କ ଅଭିନୟ । ଓଡ଼ିଆ ସିନେମା ଜଗତରେ ସେ ଏକ ମାଇଲଖୁଣ୍ଟ l କେତେବେଳେ ଦର୍ଶକଙ୍କ ପାଇଁ ଦଣ୍ଡାବାଳୁଙ୍ଗା ସାଜିଛନ୍ତି, ତ ପୁଣି କେତେବେଳେ ଅନେକ ଚଳଚ୍ଚିତ୍ରରେ ସାଧାରଣ ରାଜୁ ନାଁଟିଏକୁ ନେଇ ସେ ଘରେ ଘରେ ପରିଚିତ ହୋଇଛନ୍ତି ।
ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରନ୍ତି । ସେ ହେଉଛନ୍ତି ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । ଅଭିନେତ୍ରୀ ଅପରାଜିତା ଓ ଉତ୍ତମଙ୍କ ଯୋଡିକୁ ଦେଖିବାକୁ ସିନେ ପ୍ରେମୀ ବେଶ୍ ପସନ୍ଦ କରନ୍ତି । ସେ ଅପରାଜିତାଙ୍କ ହାତ ଧରିବା ପରେ ଏହି ଯୋଡି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆହୁରି ଅନେକ ସୁପରହିଟ ଫିଲ୍ମ ଭେଟିଦେଇଛନ୍ତି । ଯାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି । ୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ୧୩୫ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ ସିନେମା ସହ ୩୦ରୁ ଅଧିକ ବେଙ୍ଗଲୀ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ଉତ୍ତମ । ସେ ଏବେ ଗୁରୁତର ଭାବେ ଅସୁସ୍ଥ ଅଛନ୍ତି । ସେ ଡାକ୍ତରଖାନର ICUରେ ଚିକିତ୍ସିତ ଅଛନ୍ତି । ଉତ୍ତମଙ୍କ ଚିକିତ୍ସା ଜାରି ରହିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି । ଉତ୍ତମ ଜଣେ ଭଲ ଅଭିନତା ସହ ଜଣେ ଖୁବ ଭଲ ମଣିଷ l ଓଟିଭି ପରିବାର ପକ୍ଷରୁ ଉତ୍ତମଙ୍କ ଖୁବ୍ ଶୀଘ୍ର ସୁସ୍ଥତା ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l
Also Read
ଅଧିକ ପଢନ୍ତୁ:ଏୟାରଲିଫ୍ଟ ହେଲେ ବିଶିଷ୍ଟ ଅଭିନେତା ଉତ୍ତମ ମହାନ୍ତି, ଏହି ରୋଗରେ ଅଛନ୍ତି ପୀଡିତ
ଗତକାଲି ଓଡ଼ିଆ ଅଭିନେତା ଉତ୍ତମ ମହାନ୍ତିଙ୍କୁ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ତାଙ୍କୁ ଏୟାରପୋର୍ଟ ନିଆଯାଇଥିଲା l ସେଠାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଗୁରୁଗାଓଁର ଏକ ହସ୍ପିଟାଲକୁ ନିଆଯାଇଥିଲା । ସେ ଫିଲ୍ମ ସୁଟିଂ ପାଇଁ ଯାଇଥିବା ବେଳେ ଗୁରୁତର ହୋଇଥିଲେ । ଏହି ଖବର ଶୁଣି ସମସ୍ତ ସିନେ ପ୍ରେମୀ ଦୁଃଖ ପ୍ରକାଶ କରିଥିଲେ ।