• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ସମସ୍ତଙ୍କ ପରି ସେ ମଧ୍ୟ ସ୍ବପ୍ନ ଦେଖିଥିଲେ, ଦିନେ ସୁନାର ସଂସାରଟିଏ ଗଢିବେ ଯେଉଁଠି ଖାଲି ସୁଖ ହିଁ ସୁଖ ଥିବ । ବିଧାତାଙ୍କ ବିଚାର କିନ୍ତୁ ଅନ୍ୟଥିଲା । ଦୁଃଖ ଛଡ଼ା ସୁଖ ତାଙ୍କ ଜୀବନକୁ ଛୁଇଁଲାନି । ଆଖିରେ ଅସରାଏ ଲୁହ ଓ ପେଟରେ ମେଞ୍ଚାଏ ଭୋକ ଛଡ଼ା ଆଉ ଏବେ ଯେମିତି କିଛି ନାହିଁ । ଏ ହେଉଛନ୍ତି ନୂଆପଡା ଜ଼ିଲ୍ଲା ବୋଡେନ ବ୍ଲକ ଖଇରଭାଡ଼ି ଗାଁର ପାର ହଂସ । ସେ ସିନା ଦିବ୍ୟାଙ୍କ... ହେଲେ ସଂସାର ଦୁଃଖର ପାହାଡ଼ଟା ଯେମିତି ତାଙ୍କ ମୁଣ୍ଡ ଉପରେ ଛିଡ଼ି ପଡ଼ିଛି ।

ପାର ଠିକ୍‌ରେ ଚାଲିପାରନ୍ତିନି । ସ୍ୱାମୀ ବି କେବେଠୁ ତାଙ୍କ ହାତ ଛାଡ଼ି ପରପାରିକୁ ଚାଲିଗଲେଣି । ବହୁ କଷ୍ଟେମଷ୍ଟେ ପାର ତାଙ୍କ ତିନି ଝିଅଙ୍କୁ ନେଇ ପରିବାର ପ୍ରତିପୋଷଣ କରୁଛନ୍ତି । ବଡ଼ ଝିଅ ମାଳତି ହଂସଙ୍କୁ ୨୪ ବର୍ଷ ହେଲାଣି । ହେଲେ ସେ ମାନସିକ ବିକାରଗ୍ରସ୍ତ । ମଝିଆ ଝିଅ କୁନି ହଂସଙ୍କୁ ୧୯ ବର୍ଷ ହୋଇଥିଲେ ବି ସେ ଶାରୀରିକ ଅକ୍ଷମ । ଆଉ ୧୪ ବର୍ଷୀୟ ସାନ ଝିଅ ଗାୟତ୍ରୀ ହଂସ, ବର୍ତ୍ତମାନ ମହୁଲପଡା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଛନ୍ତି । ତାଙ୍କର ମଧ୍ୟ ଅନେକ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି । ପରିବାରରେ ରୋଜଗାର କ୍ଷମ କେହି ନ ଥିବାବେଳେ ମିଳୁଥିବା ୩୫ କେଜି ଚାଉଳ ଏବଂ ବଡ଼ ଝିଅ ମାଳତି ଓ ମାଆ ପାର ପାଉଥିବା ଦିବ୍ୟାଙ୍ଗ ଭତ୍ତା ହିଁ ସେମାନଙ୍କ ବଞ୍ଚିବାର ରାହା ପାଲଟିଛି ।

ପାର ହଂସଙ୍କ ପରିବାରର ଦୂରାବସ୍ଥା ଦେଖି ସମସ୍ତେ ଆହା କରୁଛନ୍ତି ସତ । ହେଲେ ଆଖି ଲୁହ ପୋଛିବାକୁ କେହି ନାହିଁ । ସମସ୍ତଙ୍କ ଅକ୍ଷମତା ଯେମିତି ଏମାନଙ୍କୁ ବୋଝ ଉପରେ ନଳିତା ବିଡ଼ା ପାଲଟିଛି । ଏନେଇ ବୋଡେନ ମେଡିକାଲ ଇନ୍ ଚାର୍ଜ ଡାକ୍ତର ସଞ୍ଜୀବ ନାଏକଙ୍କୁ ପଚାରିବାରୁ, ଏକ ସ୍ବାସ୍ଥ୍ୟ ଟିମ୍ ପଠାଯିବ ଓ ପରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେହିପରି ବୋଡ଼େନ ବିଡ଼ିଓ ମଧ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ଏ ଅସହାୟ ପରିବାର ଉପରେ କେବେ ପଡ଼ୁଛି ପ୍ରଶାସନର ଆଖି । ସରକାରୀ ଅଧିକାରୀମାନେ ଏମାନଙ୍କ ପାଇଁ କେବେ ବଢ଼ାଉଛନ୍ତି ସହାୟତାର ହାତ ।

OTV is now on Whatsapp

Join and get latest news update delivered to you via whatsapp

Join Now