/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730447353.jpg)
80-Year-Old Woman Seeks Government Aid
‘ମୋତେ କିଛି ମିଳୁନି, ଚାଉଳ ବି ମିଳୁନି । ମୁଁ ମାଗି ମାଗି ଖାଉଛି । ଆମର କିଛି କରେଇ ଦେଉନ । ଘର ଦିଅ, ଚାଉଳ ଦିଅ । ମୁଁ କେମିତି ଚଳିବି । ମୁଁ ଗାଁ ଗଣ୍ଡା ଯାଇ ଖାଇବା ଆଣୁଛି। କୋହ ଭରା କଣ୍ଠରେ ଏମିତି କହିଛନ୍ତି ବଡ଼ମ୍ବା ବ୍ଲକ ନିଜିଗଡ଼ ପଞ୍ଚାୟତର ୧୦ ନଂ ୱାର୍ଡର ବାସିନ୍ଦା ଜାନକୀ ଗୁରୁ ।
ବୟସ ୮୦ ଛୁଇଁଲାଣି । ଅଣ୍ଟା ଭାଙ୍ଗି ପଡ଼ିଲାଣି । ଚମ ବି ଧୁଡ଼ୁଧୁଡ଼ୁ ହେଲାଣି । ଏତେ ବୟସ ସତ୍ତ୍ୱେ ମିଳୁନି ସରକାରୀ ସହାୟତା । ସେ ରାସନ ହେଉ କି ଅନ୍ୟ କିଛି ସରକାରୀ ସୁବିଧା । ସତେ ଯେମିତି ଏ ମାଉସୀଙ୍କ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଛି ।
ବଡ଼ମ୍ବା ବ୍ଲକ ନିଜିଗଡ଼ ପଞ୍ଚାୟତର ୧୦ ନଂ ୱାର୍ଡର ବାସିନ୍ଦା ଜାନକୀ ଗୁରୁ । ସେ ଜଣେ ବିଧବା ଓ ଦିବ୍ୟାଙ୍ଗ । ନୁଆଁଣିଆ ଅଧା ଭଙ୍ଗା ଘରେ ଜରିପାଲ ଢାଙ୍କି ଦିନ କାଟୁଛନ୍ତି ସେ । ନିରକ୍ଷରତା ଏବଂ ଦିବ୍ୟାଙ୍ଗ କାରଣରୁ ଆଧାର କାର୍ଡ ବି ତାଙ୍କର ହୋଇ ପାରିନି। ବିନା ଆଧାର କାର୍ଡରେ ସରକାରୀ ବ୍ୟବସ୍ଥାରେ ପତ୍ର ନ ହଲିବାର ବ୍ୟବସ୍ଥା ଥିବାରୁ ଜାତୀୟ ଖାଦ୍ୟ ସୁରକ୍ଷା କାର୍ଡରେ ନାଁ ଥାଇ ମଧ୍ୟ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଜାନକୀ ।
ଅଧିକ ପଢ଼ନ୍ତୁ: ହୃଦୟ ବିଦାରକ ଦୃଶ୍ୟ: ଭଙ୍ଗାଘରେ ୬ ପ୍ରାଣୀ କୁଟୁମ୍ବ, ସରକାରୀ ଆବାସରୁ ବଞ୍ଚିତ ପରିବାର
ସାହି ପଡ଼ିଶା ଏବଂ କିଛି ସ୍ୱେଚ୍ଛାସେବୀ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଉଥିବାରୁ ଜାନକୀଙ୍କ ଚୁଲି ଜଳୁଛି । ତାହା ପୁଣି ଗୋଟିଏ ଦିନ ପାଇଁ। ହେଲେ ଆଉ ଗୋଟିଏ ଦିନକୁ ନାହିଁ । ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମରେ ଜାନକୀ ଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଦୁଇଓଳି ଖାଇବାକୁ ସଂଗ୍ରାମ କରୁଥିବା ଏହି ବୃଦ୍ଧାଙ୍କ ପାଇଁ ଆବାସ ଖଣ୍ଡେ ବି ସାତ ସପନ ପାଲଟିଛି ।
ଜାନକୀଙ୍କ ବାର୍ଦ୍ଧକ୍ୟ ଜନିତ ପ୍ରୋତ୍ସାହନ ରାଶି ପାଇଁ ଆଧାର ସଂଯୋଗ ହୋଇନଥିବାରୁ ଭତ୍ତା କଟିଯିବ ବୋଲି ପଞ୍ଚାୟତ ପିଇଓ କହିଲେଣି । ଏନେଇ ସ୍ଥାନୀୟ ବିଡିଓ ରମେଶ କୁମାର ଜେନାଙ୍କ ସହ ଯୋଗାଯୋଗ କରିବାରୁ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ଏବଂ ତୁରନ୍ତ ଚାଉଳ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)