Diarrhea
ଯାଜପୁରରେ ସୋମବାର ରାତିରୁ ଆରମ୍ଭ ହୋଇଥିବା ଝାଡ଼ାବାନ୍ତି ଅଣାୟତ୍ତ ହେବାରେ ଲାଗିଛି। ଆଉ ୨ ଜଣଙ୍କ ମୃତ୍ୟୁ ସହ ମୋଟ ଝାଡ଼ାବାନ୍ତି ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ସେପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ଟପିଛି । ଜିଲ୍ଲାର ଦୁଇଟି ମ୍ୟୁନିସପାଲିଟି ଏବଂ ୪ଟି ବ୍ଲକରେ ଝାଡାବାନ୍ତି ବ୍ୟାପିଛି। ସ୍ଥିତି ନିୟନ୍ତ୍ରଣକୁ ଆଣିବା ଲାଗି ୩ଟି ରାଜ୍ୟସ୍ତରୀୟ ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ହସପିଟାଲ ଓ ପ୍ରଭାବିତ ଅଂଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି।
ଅଧିକ ପଢ଼ନ୍ତୁ: ଅହମ୍ମଦାବାଦ ପୋଲିସ୍ କମିଶନରଙ୍କ ବଡ଼ ବୟାନ; କହିଲେ, ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା
ଯାଜପୁର ଜିଲ୍ଲାରେ ଲାଗି ରହିଥିବା ଝାଡ଼ାବାନ୍ତି ଆତଙ୍କରେ ଲାଗୁନି ବ୍ରେକ୍। ଦିନକୁ ଦିନ ସ୍ଥିତି ଖରାପ ଆଡକୁ ଗତି କରୁଥିବା ବେଳେ ଆଉ ଦୁଇ ଜଣଙ୍କ ମୃତ୍ୟୁ ପରେ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଯାହା ସ୍ବାସ୍ଥ୍ୟ ବିଭାଗ ପାଇଁ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ। ଜିଲ୍ଲାର ଦାନଗଦି, ଧର୍ମଶାଳାରେ ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ରହିଛି। ଏହା ସହ ଜିଲ୍ଲାର ୨ ମ୍ୟୁନିସିପାଲଟି ଯାଜପୁର ଓ ଯାଜପୁର ରୋଡ୍ ଏବଂ ୪ଟି ବ୍ଲକ ଦାନଗଦି, କୋରେଇ, ଧର୍ମଶାଳା, ବଡ଼ଚଣାରେ ବି ସ୍ଥିତି ଅତ୍ୟନ୍ତ ଗମ୍ଭୀର। ଏବେ ଯାଏ ୫ଶହରୁ ଅଧିକ ଆକ୍ରାନ୍ତ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସେପଟେ ସ୍ଥିତି ପରଖିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ନିଜେ ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍। ଧର୍ମଶାଳା ଡାକ୍ତରଖାନାରେ ସେ ସ୍ଥିତି ଯାଞ୍ଚ କରିଛନ୍ତି ।
ଜିଲ୍ଲାରେ ସୃଷ୍ଟି ହୋଇଥିବା ସମସ୍ୟାକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ସବୁ ରୋଗୀଙ୍କ ପାଖରେ ଗୋଟିଏ ଲକ୍ଷଣ ଝାଡାବାନ୍ତି । ଆଗ ପେଟ କାଟୁଛି, ତା ପରେ ବାନ୍ତି-ଝାଡା ହେଉଛି। ମୁଖ୍ୟତଃ ଡିହାଇଡ୍ରେସନ ପାଇଁ ମୃତ୍ୟୁ ହେଉଛି। ବର୍ତ୍ତମାନ ପର୍ଯ୍ୟନ୍ତ ଧର୍ମଶାଳା ଓ ଯାଜପୁର ମେଡିକାଲ କଲେଜ ହସ୍ପିଟାଲରେ ୨୦୦ ବେଡ୍ ବଢ଼ା ଯାଇଛି। ରାସ୍ତା କଡ ଖାଦ୍ୟର ଯାଞ୍ଚ କରୁଛି ଖାଦ୍ୟ ନିରାପତ୍ତା ବିଭାଗ।ଘରକୁ ଘର ବୁଲି ଝାଡାବାନ୍ତି ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପଟେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ ଗାଁରେ ପହଁଚି ଜଳ ଓ ଝାଡା ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ୩ଟି ରାଜ୍ୟସ୍ତରୀୟ ମେଡିକାଲ୍ ଟିମ୍ ଜିଲ୍ଲାର ବିଭିନ୍ନ ହସପିଟାଲ ଓ ପ୍ରଭାବିତ ଅଂଚଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ଏହି ଟିମରେ ଡାକ୍ତର, ମାଇକ୍ରୋ ବାୟୋଲୋଜିଷ୍ଟ, ଖାଦ୍ୟ ନିରାପତ୍ତା ଅଧିକାରୀ ରହିଛନ୍ତି। ରିପୋର୍ଟ ଆସିଲେ କେଉଁ କାରଣ ପାଇଁ ଏହି ରୋଗ ବ୍ୟାପୁଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Diarrhea_1749740819.jpg)