Advertisment

ଅଡୁଆରେ ଜୋମାଟୋ, କ୍ଷମା ମାଗିଲା ଫୁଡ୍ ଡେଲିଭରି କମ୍ପାନି

ହିନ୍ଦୀ ପାଇଁ ଅଡୁଆରେ ଜୋମାଟୋ । ଶେଷରେ କ୍ଷମା ମାଗିବାକୁ ବାଧ୍ୟ ହେଲା  ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ।  ବିବାଦ ଉଗ୍ରରୂପ ନେବା ଆଗରୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛି ଜୋମାଟୋ । ଡେଲିଭରି କମ୍ପାନି ଜୋମାଟୋ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଚେନ୍ନାଇର ଜଣେ ଗ୍ରାହକ ଜୋମାଟୋ ଉପରେ ସଙ୍ଗୀନ୍ ଆରୋପ ଲଗାଇଛନ୍ତି।

author-image
Pallipuspa Samal
ଅଦ୍ୟତନ ହୋଇଛି
zomato problem

zomato problem

ନୂଆଦିଲ୍ଲୀ: ପିଛା ଛାଡୁନି ବିବାଦ। ମାତ୍ର କେଇଟା ଦିନ ପରେ ପୁଣି ଥରେ ବିବାଦ ମୁଣ୍ଡ ଟେକିଛି। ଚର୍ଚ୍ଚାକୁ ଆସିଛି ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ। ହିନ୍ଦୀ ଭାଷାକୁ ନେଇ ଅଡୁଆ ସୂତାରେ ଛନ୍ଦି ହୋଇ ପଡିଛି ଏହି କଂପାନୀ। ଶେଷରେ ବିବାଦ ଉଗ୍ରରୂପ ନେବା ଆଗରୁ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛି ଜୋମାଟୋ।

Advertisment

ସୂଚନା ଅନୁସାରେ ହିନ୍ଦୀ ଭାଷାକୁ ନେଇ ଫୁଡ୍ ଡେଲିଭରି କମ୍ପାନି ଜୋମାଟୋ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଚେନ୍ନାଇର ଜଣେ ଗ୍ରାହକ ଜୋମାଟୋ ଉପରେ ଏହି ଆରୋପ ଲଗାଇଛନ୍ତି। ଅଭିଯୋଗ ଅନୁସାରେ, ଜୋମାଟୋ କମ୍ପାନୀର ଜଣେ କର୍ମଚାରୀ ତାଙ୍କ ସହିତ ଭାଷାକୁ ନେଇ ଯୁକ୍ତି କରିଥିଲେ । ଯାହାର ସ୍କ୍ରିନ୍ ସଟ୍ ସେ ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ପରେ ବିବାଦ ମୁଣ୍ଡ ଟେକିଥିଲା । ଚେନ୍ନାଇରେ ରହୁଥିବା ବିକାଶ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖକୁ କୌଣସି ଖାଦ୍ୟ ଆସି ନ ଥିଲା। ଏହା ପରେ ସେ ଜୋମାଟୋ କମ୍ପାନୀ ସହ ସମ୍ପର୍କ କରିଥିଲେ। ହେଲେ କମ୍ପାନୀ ପ୍ରତିନିଧି ଅଭିଯୋଗ ସଂପର୍କରେ ବିକାଶଙ୍କ ସହିତ ହିନ୍ଦୀରେ କଥା ହେବାକୁ କହିଥିଲେ। ହେଲେ ବିକାଶ ତାଙ୍କୁ ତାମିଲରେ କଥା ହେବାକୁ କହିଥିଲେ। ଯାହାକୁ ନେଇ ଦୁହିଁଙ୍କ ଭିତରେ କିଛି ସମୟ କଥା କଟାକଟି ହୋଇଥିଲା ।

Advertisment

 ବିକାଶଙ୍କୁ ଜୋମାଟୋ କମ୍ପାନୀର ପ୍ରତିନିଧି କହିଥିଲେ, ହିନ୍ଦୀ ଆମର ଜାତୀୟ ଭାଷା। ତେଣୁ ସମସ୍ତେ ହିନ୍ଦୀ ଭାଷାକୁ ଶିଖିବା ଉଚିତ୍। ଏହା କହି ସେ ବିକାଶଙ୍କୁ ଅପଦସ୍ତ କରିବା ସହ ଟଙ୍କା ରି-ଫଣ୍ଡ କରିବାକୁ ମନା କରି ଦେଇଥିଲେ। ଏ କଥାକୁ ବିକାଶ ନିଜ ଟୁଇଟରେ ପୋଷ୍ଟ କରିବା ସହିତ ଜୋମାଟୋ କମ୍ପାନୀ ଉପରେ ଅଭିଯୋଗ ଆଣିଥିଲେ। ହିନ୍ଦୀ ଜାଣିନଥିବାରୁ ତାଙ୍କୁ ଟଙ୍କା ମିଳିଲା ନାହିଁ ବୋଲି ଟ୍ୱିଟ୍ କରିଥିଲେ। ଏହାର କିଛି ସମୟ ଭିତରେ ସୋସିଆଲ୍ ମିଡିଆରେ ‘ରିଜେକ୍ଟ ଜୋମାଟୋ’ ହାସ ଟ୍ୟାଗ ଟ୍ରେଣ୍ଡ କରିଥିଲା।

ଜୋମାଟୋ ବିରୋଧରେ ବିକାଶଙ୍କ ଏପରି ଅଭିଯୋଗ ସାରା ଦେଶରେ ଚର୍ଚ୍ଚା ହେବା ପରେ ଡିଏମକେର ଜଣେ ସାଂସଦ ବିକାଶଙ୍କ ଟୁଇଟକୁ ରି-ଟୁଇଟ୍ କରି ଜୋମାଟୋକୁ ଉତ୍ତର ମାଗିଥିଲେ। ସେ କହିଥିଲେ, ହିନ୍ଦୀ କେବେଠୁ ଜାତୀୟ ଭାଷା ହୋଇଗଲାଣି? ତାମିଲନାଡୁ ଲୋକେ କାହିଁକି ହିନ୍ଦୀ ଜାଣିବା ଦରକାର? କେଉଁ ଆଧାରରେ ତାଙ୍କୁ ଅତି କମରେ ହିନ୍ଦୀ ଜାଣିବା ଦରକାର ବୋଲି ସେ ଜୋମାଟୋକୁ ପ୍ରଶ୍ନ କରିଥିଲେ।

ଯାହାକୁ ଦେଖି ଜୋମାଟୋ କଂପାନୀର ଅକଲ ଗୁଡୁମ୍ ହୋଇଯାଇଥିଲା । ଶେଷରେ ଅନ୍ୟ ଉପାୟ ନ ପାଇ ଜୋମାଟୋ ନିଜ ଟୁଇଟର ଆକାଉଣ୍ଟରେ କ୍ଷମା ପ୍ରାର୍ଥନା କରିବାକୁ ବାଧ୍ୟ ହୋଇଛି। ଏଥି ସହିତ କଷ୍ଟମର କେୟାର ପ୍ରତିନିଧିଙ୍କ ଏପରି ଆଚରଣ ପାଇଁ କ୍ଷମା ଭିକ୍ଷା କରିଛି। ଆଗାମୀ ଥର ଜୋମାଟୋ ବିକାଶଙ୍କୁ ଆହୁରି ଭଲ ସେବା ଦେବାକୁ ଚେଷ୍ଟା କରିବ ବୋଲି ଇଂରାଜୀ ଓ ତାମିଲ ଭାଷାରେ ଏକ ପତ୍ର ଲେଖିଛି।

New Delhi Zomato Delivery Agent Controversy
Advertisment
Advertisment