• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପରେସନରେ କେତେବେଳେ ବି ଆସିପାରେ ସୁଖବର । ଅଗର ଡ୍ରିଲିଂ ମେସିନଠୁ ଆଉ ମାତ୍ର ୪ରୁ୬ ମିଟର ଦୂରରେ ୪୧ ଜୀବନ । ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକମାନଙ୍କ ପାଖକୁ ପଠାଯାଉଛି ଓସାରିଆ ପାଇପ । ସେଇବାଟେ ସେମାନେ ଗୁରୁଣ୍ଡି ଗୁରୁଣ୍ଡି ବାହାରିବା ମାତ୍ରେ, ସେମାନଙ୍କୁ ହସ୍ପିଟାଲ ନେବା ପାଇଁ ଟନେଲ ମୁହଁରେ ତୟାର ଆମ୍ବୁଲାନ୍ସ । ତେଣେ ହସ୍ପିଟାଲରେ ବି ପ୍ରସ୍ତୁତ ରହିଛି ବେଡ୍ ଓ ଆଇସିୟୁ ।

ଆଉ ମାତ୍ର କେଇ ମିଟର ଦୂରରେ ୪୧ଟି ନିରୀହ ଜୀବନ । ସରି ସରି ଆସୁଛି ୨ଶହରୁ ଅଧିକ ଘଣ୍ଟାର ଅପେକ୍ଷା ଓ ଅନିଶ୍ଚିତତା । ୮ଶହ ମିଲିମିଟର ଓସାରିଆ ପାଇପ ଯେତେ ଭିତରକୁ ପଶୁଛି, ସେତେ ଉଜ୍ଜୀବିତ ହେଉଛି ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଆଶା । ତେବେ ଅଳ୍ପ କିଛି ମିଟର ପଥରକୁ କାଟି ପାଇପ୍ ପଶାଇବା ବି ଅତି ଜଟିଳ ଓ ସମୟସାପେକ୍ଷ କାର୍ଯ୍ୟ । କାରଣ ହଡ଼ବଡ଼ି କଲେ, ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବି ବିପଦ ଆସିପାରେ ।

ତେଣୁ ବିପନ୍ନଙ୍କ ପାଖରେ ପାଇପ ପହଞ୍ଚିବାକୁ କେତେ ସମୟ ଲାଗିବ, କେହି ବି ସଠିକ୍ ଉତ୍ତର ଦେଇପାରୁନାହାନ୍ତି । ଆଶା କରାଯାଉଛି, ଆଜି ରାତି କିମ୍ବା ଅତି ବେଶୀରେ ଆସନ୍ତାକାଲି ରେସ୍କ୍ୟୁ ଅପରେସନ ଶେଷ ହୋଇପାରେ । ଗତକାଲି ଅଚାନକ ଏକ ଲୁହା ବିମ୍ ଅଗର ଡ୍ରିଲିଂ ମେସିନର ବାଟ ରୋକିବା ପରେ ବନ୍ଦ ରହିଥିଲା ଖନନ କାର୍ଯ୍ୟ । ଗ୍ୟାସ କଟରରେ ତାକୁ କାଟି ହଟାଯିବା ପରେ ପୁଣି ଫୁଲ୍ ଯୋଶରେ ଡ୍ରିଲିଂ କାମ ଚାଲିଛି । ତେଣୁ ଆଶା କରାଯାଉଛି ଖୁବଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚିବ NDRFର ଉଦ୍ଧାରକାରୀ ଟିମ୍ ।

ସିଲକ୍ୟାରା ଟନେଲ୍ ଭିତରେ ଯେତିକି ଟେନସନ, ବାହାରେ ବି ସେତିକି ଟେନସନ । ପ୍ରତିଟି ସେକେଣ୍ଡ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଦିନରାତି ୨୪ ଘଣ୍ଟା ଚାଲିଛି ରେସ୍କ୍ୟୁ ଅପରେସନ । ଏଭଳି ସ୍ଥିତିରେ, ଆଜି କେନ୍ଦ୍ରମନ୍ତ୍ରୀ ଜେନେରାଲ୍ ଭି.କେ. ସିଂ ସେଠାରେ ପହଞ୍ଚି ଉଦ୍ଧାରକାରୀଙ୍କ ମନୋବଳ ବଢ଼ାଇବା ସହିତ ଉଦ୍ଧାରକାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଆଜି ଟନେଲରେ ଫସିଥିବା ଶ୍ରମିକଙ୍କ ସହ ୱାକିଟକିରେ କଥା ହୋଇଛନ୍ତି । ସେ ପ୍ରଥମେ ଟନେଲ ବାହାରେ ସ୍ଥାପିତ ଅସ୍ଥାୟୀ ମନ୍ଦିରରେ ପ୍ରଣାମ କରିବା ପରେ, ଶ୍ରମିକଙ୍କ ସହ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ ଏବଂ ମନୋବଳ ବଢ଼ାଇଥିଲେ ।

ସେପଟେ ଟନେଲ୍ ବାହାରେ ଅପେକ୍ଷା କରିଛି ୩୧ଟି ଆମ୍ବୁଲାନ୍ସ, ସେପଟେ ହସ୍ପିଟାଲରେ ପ୍ରସ୍ତୁତ ୪୧ଟି ବେଡ୍ । ଫସିଥିବା ଶ୍ରମିକମାନେ ଟନେଲ ଭିତରୁ ବାହାରିଲେ ତୁରନ୍ତ ସେମାନଙ୍କ ଚିକିତ୍ସା ଆରମ୍ଭ ହେବ । ପ୍ରାୟ ୧୨ ଦିନ ଧରି ଘୋର ମାନସିକ ଦୁଶ୍ଚିନ୍ତା ଭିତରେ ସେମାନେ ନା ଠିକରେ ଖାଇଛନ୍ତି, ନା ଶୋଇଛନ୍ତି । ପାଇପ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ଜୀବନ ବିକଳରେ ବାହାରିବା ବେଳେ ମଧ୍ୟ କେହି ଆହତ ହୋଇପାରନ୍ତି । ତେଣୁ ଓସାରିଆ ପାଇପ ଶ୍ରମିକଙ୍କ ପାଖରେ ପହଞ୍ଚିବା ପରେ, ପ୍ରଥମେ ବାହାରପଟୁ NDRF ଯବାନଙ୍କ ସହ ଜଣେ ଡାକ୍ତର ଭିତରକୁ ଯିବେ ବୋଲି ସୂଚନା ମିଳିଛି ।

ଡାକ୍ତର ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ଏବଂ ସେମାନେ ପାଇପ ଭିତର ଦେଇ ବାହାରିବାକୁ ସକ୍ଷମ କି ନାହିଁ ଯାଞ୍ଚ କରିବେ । ଏହାପରେ NDRF ଯବାନ ସେମାନଙ୍କୁ କିପରି ପାଇପ ଭିତରେ ସୁରକ୍ଷିତ ଭାବେ ଗୁରୁଣ୍ଡି ଗୁରୁଣ୍ଡି ବାହାରିବାକୁ ପଡ଼ିବ ଶିଖାଇବେ । ଦରକାର ପଡ଼ିଲେ ଚକଲଗା ଷ୍ଟ୍ରେଚରରେ ସେମାନଙ୍କୁ ପାଇପ ଦେଇ ଉଦ୍ଧାର କରାଯିବ । ଶ୍ରମିକମାନେ ବାହାରିବା ମାତ୍ରେ କାଳ ବିଳମ୍ବ ନକରି ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ହସ୍ପିଟାଲକୁ ନିଆଯିବ ।

ଏଥିପାଇଁ ଚିନ୍ୟାଲିସପୁର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ୪୧ଟି ବେଡ ରେଡି କରାଯାଇଥିବା ବେଳେ, ଉତ୍ତରକାଶି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଏମ୍ସ ରିଶିକେଶରେ ବି ବେଡ୍, ଆଇସିୟୁ ଓ ଟ୍ରମାକେୟାର୍ ଆଦି ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକ ସ୍ଥଳେ କାହାରି ଅବସ୍ଥା ସଂକଟାପନ୍ନ ଥିଲେ ଏୟାରଲିଫ୍ଟ ପାଇଁ କାମଚଳା ହେଲିପ୍ୟାଡ ବି ତିଆରି ହୋଇଛି ।

ଏଭଳି ବିପତ୍ତିରେ ବିପନ୍ନଙ୍କୁ ସାହା ହେବା ପାଇଁ ସ୍ଥାନୀୟ ଲୋକେ ବାବା ବୌଖନାଗଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏଥିସହ ଟନେଲ ମୁହଁକୁ ବାବାଙ୍କ ଡୋଲି ବା ବିମାନ ଆଣି ପୂଜାର୍ଚ୍ଚନା ଆଣିଛନ୍ତି ।

  • Reported by:
  • SIBANANDA ROUT