• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ବେଳେ ବିଧାୟକ ହଟହଟା । ନିର୍ବାଚନ ପରେ ଲୋକଙ୍କ ସୁବିଧା ଅସୁବିଧା ଭୁଲି ଯାଉଥିବା ଲୋକ ପ୍ରତିନିଧିଙ୍କୁ ମାଡ଼ ମାରିଲେ ମହିଳା । ଗାଁରେ ବନ୍ୟା ପାଣି ପଶିଯିବାରୁ ଜେଜେପି ବିଧାୟକ ଈଶ୍ୱର ସିଂହଙ୍କୁ ଜଣେ ମହିଳା ସର୍ବସମ୍ମୁଖରେ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ହରିୟାଣାର କୈଥଲ୍‌ ଅନ୍ତର୍ଗତ ନିଜ ନିର୍ବାଚନ ମଣ୍ଡଳୀରେ ବନ୍ୟା ପରିସ୍ଥିତି ସମୀକ୍ଷା ସମୟରେ ଏପରି ଅପ୍ରୀତିକର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ବିଧାୟକ ।

ହରିୟାଣାର ଅନେକ ଜିଲ୍ଲାରେ ବନ୍ୟା ପରି ପରିସ୍ଥିତି ଦେଖାଦେଇଛି । ଏଥିପାଇଁ କୈଥଲ୍‌, ଯମୁନାନଗର, ପଞ୍ଚକୁଲା ସମେତ ଅନେକ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । କୈଥଲ୍‌କୁ ଜନନାୟକ ଜନତା ପାର୍ଟି (ଜେଜେପି) ବିଧାୟକ ଇଶ୍ୱର ସିଂ  ବନ୍ୟା ପରିସ୍ଥିତିର ଆକଳନ କରିବାକୁ ଯାଇଥିଲେ, ସେତେବେଳେ  ତାଙ୍କୁ ଜନତାଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ଭିଡ଼ରେ ଥିବା ଜଣେ ମହିଳା ତାଙ୍କୁ ଚାପୁଡ଼ା ମାରିଛନ୍ତି ।

ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବିଧାୟକ ସେଠାରେ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ସମୟରେ ଅଚାନକ୍‌ ମହିଳା ଜଣକ ଆସି ବିଧାୟକଙ୍କୁ ବ୍ରହ୍ମଚାପୁଡ଼ା ପକାଇଛନ୍ତି । ତେବେ ଏହି ଘଟଣା ପରେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ମହିଳାଙ୍କୁ ଘେରି ଯାଇଥିଲେ ।

ହରିୟାଣାରେ ଜନନାୟକ ଜନତା ପାର୍ଟି, ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର ଅନ୍ୟତମ ସଦସ୍ୟ । ସୂଚନା ଅନୁସାରେ ଘାଗର ନଦୀରେ ବନ୍ୟା ଆସିବା ପରେ ଗହଲା ନିର୍ବାଚନ ମଣ୍ଡଳୀର ଭାଟିଆ ଗାଁରେ ଭୀ‌ଷଣ ବନ୍ୟା ହୋଇଥିଲା । ଆଉ ସେହି ସମୟରେ ବିଧାୟକଙ୍କ ଗସ୍ତକୁ ନେଇ ଲୋକେ ତାତିକି ଥିଲେ ।

ଅନ୍ୟପଟେ ଏହି ଘଟଣା ପରେ ବିଧାୟକ ଇଶ୍ୱର ସିଂ ନିଜ ପ୍ରତିକ୍ରିୟା ରଖିଛନ୍ତି । ମୋତେ ଦେଖି ମହିଳା ଜଣକ କହିଥିଲେ, ଏବେ ଏଠାକୁ କାହିଁକି ଆସିଛ ? ତୁମେ ଚାହିଁଥିଲେ ବନ୍ଧ ଭାଙ୍ଗି ନ ଥାନ୍ତା ବୋଲି ତାଙ୍କର ମତ ଥିଲା ।

ତେବେ ଏନେଇ ବିଧାୟକ ମହିଳାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ଗତ କିଛି ଦିନ ଧରି ହେଉଥିବା ପ୍ରବଳ ବର୍ଷା ଯୋଗୁ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଇଛି ବୋଲି ଯେତେ ବୁଝାଇଲେ ମଧ୍ୟ ମହିଳା ଜଣକ ନିଜ କଥାରେ ଅଡ଼ି ବସିଥିଲେ । ତେବେ ଏହି ଘଟଣା ପାଇଁ ମହିଳାଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପାଇଁ ବିଧାୟକ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।