• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେଉଁଠି ଲୁଚିଛି ଅମ୍ରିତପାଲ ସିଂ (Amritpal Singh)? ଖଲିସ୍ତାନ ସମର୍ଥକ ନେତା ତଥା ୱାରିସ ପଂଜାବ ଦେ' ର ମୁଖ୍ୟକୁ ଖୋଜୁଛି ପଞ୍ଜାବ ପୋଲିସ । ତାର ଅନେକ ସହଯୋଗୀ ପୋଲିସ ହାତରେ ଧରାପଡୁଥିଲେ ମଧ୍ୟ, ଏବେ ବି ମୋଷ୍ଟ ୱାଣ୍ଟେଡ୍ ଅମ୍ରିତପାଲ ସିଂ ଫେରାର ରହିଛି। ତାକୁ ଧରିବାକୁ ପୂରା ପଂଜାବରେ ଚାଲିଛି ବଡ଼ ଧରଣର ସର୍ଚ୍ଚ ଅପରେସନ୍ । ସାରା ରାଜ୍ୟରେ ହେଉଛି ତନ୍ନତନ୍ନ ଯାଞ୍ଚ।...

ୱାରିସ ପଞ୍ଜାବ ଦେ ମୁଖ୍ୟ ତଥା ଖଲିସ୍ତାନ ସମର୍ଥକ ନେତା ଅମ୍ରିତପାଲ ସିଂହକୁ ଧରିବାକୁ ଚାଲିଛି ବଡ଼ ଧରଣର ଅପରେସନ୍। କେଉଁଠି ଫ୍ଲାଗ୍ ମାର୍ଚ୍ଚ, ତ ଆଉ କେଉଁଠି ନାକାବନ୍ଦୀ । ପଂଜାବର ବିଭିନ୍ନ ସ୍ଥାନରେ ତନ୍ନତନ୍ନ ଯାଞ୍ଚ କରୁଛି ପୋଲିସ। ଅମ୍ରିତପାଲର ଅମୃତସର ସ୍ଥିତ ଘର ଚାରିପାଖରେ ବି ପୋଲିସ ଛାଉଣୀ । ପଞ୍ଜାବ ସୀମାରେ ହାଇଆଲର୍ଟ ଜାରି କରାଯାଇଥିବା ବେଳେ, ପଂଜାବକୁ ପ୍ରବେଶ କରୁଥିବା ସବୁ ଗାଡିକୁ ଯାଞ୍ଚ କରାଯାଉଛି ।

ସେପଟେ ନାଟକୀୟ ଘଟଣାକ୍ରମରେ ଦୁଇ ଦିନ ପୂର୍ବରୁ ବିଳମ୍ବିତ ରାତିରେ ଜଳନ୍ଧରରେ ଅମ୍ରିତପାଲର ଦାଦା ହରଜିଦ୍ ସିଂ ଓ ତାଙ୍କ ଡ୍ରାଇଭର ଆତ୍ମସମର୍ପଣ କରିଛନ୍ତି । ସେମାନେ ଏକ ମର୍ସିଡିଜ୍ କାରରେ ଆସି ଥାନାରେ ସରେଣ୍ଡର୍ କରିଥିବା ଏସଏସପି ଜଲନ୍ଧର ସ୍ୱର୍ଣ୍ଣଦୀପ ସିଂ କହିଛନ୍ତି । ସେପଟେ ଅମ୍ରିତପାଲର ୪ଜଣ ସହଯୋଗୀଙ୍କୁ ଆସାମର ଦ୍ରିବୁଗଡରୁ ଗିରଫ କରିଛି ଆସାମ ପୋଲିସ । ସେମାନଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ ଭଙ୍ଗ କରିଥିବା ସଂଗୀନ ଅଭିଯୋଗ ରହିଛି ।...

ୱାରିସ ପଞ୍ଜାବ ଦେର ଆତ୍ମଘୋଷିତ ମୁଖ୍ୟ ଅମ୍ରିତପାଲ ସିଂ ଓ ତାର ସଂଗଠନ ପୂର୍ବରୁ ସକ୍ରିୟ ଥିଲେ ମଧ୍ୟ ପ୍ରଥମ ଥର ପାଇଁ ସେମାନଙ୍କ ଚର୍ଚ୍ଚିତ ହିଂସାତ୍ମକ କାର୍ଯ୍ୟକଳାପରେ ମାସକ ତଳେ ନଜରକୁ ଆସିଥିଲା । ଫେବୃଆରୀ ୨୩ରେ ଅମ୍ରିତପାଲ ସିଂର ସହଯୋଗୀ ଓ ପୋଲିସ ଅମ୍ରିତସରରେ ମୁହାଁମୁହିଁ ହୋଇଥିଲେ । ଏହାପରେ ଅମ୍ରିତପାଲର ନିକଟ ସହଯୋଗୀ ଲଭପ୍ରୀତ ତୁଫାନକୁ ଗିରଫ କରିଥିଲା ପୋଲିସ । ତାକୁ ମୁକୁଳାଇବାକୁ ହଜାର ହଜାର ଖଲିସ୍ତାନ ସମର୍ଥକ ଖଣ୍ଡା ଓ ବନ୍ଧୁକ ଧରି ଅଞ୍ଜାଲା ପୋଲିସ ଷ୍ଟେସନକୁ ଧସେଇ ପଶିଥିଲେ।

ବହୁ ପରିମାଣରେ ମାରଣାସ୍ତ୍ର ଧରି ସେମାନେ ଥାନାରେ ଶକ୍ତି ପ୍ରଦର୍ଶନ କରିଥିଲେ । ଏପରିକି ଲଭପ୍ରୀତକୁ ନଛାଡିଲେ ପରିଣାମ ଭୟାବହ ହେବ ବୋଲି ସେମାନେ ଚେତାବନୀ ଦେଇଥିଲେ । ତାପରଠାରୁ ପୋଲିସ ଅମ୍ରିତପାଲ ଉପରେ କଡ଼ା ନଜର ରଖି ଆସୁଥିଲା। ଏବେ ଧର୍ମ ନାଁରେ ସେ ହିଂସା ଉଦ୍ରେକ କରୁଥିବା ଗୁଇନ୍ଦା ସୂଚନା ମିଳିବା ପରେ ପଂଜାବ ପୋଲିସ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାକୁ ଗିରଫ କରିବା ପାଇଁ ତତ୍ପରତା ପ୍ରକାଶ ପାଇଛି ।

ଅମ୍ରିତପାଲ ସିଂର ସହଯୋଗୀ ଦଲଜିତ କାଲସି ଗିରଫ ହେବା ପରେ ତାର ପାକିସ୍ତାନ ଲିଙ୍କ୍ ପଦାକୁ ଆସିଥିବା ଚର୍ଚ୍ଚା ହେଉଛି । ଦଲଜିତ୍ ଅମ୍ରିତପାଲର ମୁଖ୍ୟ ପରାମର୍ଶଦାତା ଭାବେ କାର୍ଯ୍ୟ କରିବା ସହ କାନାଡା ଓ ଦୁବାଇରେ ଥିବା ପାକିସ୍ତାନ କନସୁଲେଟ୍ ଜେନେରାଲଙ୍କ ସହ ଯୋଗସୂତ୍ର ରଖୁଥିଲା ।...

ସେପଟେ ଖଲିସ୍ତାନ ସମର୍ଥକ ନେତା ଅମ୍ରିତପାଲ ସିଂହ ୱାଣ୍ଟେଡ୍ ଘୋଷିତ ହେବା ପରେ, ଏହି ମାମଲାକୁ ଏନଆଇଏକୁ ହସ୍ତାନ୍ତର କରାଯାଇପାରେ ବୋଲି ସୂଚନା ମିଳିଛି । ଅମ୍ରିତପାଲ ଓ ତାର ୭ଜଣ ସହଯୋଗୀ ବେଆଇନ ମାରଣାସ୍ତ୍ର ରଖିଥିବା ଅଭିଯୋଗ ହୋଇଛି । ଏଭଳି ସ୍ଥିତିରେ କିଛି ଅନୁଷ୍ଠାନ ସୋସିଆଲ ମିଡିଆ ମାଧ୍ୟମରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲାଭଳି ପଦକ୍ଷେପ ନେବାର ଆଶଙ୍କା ଦେଖାଦେଇଛି । ଦେଶବିରୋଧୀ କାର୍ଯ୍ୟକଳାପ ପାଇଁ ସେମାନେ ଲୋକମାନଙ୍କୁ ଉସୁକାଇପାରନ୍ତି ।

ଏକ ନିର୍ଦ୍ଦିଷ୍ଟ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରତିବାଦ ନାଁରେ ହିଂସା ସୃଷ୍ଟି କରିବା ଆଶଙ୍କା ରହିଛି । ସେମାନଙ୍କ ସଂଗଠନର ଲୋକମାନଙ୍କୁ ଏକାଠି କରିବା ପାଇଁ ସୋସିଆଲ ମିଡିଆର ମଧ୍ୟ ଦୁରୁପଯୋଗ କରିପାରନ୍ତି । ଏହାକୁ ନଜରରେ ରଖି ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ପୂରା ପଂଜାବରେ ଇଣ୍ଟରନେଟ୍ ଓ ଏସଏମଏସ୍ ସେବାକୁ ବନ୍ଦ କରିଦିଆଯାଇଛି ।

କେବଳ ମୋବାଇଲ ରିଚାର୍ଜ ଓ ବ୍ୟାଙ୍କ କାରବାର ପାଇଁ ଏସଏମଏସକୁ ଅନୁମତି ଦିଆଯାଇଛି । ଗତ ଶନିବାର ପ୍ରଥମେ ଇଣ୍ଟରନେଟ ଓ ଏସଏମସ ସେବାକୁ ଦିନକ ପାଇଁ କଟକଣା ଜାରି କରାଯାଇଥିଲା । ପରେଏହାର ଅବଧିକୁ ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।