• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସମସ୍ତେ ଚାହାନ୍ତି ତାଙ୍କ ସ୍ୱପ୍ନର ଘର ଅତି ସୁନ୍ଦର ହୋଇଥାଉ । ଅନ୍ୟମାନଙ୍କ ଘର ଠାରୁ କିଛି ଅଲଗା ଓ ସ୍ୱତନ୍ତ୍ର ଥାଉ । ଏମିତିକି ଘରଟିଏ ତୋଳିବା ପାଇଁ ଘରଟିର ମାଲିକ ତାଙ୍କର ସମସ୍ତ ଉପାର୍ଜିତ ଅର୍ଥକୁ ଘର ତିଆରିରେ ସାରିଦେଇଥା’ନ୍ତି । କାରଣ ସବୁ ଧନ ପଛେ ଶେଷ ହୋଇଯାଉ, ହେଲେ ତାଙ୍କର ସ୍ୱପ୍ନର ଘର ଅତିସୁନ୍ଦର ଭାବେ ତିଆରି ହେଉ ବୋଲି ସମସ୍ତେ ଚାହାନ୍ତି ।

ହଁ ଆଜ୍ଞା, ଆପଣ ଭାବୁଥିବେ ଆମେ ସ୍ୱପ୍ନର ଘରକୁ ନେଇ କାହିଁକି ବର୍ଣ୍ଣନା କରୁଛୁ । ଏହା ପଛରେ କ’ଣ ରହିଛି କାରଣ ? ଜଣେ ସାଧାରଣ ମଣିଷ ନିଜର ସ୍ୱପ୍ନର ଘରକୁ ତିଆରି କରିଛନ୍ତି । ତାହାପୁଣି ଏମିତି ସେମିତି କୌଣସି ସାଧାରଣ ଘର ନୁହେଁ ବରଂ ଟାଇଟାନିକ ଜାହାଜ ଡିଜାଇନ୍‌ରେ ଘରଟିକୁ ନିର୍ମାଣ କରାଯାଇଛି । ଯାହା ଦେଖିବାକୁ ଅବିକଳ ଟାଇଟାନିକ ଜାହାଜ ପରି । ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ପଶ୍ଚିମବଙ୍ଗର ଜଣେ ଚାଷୀ ହେଉଛନ୍ତି ମିଣ୍ଟୁ ରୟ । ଯିଏ କି ଏହି ଟାଇଟାନିକ ଜାହାଜକୁ ନିର୍ମାଣ କରିଛନ୍ତି । ଦିନେ ତାଙ୍କର ସ୍ୱପ୍ନଥିଲା ଟାଇଟାନିକ ଜାହାଜ ପରି ସେ ଏକ ଘର ତିଆରି କରିବେ । ହେଲେ ସେ ଜଣେ ଚାଷୀ ଓ ଗରିବ ହୋଇଥିବାରୁ ଏହା ସମ୍ଭବପର ହୋଇନଥିଲା । ହେଲେ ସେ ନିଜ ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିଚାଲିଥିଲେ । ଏଥିପାଇଁ ମିଣ୍ଟୁ କିଛି କିଛି ଟଙ୍କା ସଞ୍ଚୟ କରି ଧୀରେଧୀରେ ଘର ତିଆରି ଆରମ୍ଭ କରିଥିଲେ । ହେଲେ ଅର୍ଥ ଅଭାବରୁ ଘରଟିର ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରିବାରେ ସେ ଅସମର୍ଥ ହୋଇଥିଲେ ।

ଘର ତିଆରି କାର୍ଯ୍ୟ ପାଇଁ ଆବଶ୍ୟକୀୟ ଜିନିଷ ସହ ମିସ୍ତ୍ରୀ ମଜୁରୀ ମଧ୍ୟ ଦେବାକୁ ତାଙ୍କ ନିକଟରେ ଟଙ୍କା ନଥିଲା । ତେଣୁ ସେ  ମିସ୍ତ୍ରୀ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିଲାଗି ତାଙ୍କୁ ଘର ଛାଡ଼ି ନେପାଳ ଯିବାକୁ ପଡ଼ିଥିଲା । ସେଠାରେ ୩ବର୍ଷ ରାଜମିସ୍ତ୍ରୀ କାମ ଶିଖିବା ସହ କାମ କରିଥିଲେ । ପରେ ପରେ ନିଜ ଘରକୁ ଆସି ମିଣ୍ଟୁ ରୟ ନିଜର ସ୍ୱପ୍ନର ଘରକୁ ଗଢ଼ିଥିଲେ । ଆଉ ସ୍ୱପ୍ନର ଘରକୁ ଶେଷ ପର୍ଯ୍ୟାୟରେ ଛିଡ଼ା କରିଥିଲେ ।

ଖାଲି ସେତିକି ନୁହେଁ, ମିଣ୍ଟୁଙ୍କ ସ୍ୱପ୍ନର ଘର ତୋଲିବାରେ ଅନେକ କିଛି ସଂଘର୍ଷର କାହାଣୀ ଲୁଚି ରହିଛି । ସେହି କାହାଣୀ ମଧ୍ୟରୁ ମିଣ୍ଟୁ ଗଣମାଧ୍ୟମ ଆଗରେ କିଛି କହିଛନ୍ତି । ସେ କହିଛନ୍ତି କି, ୨୦୧୦ରେ ତାଙ୍କର ସ୍ୱପ୍ନର ଘର ତିଆରି କାମ ଆରମ୍ଭ ହୋଇଥିଲା । ସେହି ସମୟରେ ଟଙ୍କାର ଅଭାବ ବହୁତ ରହିଥିଲା । ହେଲେ ବର୍ତ୍ତମାନ ୩୯ ଫୁଟ ଲମ୍ବା ଓ ୧୩ ଫୁଟ ଚଉଡା ବିଶିଷ୍ଟ ଏହି ଘରର ଉଚ୍ଚତା ପ୍ରାୟ ୩୦ ଫୁଟ ରହିଛି । ଟାଇଟାନିକ ଜାହାଜ ସଦୃଶ ନିର୍ମାଣ କରାଯାଇଥିବା ଏହି ଘର ଏବେ ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଆକର୍ଷଣ ପାଲଟିଛି ।

ବର୍ତ୍ତମାନ ସୁଦ୍ଧା ଏହି ଘର ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏହାର କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଚାଷ କରି ମିଣ୍ଟୁ ଯାହା ରୋଜଗାର କରୁଛନ୍ତି ସେଥିରେ ସେ ଘରର ନିର୍ମାଣ କରୁଛନ୍ତି ବୋଲି କହିଛନ୍ତି । ତାହାସହ ଆଗାମୀ ବର୍ଷ ଘରର ସମ୍ପୂର୍ଣ୍ଣ କାମ ଶେଷ ହେବ । ଘରର ଉପର ମହଲାରେ ଏକ ରେଷ୍ଟୁରାଣ୍ଟ କରିବାର ଯୋଜନା ରହିଥିବା ମିଣ୍ଟୁ କହିଛନ୍ତି ।