• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେରଳ ୱାୟନାଡ ଭୂସ୍ଖଳନରେ ୩୦୦ ମୁହାଁ ମୃତ୍ୟୁ ସଂଖ୍ୟା । ଏବେବି ୨୦୦ରୁ ଅଧିକଙ୍କ ପତ୍ତା ମିଳୁନି । କେରଳ ବୁଲିବାକୁ ଯାଇ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ତାଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ । ସେପଟେ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କ ଖୋଜ୍ ଖବର ମିଳୁନଥିବା ବେଳେ ଝାରସୁଗୁଡ଼ାର ସ୍ୱୀକୃତି ମହାପାତ୍ର ଏବେବି ଭେଣ୍ଟିଲେଟରରେ ଅଛନ୍ତି ।

ୱାୟନାଡ ଭୂସ୍ଖଳନରେ ମୃତ ଓଡ଼ିଆ ଡାକ୍ତରଙ୍କ ମିଳିଲା ମୃତଦେହ । ଆସନ୍ତାକାଲି ଓଡ଼ିଶା ଆସିପାରେ ମୃତ ବିଷ୍ଣୁ ପ୍ରସାଦଙ୍କ ମରଶରୀର । ବୁଲିବାକୁ ଯାଇ ବିପର୍ଯ୍ୟୟର ଶିକାର ହୋଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମରଶରୀର ଘରକୁ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ଖୁବଶୀଘ୍ର ତାଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି କହିଛନ୍ତି, ରାଜ୍ୟ ସରକାରଙ୍କ ପକ୍ଷରୁ କେରଳ ଯାଇଥିବା ଡାକ୍ତର ଦିଲୀପ ରାଉତରାୟ ।

ସେ ୱାୟନାଡ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ବିଷ୍ଣୁଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍‌ଙ୍କୁ ଭେଟିଛନ୍ତି । ତାଙ୍କ ମୁହଁରେ ଆଘାତ ଲାଗିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେହିପରି ଭେଣ୍ଟିଲେଟରରେ ଅଛନ୍ତି ଭୂସ୍ଖଳନରେ ଗୁରୁତର ହୋଇଥିବା ଝାରସୁଗୁଡ଼ାର ସ୍ୱୀକୃତି ମହାପାତ୍ର । ଅନ୍ୟପଟେ ନିଖୋଜ ଡାକ୍ତର ସ୍ୱାଧୀନ ପଣ୍ଡାଙ୍କର ଏଯାଏଁ ପତ୍ତା ମିଳୁନି ।

ଡାକ୍ତର ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ଖବର ମିଳିବା ପରେ ପତ୍ନୀ ପ୍ରିୟଦର୍ଶିନୀଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । ଏପଟେ କଟକ ଚୌଦ୍ୱାର ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା । ଟାଙ୍ଗୀର ଏକ ଘରୋଇ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ପ୍ରିୟଦର୍ଶିନୀ । ସେ କିପରି ଶୀଘ୍ର ସୁସ୍ଥ ହୋଇ ଫେରିବେ, ସେଥିପାଇଁ ପ୍ରାର୍ଥନା କରିଛନ୍ତି ସହକର୍ମୀ ।

ସେପଟେ କେରଳ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୦୦ ମୁହାଁ । ଏବେବି ନିଖୋଜ ଅଛନ୍ତି ୨୦୦ରୁ ଅଧିକ । ମାଟି ତଳୁ ଚାଲିଛି ମଣିଷ ଖୋଜା । ଉଦ୍ଧାରକାରୀ ଟିମ୍ ସକାଳୁ ରାତି ଯାଏଁ ରେସ୍କ୍ୟୁ ଅପରେସନ୍ ଜାରି ରଖିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ ଘନ ଘନ ବୈଠକ କରି ପରିସ୍ଥିତିର ସମୀକ୍ଷା କରୁଛନ୍ତି । ବିରୋଧୀ ଦଳ ନେତା ତଥା ୱାଏନାଡର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଆଜି ବିପର୍ଯ୍ୟୟସ୍ଥଳୀକୁ ଯାଇ ଉଦ୍ଧାରକାରୀ ଟିମ୍ ସହ ଆଲୋଚନା କରିଛନ୍ତି ।

ବିପର୍ଯ୍ୟୟ ମୁହଁରୁ ବଂଚିଯାଇଥିବା ଆହତଙ୍କୁ ମଧ୍ୟ ଭେଟିଛନ୍ତି । ମାଟିତଳେ ଯେତେ ଖୋଜିଲେ ସେତେ ବାହାରୁଛି ମୃତଦେହ । କିନ୍ତୁ ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

OTV is now on Whatsapp

Join and get latest news update delivered to you via whatsapp

Join Now