• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୩୦୦ କିଲୋମିଟର ସ୍ପିଡ୍‌ରେ ଯାଉଥିଲା କାର । ଏହା ଭିଡିଓ ବି ହେଉଥିଲା ସୁଟ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ସେହି ଭିଡିଓ । କେତେବେଳେ ଗାଡ଼ି ୩୦୦ କିଲୋମିଟର ପ୍ରତି ଘଣ୍ଟା ସ୍ପିଡ୍‌ରେ ଯାଉଛି ତ ପୁଣି କେତେବେଳେ ଟିକେ କମିଯାଉଛି ୨୩୦ କିଲୋମିଟର ସ୍ପିଡ୍‌କୁ । ତେବେ ଏହି ଭିଡିଓ ଭାଇରାଲ ହେଉଛି ସତ । କିନ୍ତୁ ଭିଡିଓ ସୁଟ୍ କରୁଥିବା ବା ସେହି କାରରେ ବସିଥିବା କୌଣସି ଜଣେ ବି ବ୍ୟକ୍ତି ଆଉ ଏହି ଦୁନିଆରେ ନାହାନ୍ତି ।

କୁହାଯାଏ ଦ୍ରତ ଗତି ମହା ବିପତ୍ତି । ବିଭିନ୍ନ ଟ୍ରାଫିକ୍‌ ପୋଷ୍ଟରେ ମଧ୍ୟ ସଚେତନତା ବାର୍ତ୍ତା ଲେଖାଯାଇଥାଏ । କାରଣ ଗାଡ଼ି ଯେତେ ଜୋରରେ ଯିବ ଦୁର୍ଘଟଣା ସେତେ ଭୟଙ୍କର ହେବ । ତେବେ ଆମେ ଆପଣଙ୍କୁ ଯେଉଁ କଥା ଗାଡ଼ି ସ୍ପିଡ୍‌ କଥା କହୁଛୁ, ସେହି କ୍ଷେତ୍ରରେ ମଧ୍ୟ ଠିକ୍‌ ଏମିତି କିଛି ଘଟିଛି ।

ବିଏମ୍‌ଡବ୍ଲୁ ଗାଡ଼ି ରକେଟ୍‌ ବେଗରେ ଯାଉଥିଲା । କଣ୍ଟା ୩୦୦ ଟପୁଥିଲା । ଟିକିଏ ସ୍ପିଡ୍ କମି ୨୩୦କୁ ଖସିଲା ବେଳକୁ ପାଖରେ ବସିଥିବା ଜଣେ ବ୍ୟକ୍ତି ଡ୍ରାଇଭରଙ୍କୁ ଟିହାଉଛି, ଆଉ ଟିକେ ସ୍ପିଡ୍‌ ବଢ଼ା । ଏହି ସମୟର ଭିଡିଓ ମଧ୍ୟ ରେକର୍ଡ ହେଉଛି ମୋବାଇଲରେ । ଭିଡିଓରେ ଏଭଳି କୁହାଯାଉଥିବା ସ୍ପଷ୍ଟ ଜଣାପଡ଼ୁଛି । ଭିଡିଓ କେବଳ ରେକର୍ଡ ନୁହେଁ ଫେସ୍‌ବୁକ୍‌ରେ ଲାଇଭ ମଧ୍ୟ ହେଉଥିଲା । ଆଉ ୩୦୦ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡ୍‌ ଦେଖାଇ ବାହାଦୁରି ମାରୁଥିଲେ ଯୁବକ । ଖାଲି ସେତିକି ନୁହେଁ ଗାଡ଼ିରେ ୪ ଜଣ ବସିଥିବା ମଧ୍ୟ ଏହି ଭିଡିଓକୁ ମନ ଦେଇ ଶୁଣିଲେ ଜଣାପଡ଼ୁଛି ।

ଭାଇରାଲ ଭିଡିଓରେ ଜଣେ ଯୁବକ ସ୍ପିଡ୍‌ ବଢ଼ାଇବାକୁ ଟିହାଉଥିବା ବେଳେ ଅନ୍ୟ ଜଣେ କହୁଛନ୍ତି ‘ସାମ୍ଭାଳିକି ଚଲା’ । ସେମିତି ଆଉ ଜଣେ କହୁଛନ୍ତି ‘ଚାରି ଜଣ ଯାକ ମରିବା’ । ସେହି ଭିତରେ ଜଣେ ବ୍ୟକ୍ତି ଏହା ମଧ୍ୟ କହୁଛନ୍ତି ‘ସମସ୍ତେ ସିଟ୍‌ ବେଲ୍ଟ ବାନ୍ଧ’ ଗାଡ଼ି ଆହୁରି ସ୍ପିଡ୍‌ ଯିବ । ତେବେ ଏହି ଭିଡିଓ ଉତ୍ତରପ୍ରଦେଶର ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ’ରେ ଯାଉଥିବା ବେଳେ ସୁଟ୍ କରାଯାଇଥିବା ସ୍ପଷ୍ଟ ବାରି ହେଉଛି ।

ଇଏ ତ ଥିଲା ପୁରା ଫେସ୍‌ବୁକ୍‌ ଲାଇଭ୍‌ ଭିଡିଓର କାହାଣୀ । କିନ୍ତୁ ଏବେ ଆପଣଙ୍କୁ ଆମେ ଯେଉଁ ସୂଚନା ଦେବୁ ତାହା ଜାଣିଲେ ଆପଣଙ୍କ ପାଟିରୁ ‘ହେ ଭଗବାନ’ ନିଶ୍ଚୟ ବାହାରିବ । ଲାଇଭ୍‌ ଭିଡିଓର ଠିକ୍‌ ପରଦିନ ସେହି ଏକ୍ସପ୍ରେସ୍‌ ୱେ’ରେ ଦେଖାଯାଇଥିଲା, ଏକ ବିଏମ୍‌ଡବ୍ଲ୍ୟୁ କାର୍‌ ସାମ୍ନା ପଟୁ ଆସୁଥିବା ଏକ ବଡ଼ କଣ୍ଟେନରକୁ ଧକ୍କା ଦେଇ ଚୁରମାର ହୋଇଛି । ଆଉ କାର ଭିତରେ ଥିବା ୪ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସମସ୍ତେ କାରରୁ ଛିଟିକି ବାହାରେ ପଡ଼ିଛନ୍ତି । ଏହି କାର ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି ।

ସମସ୍ତ ମୃତକଙ୍କ ପରିଚୟ ମିଳିସାରିଛି । ସେମାନଙ୍କ ବୟସ ହାହାରି ୩୦ ହେବ । ଅନ୍ୟପଟେ ଧକ୍କା ଦେଇଥିବା କଣ୍ଟେନର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ରହିଛି । ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।