• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ଆଉ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ କୌଳିକ ବର୍ଗ ଶ୍ରମିକମାନଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଭେଟି ଦେଇଛନ୍ତି । ଆଜି ଲାଲ୍‌କିଲ୍ଲାରୁ ବିଶ୍ୱକର୍ମା ଯୋଜନାର ପ୍ରତିଶ୍ରୁତି ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଖୁବ୍‌ଶୀଘ୍ର ବିଶ୍ୱକର୍ମା ଯୋଜନା ଆରମ୍ଭ ହେବ । ଏହି ଯୋଜନାରେ ବିଭିନ୍ନ କୌଳିକ ବର୍ଗର ଲୋକମାନେ ଉପକାର ପାଇବେ ।

ଯେପରିକି ବଣିଆ, କୁମ୍ଭାର, ବାରିକ ଏବଂ ସଫେଇ କର୍ମଚାରୀ ଭଳି କୌଳିକ ବର୍ଗର ଶ୍ରମିକ ମାନେ ଉପକୃତ ହେବେ । ବିଶେଷକରି ଯେଉଁମାନେ ଓବିସି ବର୍ଗରୁ ଆସିଛନ୍ତି ସେମାନେ ଏହି ଯୋଜନାର ଲାଭ ପାଇପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧୩ରୁ ୧୫ ହଜାର କୋଟି ଟଙ୍କା ବ୍ୟୟ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆସନ୍ତା ମାସରେ ଏହି ଯୋଜନାର ଶୁଭାରମ୍ଭ ହେବାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ହେବାକୁ ଥିବା ବିଶ୍ୱକର୍ମା ଜୟନ୍ତୀରେ ଏହି ଯୋଜନା ଆରମ୍ଭ ହେବ ବୋଲି କୁହାଯାଇଛି । ଆସନ୍ତା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ଶେଷ ସ୍ୱାଧୀନତା ଦିବସ ଭାଷଣରେ ଏପରି ଘୋଷଣା କରିଛନ୍ତି ।

ଅନ୍ୟପଟେ ଦେଶର ମହିଳାମାନଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ଲକ୍ଷପତି ଦିଦିମାନେ ତାଙ୍କର ସ୍ୱପ୍ନ ବୋଲି ସେ କହିଛନ୍ତି । ତାହାସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଜଡିତ ଅଛନ୍ତି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିଶ୍ୱର ଶୀର୍ଷ ଅର୍ଥନୀତି ମଧ୍ୟରୁ ଭାରତ ଏକ ହେବ ବୋଲି କହିବା ସହ ଦାରିଦ୍ର୍ୟ ଦୂରୀକରଣର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।