• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫିଲ୍ମରେ ଯେତେବେଳେ କୌଣସି ଅଭିନେତା, ନାରୀ ରୂପରେ ପରଦାକୁ ଆସନ୍ତି, ସେତେବେଳେ ଲୋକମାନେ ଖୁବ୍ ହସନ୍ତି । କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏକ ସ୍ୱତନ୍ତ୍ର ପର୍ବ ରହିଛି ଯେଉଁଥିରେ ପୁରୁଷମାନେ ସତସତିକା ମହିଳାଙ୍କ ପରି ବେଶ ହୋଇଥାନ୍ତି । ସେତେବେଳେ ସେମାନଙ୍କୁ ଦେଖି କେହି ହସନ୍ତି ନାହିଁ କିମ୍ବା ପରିହାସ କରନ୍ତି ନାହିଁ । ଏହା ହେଉଛି ସେମାନଙ୍କର ଭଗବାନଙ୍କ ପ୍ରତି ଥିବା ବିଶ୍ୱାସ ତଥା ଆସ୍ଥାର ଏକ ନିଆରା ଦୃଶ୍ୟ । ଏଡାକୁ ଦେଖିବା ପାଇଁ ଲୋକେ ଦୂରଦୂରାନ୍ତୁ ଆସିଥାନ୍ତି । ଆମେ କହୁଛୁ କେରଳର ଚମୟାବିଲକ୍କୁ ପର୍ବ ବିଷୟରେ ।

ଆଇଆରଏଏସ ଅଧିକାରୀ ଅନନ୍ତ ରୂପନାଗୁଡି ଟ୍ୱିଟର ରେ ଖୁବ୍‌ ସକ୍ରିୟ ଥାନ୍ତି । ନିକଟରେ ସେ ଏକ ଫଟୋ ଟୁଇଟ୍ କରିଛନ୍ତି, ଯେଉଁଥିରେ ଜଣେ ମହିଳା ଏକ ଶାଢ଼ି ପିନ୍ଧିଥିବାର ଦେଖାଯାଇଛି । ଫଟୋରେ ମହିଳା ଜଣକ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି । କିନ୍ତୁ ଏହି ଚିତ୍ରର ସତ୍ୟତା ଆଉ କିଛି । ଚିତ୍ରରେ ଦେଖାଯାଇଥିବା ବ୍ୟକ୍ତି ଜଣେ ମହିଳା ନୁହଁନ୍ତି, ସେ ଜଣେ ପୁରୁଷ । ଫଟୋ ସେୟାର କରି ଅନନ୍ତ ଲେଖିଛନ୍ତି - କେରଳର କୋଲାମ ଜିଲ୍ଲାର କୋଟାମକୁଲକରା ଅଞ୍ଚଳରେ ଏକ ଦେବୀ ମନ୍ଦିର ଅଛି ଯେଉଁଠାରେ ଚମୟାବିଲକ୍କୁ ପର୍ବ ପାଳନ କରାଯାଏ । ଏହି ପର୍ବରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପରିଧାନ କରିଥାନ୍ତି । ଏହି ଫଟୋଟି ସେହି ବ୍ୟକ୍ତିଙ୍କର, ଯିଏ ଏହି ଉତ୍ସବରେ ମହିଳା ବେଶ ଧରି ପ୍ରଥମ ପୁରସ୍କାର ପାଇଛନ୍ତି ।

ମହିଳାଙ୍କ ପରି ସଜ ହୁଅନ୍ତି ପୁରୁଷ

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଏବଂ କେରଳ ଟୁରିଜିମ୍‌ ୱେବ୍‌ସାଇଟ୍‌ ଅନୁଯାୟୀ, ଏହି ପର୍ବକୁ ଆଲୋକର ପର୍ବ ଭାବରେ ବିବେଚନା କରାଯାଏ । ଏହାକୁ ମାଲାୟାଲମ୍ ମାସ ମିନମର ୧୦ମ ଏବଂ ୧୧ତମ ଦିନ ପାଳନ କରାଯାଏ । ଅର୍ଥାତ୍ ମାର୍ଚ୍ଚ ମାସର ଦ୍ୱିତୀୟାର୍ଦ୍ଧରେ ପାଳନ କରାଯାଏ । ଏହି ଦିନ ପୁରୁଷମାନେ ଅବିକଳ ମହିଳାଙ୍କ ପରି ସଜ ହୋଇଥାନ୍ତି । ଶାଢ଼ି ପିନ୍ଧି ମହିଳାଙ୍କ ଭଳି ସମ୍ପୂର୍ଣ୍ଣ ବେଶ ଧାରଣ କରିଥାନ୍ତି । ଏମିତିକି ଶାଢ଼ି ସହ ଗହଣା ବି ପନ୍ଧିଥାନ୍ତି । ଆଉ ମସାଲ କିମ୍ବା ଦୀପ ଧରି ବାହାରିଥାନ୍ତି । ଏହି ପର୍ବରେ ସମଲିଙ୍ଗୀ ବ୍ୟକ୍ତିମାନେ ମଧ୍ୟ ଭାଗ ନେଇଥାନ୍ତି । କାରଣ ଏହା ହିଁ ଏକମାତ୍ର ପର୍ବ ଯେଉଁ ପର୍ବରେ ସେମାନେ ନିଜର ମନ ମୁତାବକ ପରିଧାନ କରିଥାନ୍ତି ଏବଂ ବଞ୍ଚିବାକୁ ସୁଯୋଗ ପାଇଥାନ୍ତି ।

ଭାଇରାଲ ଫଟୋ

ଦୀପ ଧରି ବାହାରିଥିବା ପୁରୁଷମାନେ ମନ୍ଦିର ପରିକ୍ରମା କରନ୍ତି ଏବଂ ଭଗବାନଙ୍କ ଉପରେ ଥିବା ସେମାନଙ୍କର ଆସ୍ଥାକୁ ଦର୍ଶାଇଥାନ୍ତି । ବିଶ୍ୱାସ ରହିଛି ଯେ, ଏଭଳି କରିବା ଦ୍ୱାରା ଭଗବାନ ସନ୍ତୁଷ୍ଟ ହୁଅନ୍ତି । ସୋସିଆଲ ମିଡିଆ ରେ ସେୟାର ହୋଇଥିବା ଫଟୋ ଉପରେ ଲୋକମାନେ ଏବେ ସେମାନଙ୍କର ମତାମତ ଦେଉଛନ୍ତି । ଅନେକ ଲୋକଙ୍କର ବିଶ୍ୱାସ ହେଉନି ଯେ, ଫଟୋରେ ଥିବା ବ୍ୟକ୍ତି, ମହିଳା ନୁହଁନ୍ତି ବରଂ ଜଣେ ପୁରୁଷ । ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି ଯେଉଁଥିରେ ପୁରୁଷମାନେ ମହିଳାଙ୍କ ପରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ।