Advertisment

ବୀରଭୂମରେ ୧୦ ଜଣ ଜିଅନ୍ତା ଜାଳିବା ଘଟଣାରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍‌କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।

author-image
Satyendu Shekher Mishra
Fire

Fire

ସାକ୍ଷୀଙ୍କୁ ସୁରକ୍ଷା ଦିଅ, ଗାଁରେ ତୁରନ୍ତ ସିସିଟିଭି ଲଗାଅ । ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲାର ରାମପୁରହାଟରେ ଘଟିଥିବା ଅଗ୍ନିକାଣ୍ଡ ଓ ହିଂସା ଘଟଣାକୁ ଗୁରୁତ୍ୱର ସହ ନେଇ ଏଭଳି ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ । ଘଟଣା ଘଟିଥିବା ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀର ଏକ ଟିମ୍‌କୁ ଅଗ୍ନିକାଣ୍ଡ ସ୍ଥଳରୁ ନମୁନା ସଂଗ୍ରହ କରିବାକୁ ପଠାଯିବ ବୋଲି ହାଇକୋର୍ଟ କହିଛନ୍ତି ।

Advertisment

ପ୍ରମାଣ ନଷ୍ଟ ନହେବା ସହ ପ୍ରତ୍ୟେକ ଗ୍ରାମବାସୀ ଓ ସାକ୍ଷୀଙ୍କ ସୁରକ୍ଷା ଜିଲ୍ଲା କୋର୍ଟ ଏବଂ ରାଜ୍ୟ ଡିଜିପି ନିଶ୍ଚିତ କରିବେ । ଯଦି ଶବ ବ୍ୟବଚ୍ଛେଦ ହେବା ବାକି ରହିଛି, ତେବେ ଏହାର ଭିଡିଓ ରେକର୍ଡ କରିବାକୁ ପଡିବ ବୋଲି କହିଛନ୍ତି କଲିକତା ହାଇକୋର୍ଟ । ଆସନ୍ତାକାଲି ୨ଟା ସୁଦ୍ଧା ଘଟଣାର ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଦଙ୍ଗା ପରିସ୍ଥତି ପରେ ବଗତୁଇ ଗାଁରେ ଭୟର ବାତାବରଣ ଦେଖାଦେଇଛି । ଭୟରେ ଗ୍ରାମବାସୀ ଗାଁ ଛାଡ଼ି ଅନ୍ୟତ୍ର ପଳାଉଛନ୍ତି । ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ବଢାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସ୍ୱତନ୍ତ୍ର ତଦନ୍ତକାରୀ ଟିମ ଘଟଣାର ତଦନ୍ତ କରୁଛି । ରାଜ୍ୟ ଫରେନସିକ ଲବ୍ରୋଟୋରୀର ଏକ ଟିମ୍ ମଧ୍ୟ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି । ଘଟଣାରେ ଏଯାଏଁ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ଦାବି କରାଯାଇଛି ।

Advertisment

ସେହିଭଳି ଆଜି ଗାଁରେ ପହଁଚିଛନ୍ତି ବିଭିନ୍ନ ରାଜନୈତିକ ଦଳର ନେତା । ସିପିଏମ, ସିପିଆଇ ସମେତ ବିଜେପିର ଏକ ଟିମ୍ ମଧ୍ୟ ବୀରଭୂମ ଯାଇ ଘଟଣାର ଅନୁଧ୍ୟାନ କରିଛି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଘଟଣାସ୍ଥଳକୁ ଯିବେ ବୋଲି କହିଛନ୍ତି । ଘଟଣାରେ ଦୋଷୀଙ୍କୁ ଧରିବାରେ କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସହଯୋଗ ଯୋଗାଇବେ ଏବଂ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

West Bengal
Advertisment
Advertisment