• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବାପା-ମା’ଙ୍କ ପାଇଁ ତାଙ୍କ ସନ୍ତାନ ସବୁକିଛି । ଗୋଟିଏ ଘରେ ପିଲାଟିଏ ଜନ୍ମ ନେବାପରେ ସେମାନଙ୍କ ଠାରୁ ଅନେକ କିଛି ଆଶା କରିଥା’ନ୍ତି ସାରା ପରିବାର । ବିଶେଷକରି ସବୁ ବାପା-ମା’ଙ୍କ ଶେଷ ସମୟରେ ତାଙ୍କ ପିଲାମାନେ ତାଙ୍କ ପାଖରେ ରହିଥା’ନ୍ତୁ ବୋଲି ଆଶା ରଖିଥାନ୍ତି । ହେଲେ ଏପରି ଏକ ଖବର ଜଣେ ମା’ଙ୍କୁ ନେଇ ଆମେ ଜଣାଇବାକୁ ଯାଉଛୁ ଯାହା ଜାଣିଲେ ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ ।

ଜଣେ ବାପା ତାଙ୍କ ସାରା ଜୀବନ ଅନେକ କଷ୍ଟ କରି ଦୁଇ ପୁଅଙ୍କୁ ମଣିଷ କରିଛନ୍ତି । ବହୁ କଷ୍ଟ କରି ଦୁଇ ପୁଅଙ୍କୁ ପାଠ ପଢ଼ାଇ ଡାକ୍ତର କରିଛନ୍ତି । ହେଲେ ସେହି ବାପା-ମା’ଙ୍କୁ ମିଳିଛି ନା ସାହା ନା ମିଳିଛି ପୁଅ, ବୋହୂ ଓ ନାତି ନାତୁଣୀଙ୍କ ସୁଖ । ଏମିତିକି ବାପାଙ୍କ ମୃତ୍ୟୁ ପରେ ବାପାଙ୍କୁ କାନ୍ଧରେ ନେବା ତ ଦୂରର କଥା ବାପାଙ୍କ ମୃତଦେହକୁ କେହି ସଂସ୍କାର କଲେନାହିଁ । ଫଳରେ ନିଜେ ମା’ ଘର ଭିତରେ ତାଙ୍କ ସ୍ୱାମୀଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।

ସୂଚନା ମୁତାବକ ଜଣେ ୫୫ ବର୍ଷୀୟା ମହିଳାଙ୍କ ନିକଟରେ ଏମିତି ଘଟଣା ଘଟିଛି । ଉଭୟ ବୃଦ୍ଧ ସ୍ୱାମୀ-ସ୍ତ୍ରୀ ତାଙ୍କ ଦୁଇ ପୁଅଙ୍କ ଦ୍ୱାରା ଅବହେଳିତ ହେବା ପରେ ଦୀର୍ଘ ଦିନ ଧରି ଅଲଗା ରହୁଥିଲେ । ହେଲେ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ସବୁବେଳେ ଠିକ୍‌ ରହୁନଥିଲା । ଗତ ସୋମବାର ଶଯ୍ୟାଶାୟୀ ସ୍ୱାମୀଙ୍କ ହଠାତ୍‌ ହୃଦଘାତ ହେବା ସହ ମୃତ୍ୟୁ ହୋଇଯାଇଥିଲା ।

ପୋଲିସର ସୂଚନା ଅନୁସାରେ କୁର୍ନଲର ପାଥିକୋଣ୍ଡା ସହରରେ ଏହି ଘଟଣା ଘଟିଛି । ସେହି ଅଞ୍ଚଳର ଇନିସ୍‌ପେକ୍ଟର କହିଛନ୍ତି, ବୃଦ୍ଧା ମହିଳାଙ୍କ ସ୍ୱାମୀ ପି. ହରିକୃଷ୍ଣ ପ୍ରସାଦ ଏକ ଔଷଧ ଦୋକାନ ଚଳାନ୍ତି । ତାଙ୍କ ବୟସ ୬୦ ହେବ । ପି. ହରିକୃଷ୍ଣ ପ୍ରସାଦଙ୍କ ବଡ ପୁଅ ଦୀନେଶ ଓ ସାନପୁଅ ମୁକେଶ ଉଭୟ ଡାକ୍ତର । ଦୀନେଶ କୁର୍ନଲର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବାବେଳେ ମୁକେଶ ମଧ୍ୟ କାନାଡ଼ାରେ ରହି ଆସୁଛନ୍ତି ।

ଏହାକୁ ନେଇ ବୃଦ୍ଧ ମହିଳା ଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ସେ ପୋଲିସକୁ କହିଛନ୍ତି, ତାଙ୍କ ସ୍ୱାମୀ ବିଭିନ୍ନ ରୋଗରେ ପୀଡିତ ଥିଲେ । ଗତ ୬ ବର୍ଷ ଧରି ଶଯ୍ୟାଶାୟୀ ଥିଲେ । ସୋମବାର ସକାଳେ ତାଙ୍କର ହୃଦ୍‌ଘାତରେ ଦେହାନ୍ତ ହୋଇଛି ।

ପୁଅମାନେ ସେମାନଙ୍କ ଯତ୍ନ ନେଉନଥିବାରୁ ସେମାନେ କିଛି ଦିନ ଧରି ଉଦାସ ରହୁଥିଲେ । ଶଯ୍ୟାଶାୟୀ ସ୍ୱାମୀଙ୍କୁ ସେ ଦିର୍ଘଦିନ ଧରି ଡାକ୍ତରଖାନାରେ ଚିକିତ୍ସା କରାଇ ଆସୁଥିଲେ । ହେଲେ ପରେ ତାଙ୍କ ଦେହାନ୍ତ ହେବାରୁ ସେ ଏକାକୀ ତାଙ୍କ ସ୍ୱାମୀଙ୍କ ମୃତଦେହକୁ ଘର ଭିତରେ ସତ୍କାର କରିଥିବା କହିଛନ୍ତି । ଏହା ବ୍ୟତୀତ ଏହି ନିଷ୍ପତ୍ତି ସେ ନିଜେ ନେଇଥିବା ସହ ସେମାନଙ୍କ ଯତ୍ନ ପୁଅମାନେ କେବେବି ନେଇ ନଥିବା ଦାବି କରିଛନ୍ତି ।