/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701009942.jpg)
Tunnel Tragedy
ଟନେଲର ଅଧାବାଟରେ ଅଗର ମେସିନ ଭାଙ୍ଗିଯିବା ପରେ ଆରମ୍ଭ ହେଲା ଉପରପଟୁ ଖନନ। ସୁଡଙ୍ଗ ଉପରେ ନନଷ୍ଟପ୍ ଡ୍ରିଲିଂ କରିଚାଲିଛି ମେସିନ୍। ମାତ୍ର ୫ରୁ ୬ ଘଂଟା ମଧ୍ୟରେ ୧୫ ମିଟର ଭର୍ଟିକାଲ୍ ଡ୍ରିଲିଂ ହୋଇସାରିଲାଣି। ଆହୁରି ଅନବରତ ଖୋଳା ଚାଲିଛି। ବିଶେଷଜ୍ଞଙ୍କ ସୂଚନା ଅନୁସାରେ, ସୁଡଙ୍ଗ ଭିତର ଯାଏଁ ପହଁଚିବାକୁ ହେଲେ ୮୬ ମିଟର ଡ୍ରିଲିଂ ଦରକାର। ତାପରେ ଷ୍ଟିଲରେ ତିଆରି ଟନେଲର ବାହାର ଅଂଶକୁ କାଟିବାକୁ ପଡିବ। ପ୍ଲାନ୍-B ର ଏହି ପ୍ରକ୍ରିୟା ପାଇଁ ଅତି କମରେ ୪ ଦିନ ସମୟ ଲାଗିବ ବୋଲି ଆକଳନ କରାଯାଉଛି।
ପ୍ଲାନ-Dରେ ବ୍ୟାକ୍ ଅପ୍ ଭାବେ ଟନେଲର ବାରକୋଟ୍ ପଟରୁ ମଧ୍ୟ ଭର୍ଟିକାଲ ଡ୍ରିଲିଂ କରାଯାଉଛି। ସେହିପରି ପ୍ଲାନ- E ରେ ଟନେଲର ବାରକୋଟ ପଟରୁ ହରାଇଜଣ୍ଟାଲ ଡ୍ରିଲିଂ ବି ଚାଲୁ ରହିଛି। ତେବେ ବାରମ୍ବାର ପଥର ଆସିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି। ପ୍ଲାନ- F ରେ ଡ୍ରିଫ୍ଟ ଡ୍ରିଲିଂ ବି ହେଉଛି। ସେପଟେ ପ୍ଲାନ- C ଅନୁସାରେ ଟନେଲ ଭିତରେ ପହଁଚିବାକୁ ହରାଇଜେଣ୍ଟାଲ ଡ୍ରିଲିଂ ବି ଆରମ୍ଭ ହେବ। ଏଥିପାଇଁ ଜାଗା ଚିହ୍ନଟ ସରିଛି। ଟନେଲ ଭିତର ପଟରୁ ଏହା ୧୮୦ ମିଟର ଦୂର। ଏଥିପାଇଁ କଂକ୍ରିଟ ବେଡିଂ ତିଆରି ହୋଇଥିବା ବେଳେ ୨୮ରୁ ଡ୍ରିଲିଂ ଆରମ୍ଭ ହେବ। ତେବେ ଏଥିପାଇଁ ଦିନକୁ ୧୨ ମିଟର ହିସାବରେ ୧୫ ଦିନ ସମୟ ଲାଗିପାରେ।
ଏପଟେ ପ୍ଲାନ୍-A ରେ ଟନେଲର ସିଲକ୍ୟାରା ପଟେ ରେସକ୍ୟୁ ଅପରେସନରେ ସାମିଲ ହୋଇଛି ଭାରତୀୟ ସେନା। ଟେକନିକାଲ୍ ଟିମ୍ ସହ ମିଶି ଆର୍ମି ଯବାନ ମାନୁଆଲ୍ ଡ୍ରିଲିଂ କରିବେ। ସେମାନଙ୍କୁ ସହଯୋଗ କରୁଛନ୍ତି ଆର୍ମି ଇଂଜିନିୟର। ଉଦ୍ଧାର କାର୍ଯ୍ୟ ବେଳେ ପ୍ରାୟ ୧୩ ମିଟର ଦୂରରେ ଅଗର ମେସିନର ଏକ ଅଂଶ ପଥରରେ ଅଟକି ଯାଇଥିବାରୁ, ତାକୁ ବାହାର କରିବା କାମ ଚାଲିଛି। ଏହାପରେ ଆରମ୍ଭ ହେବ ପାଇପ୍ ମଧ୍ୟରେ ହାତରେ ପଥର ଖୋଦେଇ। ଉଦ୍ଧାର କାର୍ଯ୍ୟଲାଗି ଦେଶର ବିଭିନ୍ନ ସ୍ଥାନରୁ ଆସି ପହଁଚିଛି ମାଗ୍ନା, ଲେଜର ଏବଂ ପ୍ଲାଜମା କଟର ମେସିନ୍। ତେବେ ପାହାଡ଼ର ସ୍ତରରେ ଆକସ୍ମିକ ପରିବର୍ତ୍ତନ ହେଉଥିବାରୁ ନିରୀକ୍ଷଣ କାର୍ଯ୍ୟ ମଧ୍ୟ ସମ୍ଭବପର ହେଉନଥିବା କହିଛନ୍ତି ବିଶେଷଜ୍ଞ। ଉତ୍ତରାଖଣ୍ଡ ଉତ୍ତରକାଶୀ ଏହି ସୁଡଙ୍ଗରେ ୧୫ ଦିନ ହେଲା ଫସିଛନ୍ତି ୫ ଓଡ଼ିଆଙ୍କ ସମେତ ୪୧ ଜଣ ଶ୍ରମିକ। ସେମାନଙ୍କୁ ଉଦ୍ଧାର ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)