ଏଥର ଜଣାପଡିଯିବ କେମିତି ହୋଇଥିଲା ଅହମଦାବାଦ ବିମାନ ଦୁର୍ଘଟଣା । ବ୍ଲାକ ବକ୍ସର ଡାଟା ଡାଉନଲୋଡ୍ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରିକଭରୀ କରିବାରେ ସକ୍ଷମ ହୋଇଛି । କକପିଟ୍ ଭଏସ୍ ରେକର୍ଡର (CVR) ଓ ଫ୍ଲାଇଟ୍ ଡାଟା ରେକର୍ଡର (FDR) ର ଆନାଲିସିସ୍ କରିବା ଆରମ୍ଭ କରିଛି । ଏହି ଆନାଲିସିସରୁ ଜଣାଡିଯିବ, ଦୁର୍ଘଟଣାର କାରଣ ।
ଜୁନ୍ ୧୨ ତାରିଖରେ ଲଣ୍ଡନ ଯାଉଥିବା ଅହମ୍ମଦାବାଦ ଏୟାର ଇଣ୍ଡିଆ ବିମାନ କ୍ରାସ୍ ହୋଇଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ଘଟିଥିଲା । ବିଜେ ମେଡିକାଲ କଲେଜ ହଷ୍ଟେଲରେ ଏହି ବିମାନ ଖସିପଡିଥିଲା । ଅନ୍ୟ ୩୪ ଜଣ ମଧ୍ୟ ପ୍ରାଣ ହରାଇଥିଲେ । ତେଣୁ ମୋଟରେ ୨୭୫ ଜଣଙ୍କର ପ୍ରାଣହାନି ଘଟିଥିଲା । ବିମାନର ବ୍ଲାକବକ୍ସରୁ ଉଦ୍ଧାର ହୋଇଛି ଡାଟା ।
Also Read
ଗତ ୨୪-୨୫ ତାରିଖରେ ଏହି ଡାଟା ଉଦ୍ଧାର ହୋଇଛି । AAIB ଲାବ୍ ରେ ସଫଳତାର ସହ ଡାଟା ଡାଉନଲୋଡ୍ ସମ୍ପନ୍ନ ହୋଇଥିବାର ଜଣାପଡିଛି । ଫ୍ରଣ୍ଟ ବ୍ଲାକ ବକ୍ସରୁ କ୍ରାସ ପ୍ରୋଟେକସନ୍ ମୋଡ୍ୟୁଲ୍ ବା ସିପିଏମ୍ ମଧ୍ୟ ଉଦ୍ଧାର ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, AI 171 ବିମାନର ବ୍ଲାକ ବକ୍ସ ଭାରତରେ ଅଛି ଓ ତଦନ୍ତ କରାଯାଉଛି ।
ଡାଟା ରିକଭରୀ ପାଇଁ ବ୍ଲାକବକ୍ସକୁ ବିଦେଶକୁ ପଠାଯିବ ବୋଲି ହେଉଥିବା ଚର୍ଚ୍ଚା ଭିତରେ ମନ୍ତ୍ରୀ କହିଛନ୍ତି, ଭାରତରେ ହିଁ ଡାଟା ରିକଭରୀ ହୋଇଛି । ବିଦେଶକୁ ପଠାଯିବାର ଆବଶ୍ୟକତା ନାହିଁ । ତିନି ମାସ ମଧ୍ୟରେ AAIB (Aircraft Accident Investigation Bureau) ଏହି ତଦନ୍ତ ଶେଷ କରିବ । କାହିଁକି ଦୁର୍ଘଟଣା ହେଲା ଓ ତା ପୂର୍ବ ସମୟର ଅବସ୍ଥା ସଂପର୍କରେ ସବୁ କିଛି ଜଣାପଡିଯିବ । ବ୍ଲାକ ବକ୍ସ ଡିକୋଡିଂରେ ସବୁ କିଛି ସ୍ପଷ୍ଟ ହୋଇଯିବ ।
ଭବିଷ୍ୟତରେ କେମିତି ଏହି ଦୁର୍ଘଟଣା ନହେବ, ସେ ନେଇ ଏଥିରୁ ବହୁତ କିଛି ଇନପୁଟ୍ ମିଳିପାରିବ । ତେବେ ଆମେରିକା ନୌସେନାର ଜଣେ ପାଇଲଟ୍ କ୍ୟାପଟେନ୍ ଷ୍ଟିଭ୍ ସ୍କିବନର୍ କହିଛନ୍ତି, ବିମାନ ଟେକଅଫ୍ କରିବା ପରେ ପରେ ରାମ୍ ଏୟାର୍ ଟର୍ବାଇନ୍ ଅନ୍ କରି ଦିଆଯାଇଥିବାରୁ ଦୁଇଟି ଯାକ ଇଞ୍ଜିନ ଫେଲୁଅର୍ ହୋଇଯାଇଛି ।