• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଜ୍ଞାନବାପୀ ଚର୍ଚ୍ଚାରେ । ଆଜ୍ଞା ହଁ ଜ୍ଞାନବାପୀ ମସଜିଦ୍ ଏବେ ପୁଣି ଚର୍ଚ୍ଚାକୁ ଫେରିଛି । ବାରାଣାସୀ କୋର୍ଟ ଜ୍ଞାନବାପୀ ମସଜିଦ୍ ମାମଲାରେ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ମସଜିଦ୍ ପରିସରରେ ASI ସର୍ଭେ କରିପାରିବ । ଏଏସ୍‌ଆଇକୁ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ସର୍ଭେ କରିବାକୁ ବାରାଣାସୀ କୋର୍ଟ ଅନୁମତି ଦେଇଛନ୍ତି । ତେବେ ଏଥିରେ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି କୋର୍ଟ । କୋର୍ଟ କହିଛନ୍ତି ଏଏସ୍‌ଆଇ ମସ୍‌ଜିଦ୍‌ ପରିସରରେ ସମସ୍ତ ପ୍ରକାର ସର୍ଭେ କରିପାରିବ । କିନ୍ତୁ ଯେଉଁ ସ୍ଥାନକୁ ନେଇ ବିବାଦ ରହିଛି, ସେହି ସ୍ଥାନରେ କୌଣସି ପ୍ରକାର ସର୍ଭେ କରିପାରିବ ନାହିଁ ।

ତେବେ ପୂର୍ବରୁ ମୁସ୍‌ଲିମ୍‌ ପକ୍ଷ ଏହି ସର୍ଭେକୁ ବିରୋଧ କରିଥିଲେ । କିନ୍ତୁ କୋର୍ଟ ସମସ୍ତ ତଥ୍ୟ, ପ୍ରମାଣ, ଦସ୍ତାବିଜ୍ ଓ ଓକିଲଙ୍କ ଯୁକ୍ତିକୁ ଆଧାର କରି, ଏସ୍‌ଆଇକୁ ସର୍ଭେ ପାଇଁ ଅନୁମତି ଦେଇଛନ୍ତି । ବାରାଣାସୀ ଜିଲ୍ଲା ଜଜ୍‌ ଅଜୟ କୃଷ୍ଣ ବିଶ୍ୱାସ୍‌ଙ୍କ କୋର୍ଟ ଏହି ମାମଲାର ଶୁଣାଣି କରିଥିବା ବେଳେ ଏଭଳି ଆଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୪ରେ ହେବ । ତେଣୁ କୋର୍ଟ ASIକୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ଆସନ୍ତା ଶୁଣାଣି ମଧ୍ୟରେ ତଥା ଅଗଷ୍ଟ ୪ ଭିତରେ ASI ସର୍ଭେ ଶେଷ କରି ରିପୋର୍ଟ ଦାଖଲ କରିବ ।

ସୂଚନାଯୋଗ୍ୟ, ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ଫଇସଲାକୁ ସଂରକ୍ଷିତ ରଖିଥିଲେ ବାରାଣାସୀ କୋର୍ଟ । କିନ୍ତୁ ୧୬ ତାରିଖରେ କିଛି ମହିଳାଗୋଷ୍ଠୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲେ ଯେ, ବିବାଦୀୟ ସ୍ଥାନକୁ ଛାଡ଼ି ASI ଅନ୍ୟ ସବୁ ସ୍ଥାନକୁ ସର୍ଭେ ଅନ୍ତର୍ଭୁକ୍ତ କରନ୍ତୁ । ପରେ ଜୁଲାଇ ୨୧ ତାରିଖରେ ଏହି ମାମଲାରେ ଫଇସଲା ଶୁଣାଯିବ ବୋଲି କୁହାଯାଇଥିଲା । ତେଣୁ ଆଜି ବାରଣାସୀ କୋର୍ଟ ଏହି ମାମଲାର ରାୟ ଶୁଣାଇବା ସହିତ ହିନ୍ଦୁଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ।

ତେବେ ଜ୍ଞାନବାପୀ ମସଜିଦ୍ ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧିତ୍ୱ କରୁଥିବା ଓକିଲ ହେଉଛନ୍ତି ବିଷ୍ଣୁ ଶଙ୍କର ଜୈନ । ସେ କୋର୍ଟଙ୍କ ସମ୍ପୂର୍ଣ୍ଣ ରାୟକୁ ପଢି ଶୁଣାଇଛନ୍ତି । ଏଥିରେ କୋର୍ଟ ଏଏସଆଇକୁ ସର୍ଭେ କରିବାକୁ ଅନୁମତି ପ୍ରଦାନ କରିଥିବା କୁହାଯାଇଛି । ତେବେ ବିବାଦୀୟ ସ୍ଥାନକୁ ଛାଡ଼ି ଏଏସଆଇ ସମସ୍ତ ଅଞ୍ଚଳରେ ସର୍ଭେ କରିପାରିବ ବୋଲି କୁହାଯାଇଛି ।