• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସନ୍ତାନ ପାଇଁ ବାପା ମାଆ .. ସନ୍ତାନକୁ ନେଇ ବାପା ମାଆ .. ଛୁଆଟିଏ ପାଇବାକୁ ଯେତେ ଚେଷ୍ଟା, ଯେତେ ପୂଜାପାଠ । ଘରକୁ ଛୁଆଟିଏ ଆସିଲେ ଘର ପୁରି ଉଠେ । ତାର ଛୋଟ ଛୋଟ ବଦମାସୀରେ ପୁରା ପରିବାର ଖୁସିରେ ଗଦଗଦ ହୋଇଯାଏ । ସନ୍ତାନର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ପ୍ରଭୁଙ୍କ ପାଖରେ ନିତି ଦୀପ ଜାଳନ୍ତି ପିତାମାତା । ଆଉ ସେହି ସନ୍ତାନ ଯେବେ ଛାଡ଼ି ଚାଲିଯାଏ ।... ସେବେ ପୁରା ଦୁନିଆ ଅନ୍ଧାର ପାଲଟିଯାଏ ।

ବିବାହର ୧୭ ବର୍ଷ ପରେ ଖୁସି ଫେରିଥିଲା ଘରକୁ । କୁଳନନ୍ଦନକୁ ଦେଖି ସବୁ ଦୁଃଖ କଷ୍ଟ ଭୁଲି ଯାଉଥିଲେ । କିନ୍ତୁ କାଳର କରାଳ ନଜର ଯେମିତି ହସଖୁସିର ପରିବାର ଉପରେ ପଡ଼ିଗଲା । କୋଳକୁ ଆସିଥିବା ଦୁଇଟି କୁନି କୁନି ଛୁଆକୁ ଛଡ଼ାଇ ନେଲା ଦଇବ .. ପୂର୍ଣ୍ଣ କୋଳକୁ ଶୂନ୍ୟ କରି ଦେଇଗଲା ..

ସ୍କୁଲ ପିକନିକ ଯାଉଥିଲେ .. କିନ୍ତୁ ହ୍ରହ ଭିତରେ ଛକି ରହିଥିଲା ମୃତ୍ୟୁ । ହାର୍ନି ହ୍ରଦରେ ବୁଡ଼ିଯାଇଥିଲା ଡଙ୍ଗା । ଆଉ ଏହି ଡଙ୍ଗା ବୁଡ଼ିରେ ୧୭ ବର୍ଷ ପରେ ପାଇଥିବା ଛୁଆକୁ ହରାଇଥିଲେ ଦମ୍ପତ୍ତି । ପୁଣି ଗୋଟିଏ ନୁହେଁ, ଦୁଇ ଦୁଇଟି ଛୁଆକୁ ଛଡ଼ାଇନେଲା ଯମ। ଏହି ଡଙ୍ଗାବୁଡ଼ିରେ ଦୁଇ ଛୁଆଙ୍କ ଜୀବନ ଚାଲିଗଲା। ନିୟୁ ସନ୍ ରାଇଜ ସ୍କୁଲ ତରଫରୁ ପିକନିକର ଆୟୋଜନ କରାଯାଇଥିଲା । କିନ୍ତୁ ମଝି ହ୍ରଦରେ ଡଙ୍ଗା ବୁଡ଼ିଯିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୬ ଜଣଙ୍କର ମୃତ୍ୟୁ ହୋଇ ସାରିଛି ।

ମୃତକଙ୍କ ମଧ୍ୟରେ ଉପରୋକ୍ତ ପରିବାର ଦୁଇଜଣ ପିଲା ଥିଲେ । ପୁଅଟି ଦ୍ୱିତୀୟରେ ପଢ଼ୁଥିବା ବେଳେ, ଝିଅ ତୃତୀୟ ଶ୍ରେଣୀର ଛାତ୍ରୀ ଥିଲା । ବାପା ଲଣ୍ତନରେ ରହୁଥିବା ବେଳେ ମାଆ ପରିବାର ସହ ଅଜୱା ରୋଡରେ ରହୁଥିଲେ । ବିଭିନ୍ନ ଜାଗାରେ ବହୁ ପୂଜାପାଠ କରିବା ପରେ କୋଳକୁ ଦୁଇଟି ଛୁଆ ଆସିଥିଲେ ବୋଲି କହିଛନ୍ତି ନିକଟ ସମ୍ପର୍କୀୟ । ପିଲାଙ୍କୁ ଉଦ୍ଧାର କରିବାର କିଛି ସମୟ ମଧ୍ୟରେ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା । ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଦୁର୍ଘଟଣା ସ୍ଥଳକୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ବହୁ ବରିଷ୍ଠ ଅଧିକାରୀମାନେ ପରିଦର୍ଶନ କରିଛନ୍ତି । ଏହା ସହ ଡଙ୍ଗାଟି କାହିଁକି ଓ କେଉଁ ପରିସ୍ଥିତିରେ ବୁଡ଼ିଲେ ସେନେଇ ମଧ୍ୟ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା କଲେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବିଦ୍ୟାଳୟର ପ୍ରାୟ ୨୪ ରୁ ଅଧିକ ଛାତ୍ର ଓ ଚାରିଜଣ ଶିକ୍ଷକ ପିକନିକ କରିବାକୁ ଡଙ୍ଗାରେ ଯାଉଥିଲେ । ଡଙ୍ଗାରେ ଥିବା କେହି ମଧ୍ୟ ଲାଇଫ୍ ଜ୍ୟାକେଟ୍ ପିନ୍ଧିଥିଲେ କି ନାହିଁ ଜଣା ପଡ଼ନାହିଁ । ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦,୦୦୦ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଅନ୍ୟପଟେ ଏପରି ଦୁଃଖଦ ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି । ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସହଗତି କାମନା କରିଛନ୍ତି ରାଷ୍ଟ୍ରପତି ।