• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାରତ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଭାରତୀୟ କମ୍ପାନୀ ଦ୍ୱାରା ପ୍ରସ୍ତୁତ କପ୍‌ସିରପ୍‌ରେ ମଲେଣି ୧୮ ଶିଶୁ । ଏଭଳି ସାଂଘାତିକ ଅଭିଯୋଗ କରିଛି ଉଜ୍‌ବେକିସ୍ତାନ । ସେ ସିଧାସଳଖ ଭାରତ ବିରୋଧରେ ଅଭିଯୋଗ ଆଣିଛି ଯେ, ଦିଲ୍ଲୀ ନୋଇଡ଼ା ସ୍ଥିତ ମାରିଅନ୍ ବାୟୋଟେକ୍ ଫାର୍ମା କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ୍‌ସିରପ୍‌ ଡକ୍‌-୧ ଖାଇ ୧୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।

ତେବେ ଏଭଳି ସାଂଘାତିକ ଅଭିଯୋଗ ପାଇବା ପରେ ଭାରତୀୟ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି କଫ୍‌ସିରପ୍‌ର ନମୁନା ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି । ଅନ୍ୟପଟେ ଏହି ଯାଞ୍ଚ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଏହି ସଂସ୍ଥା କଫ୍‌ସିରପ୍‌ ପ୍ରସ୍ତୁତ କରିପାରିବ ନାହିଁ । କିମ୍ବା କୌଣସି ଷ୍ଟକ୍‌ ବିକ୍ରି କରିପାରିବ ନାହିଁ । ସ୍ୱାସ୍ଥ୍ୟମନ୍ତ୍ରୀ ମନ୍‌ସୁଖ ମାଣ୍ଡଭୀୟ କହିଛନ୍ତି ଯେ, କଫ୍‌ସିରପ୍‌ର ନମୁନା ଯାଞ୍ଚ ପାଇଁ ଚଣ୍ଡିଗଡ଼ସ୍ଥିତ ରିଜିଓନାଲ ଡ୍ରଗ୍ ପରୀକ୍ଷା କେନ୍ଦ୍ରକୁ ଦାୟିତ୍ୱ ଦିଆଯାଇଛି । ଉକ୍ତ ସଂସ୍ଥା ଏନେଇ ରିପୋର୍ଟ ପ୍ରଦାନ କରିବା ପରେ, ଏହାକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ ୨୭ ଡିସେମ୍ବରରୁ ଉଜ୍‌ବେକିସ୍ତାନ ସହ କେନ୍ଦ୍ର ସରକାର ଏନେଇ ଯୋଗାଯୋଗରେ ରହିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଛନ୍ତି ।

ଉଜ୍‌ବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା କଥା, ଗୋଟିଏ ଲଟ୍‌ରେ ଆସିଥିବା ଅନେକ କଫ୍‌ସିରଫ୍‌ର ନମୁନା ସଂଗ୍ରହ କରାଯାଇ ଏକ ଳ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଯାଇଥିଲା  । ସେଠାରେ ଜଣାପଡ଼ିଲା ଯେ, କଫ୍‌ସିରଫ୍‌ରେ ‘ଇଥେଲିନ୍‌ ଗ୍ଲାଇକୋଲ’ ନାମକ ରସାୟନିକ ପଦାର୍ଥ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ଏହି ଔଷଧ ଛୋଟ ପିଲାମାନଙ୍କୁ ଦିଆଯାଉଛି । କିଛି ଅଭିଭାବକ, ଡାକ୍ତରଙ୍କ ବିନା ପରାମର୍ଶରେ କିମ୍ବା ଫାର୍ମସିଷ୍ଟ ତଥା ଔଷଧ ଦୋକାନୀଙ୍କ ପରାମର୍ଶରେ ପିଲାଙ୍କୁ ଏହି ଔଷଧ ଦେଉଛନ୍ତି । ଯାହାଫଳରେ ଏହାର ଡୋଜ୍‌ ବେଳେବଳେ ଅଧିକ ହୋଇଯାଉଛି ।  

ଏହା ମଧ୍ୟ ଲକ୍ଷ କରାଯାଇଛି ଯେ, ଯେଉଁ ପିଲାମାନେ ମେଡିକାଲରେ ଭର୍ତ୍ତି ହେଉଛନ୍ତି ସେମାନେ କିଛି ଦିନ ପୂର୍ବରୁ ଅର୍ଥାତ୍‌ ପ୍ରାୟ ସପ୍ତାହେ ହେବ ଏହି କଫ୍‌ସିରଫ୍‌ ବ୍ୟବହାର କରୁଥିଲେ । ସେମାନଙ୍କୁ ୨.୫ରୁ ୫ ମିଲିଲିଟର ପରିମାଣର ଔଷଧ ଦିନକୁ ୩-୪ ଥର ଦିଆଯାଉଥିଲା । ଛୋଟ ପିଲାଙ୍କ କ୍ଷେତ୍ରରେ ଏହି ଡୋଜ୍‌ ଖୁବ୍‌ ଅଧିକ । ଏହି ସିରପ୍‌କୁ ଅଭିଭାବକମାନେ ଥଣ୍ଡା ରୋଗ ଭଲ ହେବା ପାଇଁ ଦେଇଥାନ୍ତି ।

ପ୍ରାୟ ୧୮ ଜଣ ପିଲାଙ୍କ ମୃତ୍ୟୁ ପରେ ଏହି ଡକ୍‌-୧ ମାକ୍ସ ଟାବ୍ଳେଟ୍‌ ଏବଂ ସିରପ୍‌କୁ ସବୁ ଫାର୍ମାସିଟି ଦୋକାନ୍‌ରୁ ବାହାର କରାଯାଇଛି । ଅର୍ଥାତ୍‌ ଏହି ଔଷଧ ବିକ୍ରି ନକରିବା ପାଇଁ ଦୋକାନୀଙ୍କୁ ପରାମର୍ଶ ଦିଆଯାଇଛି । ତେବେ ଏଭଳି ବିପଦ ସମୟରେ ସଠିକ୍ ପଦକ୍ଷେପ ନେବାରେ ବିଳମ୍ବ କରିବାରୁ ୭ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । 

ତେବେ ଏହି ପୁରା ଘଟଣାର ତଦନ୍ତ କରିବା ନେଇ ଭାରତରେ ଏକ ଯୌଥ ଟିମ୍‌ ଗଠନ କରାଯାଇଛି । ଏଥିରେ Central Drugs Standard Control Organisation ବା CDSCO ଓ ଉତ୍ତର ପ୍ରଦେଶ ଡ୍ରଗ୍ସ କଣ୍ଟ୍ରୋଲିଂ ଆଣ୍ଡ ଲାଇସେନ୍ସ ଅଥରିଟି ସାମିଲ ଅଛନ୍ତି । ତେବେ ମାରିଅନ୍‌ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, ସିରପର ସାମ୍ପୁଲ କଲେକ୍ସନ୍ କରାଯାଇଛି । ଏହାର ପରୀକ୍ଷା ପାଇଁ ମଧ୍ୟ ପଠାଯାଇଛି । ରିପୋର୍ଟ ଆସିବା ପରେ ଏନେଇ ପଦକ୍ଷେପ ନିଆଯିବ ।

ତେବେ ଏଭଳି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି । ଯାହାକି ଭାରତୀୟ ସଂସ୍ଥାଦ୍ୱାରା ପ୍ରସ୍ତୁତ କଫ୍‌ସିରଫ୍‌ ଖାଇ ଛୁଆ ମୃତ୍ୟୁ ବରଣ କରିଛନ୍ତି । ଉଜ୍‌ବେକିସ୍ତାନ ପୂର୍ବରୁ ଗାମ୍ବିଆରେ ୭୦ ଜଣ ଛୋଟ ପିଲାଙ୍କର ମୃତ୍ୟୁ ହୋଇଥିଲା ।