• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଉ ମାତ୍ର ୪ ମିଟର ଦୂରରେ ୪୧ ଜୀବନ । ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୪ ମିଟର ରହିଛି । ଆଉ କିଛି ଘଣ୍ଟା ଭିତରେ ସେମାନଙ୍କ ନିକଟରେ ପହଞ୍ଚିବେ NDRFର ଉଦ୍ଧାରକାରୀ ଟିମ୍ । ଏହି ସୂଚନା ଦେଇଛନ୍ତି ପିଏମଓର ପୂର୍ବତନ ପରାମର୍ଶଦାତା ଭାସ୍କର କୁଲବେ ।

ସେ କହିଛନ୍ତି, ଡ୍ରିଲିଂ କରିବା ବେଳେ ବାଟରେ ଏକ ଲୁହା ଛଡ ପଡ଼ିଥିଲା । ତେଣୁ ଖନନ ବନ୍ଦ କରାଯାଇଥିଲା । ଗ୍ୟାସ କଟରରେ ତାକୁ କାଟି ହଟାଯାଇଛି । ଏହା ପରେ ପୁଣି ଡ୍ରିଲିଂ କାମ ଆରମ୍ଭ ହୋଇଛି । ତେଣୁ ଆଶା କରାଯାଉଛି ଖୁବ୍‌ଶୀଘ୍ର ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଟିମ୍ ।

ସବୁ ପ୍ରକାର ସାହାଯ୍ୟ କରିବାକୁ ଦିଲ୍ଲୀରୁ ଆସିଛନ୍ତି ୱେଲଡିଂ ଏକ୍ସପର୍ଟ । ନିର୍ମାଣାଧୀନ ଟନେଲ ଭୁଶୁଡ଼ି ପଡ଼ିବାରୁ ନଭେମ୍ବର ୧୨ ତାରିଖରୁ ତା’ ଭିତରେ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ମଧ୍ୟ ଫସିଛନ୍ତି ।

ଟନେଲରେ ଫସିଥିବା ଶ୍ରମିକଙ୍କ ସହ କଥା ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ଭିତରେ ସେମାନେ କେମିତି ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ କିପରି ରହିଛି, ସେନେଇ ଶ୍ରମିକଙ୍କ ସହ କଥା ହୋଇ ପଚାରି ବୁଝିଛନ୍ତି । ଏଥିସହ ଖୁବଶୀଘ୍ର ସେମାନଙ୍କୁ ସୁଡଙ୍ଗରୁ ସୁରକ୍ଷିତ ବାହାର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଶ୍ରମିକଙ୍କ ମନୋବଳ ବି ବଢାଇଛନ୍ତି । ୧୨ ଦିନ ଧରି ଟନେଲ ଭିତରେ ଫସିଥିବା ଶ୍ରମିକଙ୍କ ମୁକ୍ତି ନେଇ ସାରା ଦେଶ ପ୍ରାର୍ଥନା କରୁଥିବା ଶ୍ରମିକଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

ସେପଟେ ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ । ଏଥିରେ ଅତ୍ୟାଧୁନିକ ମେସିନ ଏବଂ ଉପକରଣ ମହଜୁଦ ରଖାଯାଇଛି । ହସପିଟାଲରେ ପ୍ରସ୍ତୁତ ରଖାଯାଇଛି ବେଡ୍ । ଟନେଲରୁ ବାହାରିବା ମାତ୍ରେ ତୁରନ୍ତ ଶ୍ରମିକଙ୍କ ଚିକିତ୍ସା କରାଯିବ। ସେଥିପାଇଁ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀ ପ୍ରସ୍ତୁତ ରହିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now