/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700881834.jpg)
Tunnel Tragedy
ଉତ୍ତରକାଶୀ ଟନେଲରେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଆଜି ତ୍ବରାନ୍ବିତ ହେବ । ଗତକାଲି ଏକ ସର୍ଭେ ଟିମ୍ ପାଇପ ମାଧ୍ୟମରେ ଭିତରକୁ ଯାଇ ରାଡାର ଦ୍ବାରା ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ । ଉଦ୍ଧାର କାର୍ଯ୍ୟ ପାଇଁ ଖୋଳା ଯାଉଥିବା ଟନେଲର ୫ମିଟର ମଧ୍ୟରେ ଆଉ କୌଣସି କଠିନ ଧାତବ ପଦାର୍ଥ ନାହଁ । ତେଣୁ ଗତକାଲି ବୈଷୟିକ ତ୍ରୁଟି ଯୋଗୁଁ ବନ୍ଦ ରହିଥିବା ଖନନ ପ୍ରକ୍ରିୟା ଆଜି ଚାଲୁ କରା ଯାଇପାରେ ।
ଗତକାଲି ଅଗର ଡ୍ରିଲିଂ ମେସିନ ଆଗରେ ପୁଣି ଏକ ବାଧା ଆସିଥିଲା । ଏଯାବତ୍ ପ୍ରାୟ ୪୮ ମିଟର ଖୋଳା ସରିଛି ଓ ଶ୍ରମିକଙ୍କ ପାଖରେ ପାଇପ ପହଞ୍ଚିବାକୁ ଆଉ ମାତ୍ର ୧୦ ମିଟର ବାକି ଅଛି ବୋଲି ସୂଚନା ମିଳିଛି । ଶ୍ରମିକମାନେ ବାହାରିଲେ କିପରି ସେମାନଙ୍କୁ ପାଇପ ଭିତର ଦେଇ ଅଣାଯିବ ଗତକାଲି ତାର ଅଭ୍ୟାସ କରିଥିଲେ NDRF ଟିମ୍ ।
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଟ ଓଗାଳୁଛି ଅତି ଶକ୍ତ ପଥର, ଲୁହା ବିମ୍ ଓ ପାଇପ ଇତ୍ୟାଦି । ଫଳରେ ୨୫ ଟନ୍ ଓଜନ ଅଗର ଡ୍ରିଲିଂ ମେସିନର ଯନ୍ତ୍ରାଂଶ ଭାଙ୍ଗି ଯାଉଛି । ତେବେ ଉଦ୍ଧାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୨ ଦିନରୁ ଅଧିକ ସମୟ ହେଲା ବାହାର ଦୁନିଆ ଦେଖିନାହାନ୍ତି ଫସିଥିବା ୪୧ ଶ୍ରମିକ ।
ଅନ୍ୟପଟେ ରେସ୍କ୍ୟୁ ଅପରେସନ ସରି ଆସୁଥିବା ବେଳେ, ଟନେଲ ବାହାରେ ଭିଡ଼ ଜମାଇଲେଣି ଫସିଥିବା ଶ୍ରମିକଙ୍କ ସଂପର୍କୀୟ । ଓଡ଼ିଶାରୁ ମଧ୍ୟ କିଛି ଶ୍ରମିକଙ୍କ ସଂପର୍କୀୟଙ୍କୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ବିମାନରେ ଉତ୍ତରାଖଣ୍ଡ ପଠାଇବାର ବ୍ୟବସ୍ଥା କରାଯାଇଛି । ୫ ଜଣ ଓଡ଼ିଆ ଟନେଲରେ ଫସିଥିବା ବେଳେ, ସେମାନଙ୍କ ମଧ୍ୟରୁ ୩ ଜଣ ମୟୂରଭଞ୍ଜର। ସେମାନଙ୍କ ମଧ୍ୟରୁ ବିଶ୍ୱେଶ୍ୱର ନାଏକ ଓ ଧିରେନ ନାଏକଙ୍କ ଭାଇ ଉତ୍ତରକାଶୀ ଯାଉଛନ୍ତି ।
ଭଦ୍ରକ ବାସୁଦେବପୁରର ତପନ ମଣ୍ଡଳଙ୍କ ସହ ଫୋନରେ କଥା ହୋଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ତାଙ୍କ ବାପା । ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ସେମାନଙ୍କ ପରିବାର ଲୋକେ ଆଜି ବିମାନ ଯୋଗେ ସେଠାକୁ ଯିବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ୫ ଓଡ଼ିଆଙ୍କ ମଧ୍ୟରେ ମୟୂରଭଞ୍ଜରୁ ୩ ଜଣ ଏବଂ ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)