/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700652765.jpg)
Tunnel Tragedy
ଉତ୍ତରକାଶୀ ଟନେଲ୍ ଦୁର୍ଘଟଣା ଘଟଣାରେ ଆଜି ରାତି କିମ୍ବା ଆସନ୍ତାକାଲି ମିଳିପାରେ ବଡ଼ ଖବର। ଟନେଲର ସାମ୍ନା ପଟୁ ୩୯ ମିଟର ଖୋଳା ସରିଛି, ଉପର ପଟୁ ଖୋଳା ଆରମ୍ଭ ହେଲାଣି । ତେଣୁ ଖୁବ୍ ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆନୁମାନ କରାଯାଉଛି। ବୁଧବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପୂର୍ବତନ ଉପଦେଷ୍ଟା ଭାସ୍କର କୁଲବେଙ୍କ ଇସାରା ଏପରି କିଛି ସୂଚନା ଦେଇଛି। ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସକୁ ବି ଆଣି ରଖାଯାଇଛି।
ଟନେଲ୍ ଭିତରେ ୧୧ ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଥିବା ବେଳେ ଆଜି ଟନେଲର ଉପର ପଟୁ ଖୋଲିବା କାମ ଆରମ୍ଭ ହୋଇଛି। ସେପଟେ ଫସି ରହିଥିବା ଶ୍ରମିକ ମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ଉତ୍ତରକାଶୀ ଟନେଲ ଅଘଟଣ ପରେ NHAIର ସତର୍କତା- ସବୁ ଟନେଲର ହେବ ନିରାପତ୍ତା ଯାଞ୍ଚ
ତିନି ଦିନ ହେବ ୬ ଇଂଚର ପାଇପ ଦେଇ ଶ୍ରମିକଙ୍କ ପାଖକୁ ରନ୍ଧା ଖାଦ୍ୟ ପଠାଯାଉଛି । ରନ୍ଧାଖାଦ୍ୟକୁ ସିଲିଣ୍ଡର ଆକୃତିର ଛୋଟଛୋଟ ବୋତଲରେ ଭର୍ତ୍ତି କରିବା ପରେ ସତର୍କତାର ସହ ଶ୍ରମିକଙ୍କ ପାଖରେ ପହଁଚାଯାଉଛି । ପ୍ରତି ଶ୍ରମିକଙ୍କ ପାଇଁ ପଠାଯାଉଛି ୭୫୦ ଗ୍ରାମର ଖାଦ୍ୟ। ଏଥିସହ କିଛି ଫଳ, ୱାକିଟକି, ଚାର୍ଜର ଓ ଅନ୍ୟ ଆବଶ୍ୟକ ସାମଗ୍ରୀ ମଧ୍ୟ ପଠାଯାଇଛି।
କଳ-ବଳ-କୌଶଳ ଲଗାଇ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ। ଏବେ କରାଯାଇଛି ନୂଆ ରଣନୀତି। ଟନେଲର ତିନି ପଟୁ ଡ୍ରିଲିଂ କରାଯାଉଛି। ଯେଉଁଠି ଶ୍ରମିକମାନେ ଫସିଛନ୍ତି ତାର ବାମ ଓ ଡାହାଣ ପଟୁ ଡ୍ରିଲିଂ କରାଯାଉଛି। ତା ସହିତ ଉପରୁ ମଧ୍ୟ ହୋଲ୍ କରାଯାଇ ଯେ କୌଣସି ମତେ ଶ୍ରମିକଙ୍କ ପାଖରେ ପହଁଚିବାକୁ ହୋଇଛି ଯୋଜନା। ଏଥିପାଇଁ ୫ଟି ଟିମ୍ ରାତି ଦିନ କାମ କରୁଛନ୍ତି। ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି DRDOର ରୋବୋଟିକ ଟିମ୍ । ଇଣ୍ଟରନ୍ୟାସନାଲ ଟନେଲ ଏକ୍ସପର୍ଟ ଟିମ୍ ବି ଉଦ୍ୟମ ଜାରି ରଖିଛି।
ଉତ୍ତରକାଶୀର ଟନେଲରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର ପାଇଁ ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ବଡ଼ ବଡ଼ ପାଇପ୍ ମଧ୍ୟ ଯାଇଛି। ପାଇପଗୁଡ଼ିକୁ ନେବା ପାଇଁ ରାଉରକେଲା ବିମାନ ବନ୍ଦରରେ ପହଁଚିଥିଲା ଭାରତୀୟ ବାୟୁ ସେନାର ସ୍ୱତନ୍ତ୍ର ବିମାନ। କ୍ରେନ୍ ଯୋଗେ ବିଶାଳ ପାଇପଗୁଡିକୁ ବିମାନରେ ଭର୍ତ୍ତି କରାଯାଇଥିଲା।
ତେବେ ଉତ୍ତରକାଶୀର ଏହି ଟନେଲ୍ ଅଘଟଣ ପରେ NHAI ପକ୍ଷରୁ ସତର୍କତା ଜାରି କରାଯାଇଛି । ସାରା ଦେଶରେ ନିର୍ମାଣାଧୀନ ୨୯ଟି ଟନେଲ ପ୍ରକଳ୍ପର ସେଫ୍ଟି ଅଡିଟ୍ ବା ନିରାପତ୍ତା ଯାଞ୍ଚ କରିବ ଜାତୀୟ ରାଜପଥ ପ୍ରାଧିକରଣ(NHAI) । ଟନେଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ କେତେ ସୁରକ୍ଷିତ, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତି କେତେ ନିରାପଦ, ଏସବୁର ବୈଷୟିକ ଯାଞ୍ଚ କରାଯିବ ବୋଲି କୁହାଯାଇଛି ।
ଏନେଇ ତୁରନ୍ତ ଅଡିଟ୍ ପ୍ରକ୍ରିୟା ଆରମ୍ଭ କରିବାକୁ NHAI ଅଧ୍ୟକ୍ଷ ସନ୍ତୋଷ ଯାଦବ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସ୍ଥାନୀୟ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଶେଷଜ୍ଞଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନା ଅନୁସାରେ, ଏବେ ସାରା ଦେଶରେ ମୋଟ ୭୯ କିଲୋମିଟର ଟନେଲ୍ ତିଆରି କରାଯାଉଛି । ହିମାଚଳ ପ୍ରଦେଶରେ ସର୍ବାଧିକ ୧୨ଟି ଟନେଲ୍ ହେଉଥିବା ବେଳେ, ଜମ୍ମୁ ଓ କାଶ୍ମୀରରେ ୬ଟି ତିଆରି ଚାଲିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ସାରିଥିବା ଟନେଲ୍ ଗୁଡ଼ିକର ମଧ୍ୟ ସେଫ୍ଟି ଅଡିଟ୍ ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)