• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ ଅଘଟଣ ପରେ NHAIର ସତର୍କତା । ସାରା ଦେଶରେ ନିର୍ମାଣାଧୀନ ୨୯ଟି ଟନେଲ ପ୍ରକଳ୍ପର ସେଫ୍ଟି ଅଡିଟ୍ ବା ନିରାପତ୍ତା ଯାଞ୍ଚ କରିବ ଜାତୀୟ ରାଜପଥ ପ୍ରାଧିକରଣ(NHAI) । ଟନେଲ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଜାରି ରଖିବା ପାଇଁ କେତେ ସୁରକ୍ଷିତ, ଶ୍ରମିକ ଓ କର୍ମଚାରୀଙ୍କ ପ୍ରତି କେତେ ନିରାପଦ, ଏସବୁର ବୈଷୟିକ ଯାଞ୍ଚ କରାଯିବ ।

ଏନେଇ ତୁରନ୍ତ ଅଡିଟ୍ ପ୍ରକ୍ରିୟା ଆରମ୍ଭ କରିବାକୁ NHAI ଅଧ୍ୟକ୍ଷ ସନ୍ତୋଷ ଯାଦବ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ସ୍ଥାନୀୟ ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଶେଷଜ୍ଞଙ୍କୁ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ସୂଚନା ଅନୁସାରେ, ଏବେ ସାରା ଦେଶରେ ମୋଟ ୭୯ କିଲୋମିଟର ଟନେଲ୍ ତିଆରି କରାଯାଉଛି । ହିମାଚଳ ପ୍ରଦେଶରେ ସର୍ବାଧିକ ୧୨ଟି ଟନେଲ୍ ହେଉଥିବା ବେଳେ, ଜମ୍ମୁ ଓ କାଶ୍ମୀରରେ ୬ଟି ତିଆରି ଚାଲିଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଦ୍ୱିତୀୟ ପର୍ଯ୍ୟାୟରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ସାରିଥିବା ଟନେଲ୍ ଗୁଡ଼ିକର ମଧ୍ୟ ସେଫ୍ଟି ଅଡିଟ୍ ହେବ । ସେପଟେ ଉତ୍ତରକାଶୀ ଟନେଲ୍ ଭିତରେ ୧୧ଦିନ ହେଲା ଫସି ରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଛି । ସେମାନେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

୬ ଇଞ୍ଚ ଓସାରର ପାଇପ୍‌ରେ ସେମାନଙ୍କ ପାଖକୁ ରନ୍ଧା ଖାଦ୍ୟ, ପାନୀୟ ଏବଂ ଯୋଗାଯୋଗ ଓ ଅତ୍ୟାବଶ୍ୟକ ସାମଗ୍ରୀ ପଠାଯାଉଛି । ଗତକାଲି ସୁଡ଼ଙ୍ଗ ଭିତରକୁ ଏଣ୍ଡୋସ୍କୋପି କ୍ୟାମେରା ପଠାଯାଇ ସେମାନଙ୍କ ସ୍ଥିତି ଉପରେ ସିଧାସଳଖ ନଜର ରଖାଯାଇଛି । ଉଦ୍ଧାର କାର୍ଯ୍ୟ ସାରିବାକୁ ୫ ଦିନ ସମୟ ଲାଗିପାରେ ବୋଲି NDMA କହିଛି । କିନ୍ତୁ ଏହି ସମୟରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ NDRF ପ୍ରସ୍ତୁତ ରହିଛି ।