ବଦ୍ରିନାଥ ହିମସ୍ଖଳନ ଘଟଣାରେ ଜାରି ରହିଛି ଜୋର୍ଦାର୍ ରେସ୍କ୍ୟୁ ଅପରେସନ । ବରଫ ଅତଡ଼ା ତଳେ ଫସିଥିବା ଶ୍ରମିକଙ୍କ ମଧ୍ୟରୁ ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଆହୁରି ୨୨ ଜଣ ଫସିଥିବା ଆଶଙ୍କା କରାଯାଉଛି । ଏହି ଶ୍ରମିକମାନଙ୍କୁ ଉଦ୍ଧାର ଲାଗି ପ୍ରସ୍ତୁତ ରହିଛି ଭାରତୀୟ ବାୟୁସେନା ହେଲିକପ୍ଟର । ତେବେ ଅନୁକୂଳ ପାଗକୁ ଅପେକ୍ଷା ରହିଛି । ପାଗ ଅନୁକୂଳ ହେଲେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ହେଲିକପ୍ଟର ।
ଅଧିକ ପଢ଼ନ୍ତୁ: ବଦ୍ରିନାଥରେ ଭୟଙ୍କର ହିମସ୍ଖଳନ, ବରଫ ଅତଡା ତଳେ ୪୦ ଶ୍ରମିକ, ଚାଲିଛି ଉଦ୍ଧାର କାର୍ଯ୍ୟ
ବର୍ତ୍ତମାନ BRO ଓ ITBP ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଘଟଣାସ୍ଥଳକୁ NDRFର ୪ଟି ଟିମ୍ ଓ SDRF ଟିମ୍ ବି ଯାଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚାଲିଛି । ଉଦ୍ଧାର ଓ ନିଖୋଜ ଶ୍ରମିକମାନେ BRO କ୍ୟାମ୍ପରେ ନିୟୋଜିତ ଥିଲେ । ସେମାନେ ରାସ୍ତା ନିର୍ମାଣ ସହ ସେନାର ଯାତାୟତ ପାଇଁ ରାସ୍ତାରୁ ବରଫ ହଟାଇବା କାମ କରୁଥିଲେ । ଗତକାଲି ସକାଳ ୮ଟା ବେଳେ ବଦ୍ରିନାଥ ମନ୍ଦିରରୁ ୫ କିଲୋମିଟର ଦୂର ତଥା ଭାରତର ସୀମାବର୍ତ୍ତୀ ଗାଁ ମାଣାରେ ଏହି ବିରାଟ ହିମସ୍ଖଳନ ଘଟିଥିଲା ।
ଉତ୍ତରାଖଣ୍ଡ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଚିବ ବିନୋଦ କୁମାର ରେସ୍କ୍ୟୁ ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ୫୭ ଶ୍ରମିକଙ୍କ ମଧ୍ୟରୁ ୨ ଜଣ ଛୁଟିରେ ଥିଲେ । ତେଣୁ ଅଘଟଣ ସମୟରେ କେବଳ ୫୫ ଜଣ ଶ୍ରମିକ ଉପସ୍ଥିତ ରହିଥିଲେ । ଏବେ ସୁଦ୍ଧା ୩୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ୨୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଚେଷ୍ଟା ଚାଲିଛି ।
ଅନ୍ୟପଟେ ଘଟଣା ସମ୍ପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେହିପରି ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟ ଅଫିସର ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିଥିବା ପୁଷ୍କର ସିଂ ଧାମି କହିଛନ୍ତି ।
ଏନେଇ ଗତକାଲି ମୁଖ୍ୟମନ୍ତ୍ରୀ ଧାମୀ ଏକ ସମୀକ୍ଷା ବୈଠକ ମଧ୍ୟ କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବତନ୍ତ୍ର ଧ୍ୟାନ ରଖିବାକୁ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ମାଣାରେ ତୁରନ୍ତ ହେଲିପ୍ୟାଡ୍ ଖୋଲିବାକୁ ଏବଂ ଯୋଶୀମଠ ସ୍ଥିତ ଆର୍ମୀ ହସ୍ପିଟାଲ, ଜିଲ୍ଲା ହସ୍ପିଟାଲ ଓ ଏମ୍ସ ଋଷିକେଶରେ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।