• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ହତ୍ୟା ଅଭିଯୋଗ ପରେ ହିଂସାକାଣ୍ଡ ।

  • ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା ।

  • ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

ଆନ୍ଦୋଳନରତ କୃଷକଙ୍କ ଉପରେ ଏସ୍‌ୟୁଭି ଚଢ଼ାଇ ହତ୍ୟା ଅଭିଯୋଗ ପରେ ହିଂସାକାଣ୍ଡ । ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଦେଖିବାକୁ ମିଳିଛି ବ୍ୟାପକ ହିଂସା । ହିଂସାକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ ପୂର୍ବରୁ ଖେରୀରେ ଏଭଳି ଲଙ୍କାକାଣ୍ଡ ହୋଇଛି ।

ଲକ୍ଷ୍ମୀପୁର ଖେରିକୁ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଗସ୍ତ କରିବାର ଥିଲା । ଏହା ପୂର୍ବରୁ କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବହୁ ସଂଖ୍ୟାରେ ଚାଷୀ ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରୁଥିଲେ । ତେବେ ଉପମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ଆଣିବା ଲାଗି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ତାଙ୍କ ଗାଡ଼ି ନେଇ ବାହାରିଥିଲେ । ଏହି ସମୟରେ ଚାଷୀମାନେ ରାସ୍ତାରେ ଆନ୍ଦୋଳନ କରୁଥିଲେ । ତେବେ ଆଶିଷ ଚାଷୀଙ୍କ ଆନ୍ଦୋଳନକୁ ଖାତିର ନକରି ତାଙ୍କ ଉପରେ କାର ଚଢ଼ାଇ ଦେଇଥିବା ନେଇ ଆଭିଯୋଗ ହୋଇଛି । ଏଥିରେ ଦୁଇ ଜଣ କୃଷକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ କୁହାଯାଉଛି ।

ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହିଂସା ବ୍ୟାପିଛି । ହିଂସାକାଣ୍ଡରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ କାର ଚଢାଇ ଦେବାରୁ ୩ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା କୃଷକ ସଂଗଠନ ବିକେୟୁ ଦାବି କରିଛି । ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜିଛି । ଘଟଣାସ୍ଥଳରେ ଏବେ ବି ଉତ୍ତେଜନା ଲାଗି ରହିଛି । ବହୁ ସଂଖ୍ୟାରେ ଚାଷୀ ଏକାଠି ହେଉଥିବାରୁ ଉତ୍ତର ପ୍ରଦେଶ ଏଡିଜି ଘଟଣାସ୍ଥଳକୁ ଯାଇଛନ୍ତି ।

ସେପଟେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଘଟଣାସ୍ଥଳରେ ନଥିଲେ ବୋଲି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ହିଂସାବେଳେ ୩ରୁ ୪ ଜଣ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି ।