• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗତ କିଛିଦିନ ତଳେ ଦିଲ୍ଲୀ କେସ୍‌ ତ ଆପଣମାନଙ୍କର ମନେ ଥିବ । ବେସ୍‌ମେଣ୍ଟରେ ପାଣି ପଶିଯିବା ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହି ଭୟାନକ ଘଟଣାକୁ ନେଇ ଆଜି ଲୋକସଭାରେ ସାଂସଦ ପପୁ ଯାଦବ କହିଛନ୍ତି ଯେ, ବର୍ତ୍ତମାନ ଆହୁରି ୧୦ ରୁ ୧୨ ଜଣ ଛାତ୍ରଛାତ୍ରୀ ନିଖୋଜ ଅଛନ୍ତି ।

କେବଳ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ତାହା ନୁହେଁ, ବର୍ତ୍ତମାନ ଆହୁରି ୧୦ ରୁ ୧୨ ଜଣ ନିଖୋଜ ରହିଛନ୍ତି ବୋଲି ସେ ଦାବି କରିଛନ୍ତି । "କୋଚିଂ ସେଣ୍ଟରରେ କେବଳ ତିନିଜଣ ଛାତ୍ରଙ୍କର ମୃତ୍ୟୁ ହୋଇନାହିଁ, ବରଂ ୬ଜଣ ନିଖୋଜ ଛାତ୍ରଙ୍କ ତାଲିକା ମଧ୍ୟ ଅଛି । ମୋର ବିଶ୍ୱାସ ଯେ ୧୦ ରୁ ୧୨ ଜଣ ନିଖୋଜ ଅଛନ୍ତି । ତେବେ ଏହି ତଥ୍ୟ ଲୁଚାଇବାକୁ ସମସ୍ତ ଚେଷ୍ଟା କରାଯାଉଛି।" ବୋଲି ପପୁ ଯାଦବ କହିଛନ୍ତି ।

ଅଧିକ ପଢ଼ନ୍ତୁ: ସଂସଦରେ ରାଗିଗଲେ ଜୟା, ଉପାଧ୍ୟକ୍ଷଙ୍କୁ ଶୁଣାଇଲେ ଏମିତି କଥା...

କୋଚିଂ ପ୍ରତିଷ୍ଠାନଗୁଡିକୁ ନିୟନ୍ତ୍ରଣ କରିବାକୁ କୌଣସି ସରକାର ଏକ ଆଇନ ପ୍ରସ୍ତୁତ କରିବା ଉଚିତ ବୋଲି ଯାଦବ କହିଛନ୍ତି । ବର୍ତ୍ତମାନ ଦେଶରେ କୋଚିଂ ପ୍ରତିଷ୍ଠାନ ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ । ଏଣୁ ଶକ୍ତ ଆଇନ୍ ଆଣିବାକୁ ସରକାରଙ୍କ ପାଖେ ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି, ଛାତ୍ରମାନେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି । ସେମାନେ ସବୁବେଳେ ଶୋଷିତ ହୋଇଥାଆନ୍ତି । କୋଟାରେ ବର୍ତ୍ତମାନ ପର୍ଯ୍ୟନ୍ତ ୯୦୦ ଛାତ୍ର ଆତ୍ମହତ୍ୟା କଲେଣି । ବିହାରରୁ ସର୍ବାଧିକ ପିଲା ବେଙ୍ଗାଲୁରୁ, କୋଟା ଓ ଦିଲ୍ଲୀ ଅଧ୍ୟୟନ ପାଇଁ ଯାଉଛନ୍ତି । ସେପଟେ ୟୁପିଏସସି ପରୀକ୍ଷାରେ ଭାଗ ନେଉଥିବା ଅଧିକାଂଶ ଛାତ୍ର ବିହାରର ବୋଲି ଯାଦବ କହିଛନ୍ତି ।

ସେହିପରି ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ଇନଷ୍ଟିଚ୍ୟୁଟ୍ ଟ୍ରାଜେଡି ଘଟଣାରେ ଆନ୍ଦୋଳନକୁ ଓହ୍ଲାଇବା ସହ ଆପ୍ ସରକାରକୁ ସିଧା ସଳଖ ନିଶାନା କରିଛି ବିଜେପି । ଗତକାଲି ଦିଲ୍ଲୀ ଆମ୍‌ ଆଦମୀ ପାର୍ଟି ଅଫିସ ନିକଟରେ ବିଜେପି ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି । ଶତାଧିକ ବିଜେପି କର୍ମୀ ଏକାଠି ହୋଇ ଥାଳି କର୍ଚୁଲି ଧରି ନିଆରା ଢଙ୍ଗରେ ପ୍ରତିବାଦ କରିବା ସହ ଆପ୍ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ।

ସେପଟେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ଲାଗି ପାଣିମାଡ଼ କରିଥିଲା ଦିଲ୍ଲୀ ପୋଲିସ । ଅନ୍ୟପଟେ ରାଜେନ୍ଦ୍ର ନଗର ଅଞ୍ଚଳରେ ଛାତ୍ରଛାତ୍ରୀମାନେ ମଧ୍ୟ ଧାରଣା ଜାରି ରଖିଛନ୍ତି । ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଲାଗି ଛାତ୍ରଛାତ୍ରୀ ଦାବି କରିଛନ୍ତି । ଏପଟେ ଏ ଘଟଣା ପରେ ଦିଲ୍ଲୀରେ ଆରମ୍ଭ ହୋଇଛି ବୁଲଡୋଜର କାର୍ଯ୍ୟାନୁଷ୍ଠାନ ।

ନାଳ ଉପରେ ବେଆଇନ ଭାବେ ହୋଇଥିବା ନିର୍ମାଣକୁ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ । ତେବେ ଏତେ ବିଳମ୍ବରେ ଏ କାର୍ଯ୍ୟାନୁଷ୍ଠାନର କିଛି ମୂଲ୍ୟ ନାହିଁ ବୋଲି ଛାତ୍ରଛାତ୍ରୀ କହିଛନ୍ତି । ଅନ୍ୟପଟେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗତକାଲି ଆଉ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ।

ଅଧିକ ପଢ଼ନ୍ତୁ: ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? କ’ଣ କହିଲେ ସରକାର...

ଏମାନଙ୍କ ମଧ୍ୟରେ ୪ ଜଣ ବେସମେଣ୍ଟର ମାଲିକ ଅଛନ୍ତି । ଏହାକୁ ମିଶାଇ ଗିରଫଦାରୀ ସଂଖ୍ୟା ମୋଟ ୭ରେ ପହଞ୍ଚିଛି । ପୂର୍ବରୁ ଏ ଘଟଣାରେ କୋଚିଂ ସେଣ୍ଟର ମାଲିକ ଅଭିଷେକ ଗୁପ୍ତା ଏବଂ କୋର୍ଡିନେଟର ଦେଶପାଲ ସିଂଙ୍କୁ ଗିରଫ କରାଯାଇଥିଲା ।

ଏବେ ଘଟଣାର ଛାନଭିନ୍ ବେଳେ ଜଣାପଡ଼ିଛି ସଂପୃକ୍ତ କୋଚିଂ ସେଣ୍ଟରର ବେସମେଣ୍ଟ କେବଳ ଷ୍ଟୋରେଜ୍ ପାଇଁ ଅନୁମତି ଥିଲା । ବେସମେଣ୍ଟରେ କୌଣସି ପ୍ରକାରର କମର୍ସିଆଲ କାର୍ଯ୍ୟକଳାପ ଲାଗି ଅନୁମତି ନଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now