• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

ଗ୍ୟାଙ୍ଗଷ୍ଟର ଦାଉଦ୍ ଇବ୍ରାହିମ୍ ଲିଙ୍କରେ ଥିବା ଦୋକାନ କିଣିଥିଲେ ଉତ୍ତର ପ୍ରଦେଶର ଜଣେ ଯୁବକ । କିନ୍ତୁ ଏହି ଦୋକାନକୁ ନିଜ ନାଁକୁ ନେବାକୁ ହେମନ୍ତ ଜୈନ ନାମକ ଏହି ଯୁବକଙ୍କୁ ଲାଗିଲା ୨୩ ବର୍ଷ । ଏବେ ବି ଦଖଲ କରିପାରିନାହାନ୍ତି ।

ମୁମ୍ୱାଇର ନାପଡା ଅଞ୍ଚଳରେ ଦାଉଦ୍ ନାମରେ ଥିବା ୧୪୪ ବର୍ଗଫୁଟର ଏକ ଦୋକାନ ଥିଲା । ଏହି ଦୋକାନ ପାଇଁ ସରକାରୀ ଭାବେ ନିଲାମ ହେଉଥିଲା । ଦାଉଦ୍ ନାମରେ ଥିବାରୁ କେହି ଆଗକୁ ଆସି ନିଲାମରେ ଭାଗ ନେଉନଥିଲେ । ତେବେ ମୁମ୍ୱାଇରେ ରହୁଥିବା ଉତ୍ତର ପ୍ରଦେଶର ଏହି ଯୁବକ ସାହସ କରି ନିଲାମରେ ଭାଗନେଲେ ଓ ଏହି ଦୋକାନଟି କିଣିଲେ ମଧ୍ୟ । ୨୦୦୧ରେ ଏହି ଦୋକାନ କିଣିବା ବେଳେ ହେମନ୍ତଙ୍କୁ ୩୪ ବର୍ଷ ହୋଇଥିଲା । ସେତେବେଳେ ମୁମ୍ୱାଇରେ ମାଫିଆରାଜ ହଟାଇବାକୁ ଉଦ୍ୟମ କରାଯାଉଥିଲା । ଦାଉଦର ସମ୍ପତ୍ତି ନିଲାମ କରାଯାଉଥିଲା । ଏହି ଛୋଟ ଦୋକାନଟିକୁ ନିଜ ନାଁକୁ ନେବାକୁ ହେମନ୍ତଙ୍କୁ ନାକେଦମ୍ ହେବାକୁ ପଡିଛି । ଏବେ ୨୩ ବର୍ଷ ପରେ ଏହି ଦୋକାନ ହେମନ୍ତଙ୍କ ନାମରେ ପଞ୍ଜୀକୃତ ହୋଇଛି ।

ହେମନ୍ତ କହିଛନ୍ତି, ସେତେବେଳେ ଦାଉଦର ସମ୍ପତ୍ତି କେହି ନିଲାମରେ ନେଉନଥିବାର ଖବରକାଗଜରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏହାକୁ ଦେଖି ମୁଁ ନିଲାମରେ ସମ୍ପତ୍ତି ନେଇଗଲି । କିନ୍ତୁ ସହଜରେ ଦଖଲ ନେଇପାରିଲି ନାହିଁ ।

ଅଧିକ ପଢ଼ନ୍ତୁ: ବିମାନରେ ମିଳିବ ୱାଇ ଫାଇ ସୁବିଧା, ଏହି ୫ ଜିନିଷ ମିସ୍ କରିବେ ଯାତ୍ରୀ

୨୦୦୧ ସେପ୍ଟେମ୍ୱର ମାସରେ ସେ ୨ ଲକ୍ଷ ଟଙ୍କା ଦେଇ ଏହି ଦୋକାନ କିଣିଥିଲେ । ଆୟକର ବିଭାଗ ପକ୍ଷରୁ ନିଲାମ ଡକାଯାଉଥିଲା । କିନ୍ତୁ କିଣିଲା ପରେ ଗୋଟିଏ ପରେ ଗୋଟିଏ ସମସ୍ୟାର ସାମନା କରିଥିଲେ ହେମନ୍ତ । ସରକାରୀ ଅଫିସରମାନେ ତାଙ୍କୁ ଭ୍ରମିତ କରିଥିଲେ । କହିଥିଲେ, କେନ୍ଦ୍ର ଅଧୀନରେ ଥିବା ଏହି ସମ୍ପତ୍ତିର ମାଲିକାନା ହସ୍ତାନ୍ତର ଉପରେ କଟକଣା ରହିଛି । କିନ୍ତୁ ପରେ ଜଣାପଡିଲା, ସେମିତି କିଛି କଟକଣା ନାହିଁ ।

ଏହାପରେ ଆୟକର ବିଭାଗ ପକ୍ଷରୁ କୁହାଗଲା, ଏହି ସମ୍ପତ୍ତିର ଅରିଜିନାଲ ଫାଇଲ୍ ମିସିଂ ଅଛି । ଅର୍ଥାତ ଫାଇଲ୍ ମିଳୁନି । ତେଣୁ ହସ୍ତାନ୍ତର ହୋଇପାରିବନି । ଏହା ଶୁଣି ହେମନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଲେ । କିନ୍ତୁ କିଛି ଲାଭ ହେଲାନି । ତଥାପି ସେ ମଝିରେ ମଝିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖୁଥିଲେ । ଏହି ସମ୍ପତ୍ତି ନିଜ ନାଁକୁ ଆଣିବା ପାଇଁ ସେ ବାରମ୍ୱାର ଚିଠି ଲେଖିଛନ୍ତି । ବେଳେ ବେଳେ ଉତ୍ତର ମଧ୍ୟ ପାଇଛନ୍ତି ।

୨୦୧୭ରେ ତାଙ୍କୁ କୁହାଗଲା ଏହି ସମ୍ପତ୍ତିର ଫାଇଲ୍ ମିଳୁନି । ତେଣୁ ତାଙ୍କୁ ବର୍ତ୍ତମାନର ମାର୍କେଟ ଭାଲ୍ୟୁ ଅନୁସାରେ ପୁଣି ଥରେ ଷ୍ଟାମ୍ପ ଡ୍ୟୁଟି ଦେବାକୁ ପଡିବ । କିନ୍ତୁ ହେମନ୍ତ ଯୁକ୍ତି ଦର୍ଶାଇଲେ ଯେ, ଯେହେତୁ ଏହା ନିଲାମରେ କିଣାଯାଇଛି, ଏହାର ମାର୍କେଟ ଭାଲ୍ୟୁ ଅନୁସାରେ ହିସାବ କରାଯିବା ଅନୁଚିତ । ଏହା ପରେ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ତାଙ୍କ ଜୋତା ଛିଣ୍ଡିଗଲା । କିନ୍ତୁ କିଛି ସୁଫଳ ମିଳିଲାନି । ନିରାଶ ହେବା ପରେ ସେ ଅଦାଲତଙ୍କ ଆଶ୍ରୟ ନେଲେ । ଅଳ୍ପଦିନ ତଳେ କୋର୍ଟ ତାଙ୍କ ସପକ୍ଷରେ ରାୟ ଦେଇଛନ୍ତି । ତେବେ ଏହି ପ୍ରକ୍ରିୟାରେ ତାଙ୍କୁ ଦେଢ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଓ ଜୋରିମାନା ଦେବାକୁ ପଡିଛି ।

ଅଧିକ ପଢ଼ନ୍ତୁ: ଆଶ୍ଚର୍ଯ୍ୟ ! ମୃତ ରୋଗୀ ବଞ୍ଚିଲେ, ବଞ୍ଚାଇଦେଲା ହମ୍ପସ୍

ଆଇନଗତ ଲଢେଇରେ ଜିତିବା ପରେ ବି ହେମନ୍ତଙ୍କ ସମସ୍ୟାର ଅନ୍ତ ଘଟିନାହିଁ । ଏହି ଦୋକାନକୁ ନିଜ ଦଖଲକୁ ନେବା ପାଇଁ ପୁଣି ତାଙ୍କୁ କସରତ କରିବାକୁ ପଢିବ । ଏହି ଦୋକାନଟି ଏବେ ଦାଉଦ୍ ଇବ୍ରାହିମର ଗୁଣ୍ଡାମାନଙ୍କ କବଜାରେ ରହିଛି । ନିଜ ନାଁକୁ ଆସିବା ପରେ ଏବେ ପୁଣି ଏହି ଗୁଣ୍ଡାମାନଙ୍କ ସହ ଲଢେଇ କରିବାକୁ ପଡିବ ।

ତେବେ କେତେଜଣ ସରକାରୀ ଅଧିକାରୀ ତାଙ୍କୁ ପରାମର୍ଶ ଦେଇଛନ୍ତି, ଏହି ସମ୍ପତ୍ତି କଥା ଭୁଲି ଯା । ଶାନ୍ତିରେ ରୁହ । ଏଭଳି ପରାମର୍ଶ ଦେଉଥିବା ଅଧିକାରୀଙ୍କୁ ହେମନ୍ତ କହିଛନ୍ତି, ମୁଁ ଗାଁରୁ ଆସିଛି । କାହାରିକୁ ମୋର ଡର ନାହିଁ । ଗାଁରୁ ଆସିଥିବା ଲୋକ ଗୋଟିଏ ବର ଗଛ ଭଳି । ଯେତେ ଜୋରରେ ପବନ ବହିଲେ ବି କିଛି କ୍ଷତି କରିପାରିବ ନାହିଁ । ମୁଁ ଛାଡିବି ନାହିଁ । ମୋ ନାଁରେ ସମ୍ପତ୍ତି ହୋଇଛି ମାନେ ମୁଁ ଦଖଲ କରିବି ।

ଅଧିକ ପଢ଼ନ୍ତୁ: ଏବେ ବି ବାପଅଜା ଅମଳର ଘରେ ରୁହନ୍ତି ୧୭,୦୦୦ କୋଟିର ମାଲିକ ଆନନ୍ଦ ମହିନ୍ଦ୍ରା

OTV is now on Whatsapp

Join and get latest news update delivered to you via whatsapp

Join Now