• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କାର୍ ଭିତରେ ହେଲମେଟ୍ ନପିନ୍ଧିବାରୁ ମିଳିଲା ଜରିମାନା ଦଣ୍ଡ । ଏପରି ଏକ ବିଚିତ୍ର ଘଟଣା ଘଟିଛି ଉତ୍ତରପ୍ରଦେଶର ଜଣେ ସାମ୍ବାଦିକଙ୍କ ସହ । କାର୍ ଭିତରେ ହେଲମେଟ୍ ନପିନ୍ଧିବାରୁ ତାଙ୍କ ପାଖକୁ ଜରିମାନା ଆସିଛି । ନଅ ମାସ ପୂର୍ବେ, ରାମପୁରଠାରୁ ୧୮୮ କିଲୋମିଟର ଦୂରରେ ଥିବା ଗୌତମ ବୁଦ୍ଧ ନଗରରେ ତୁଷାର ସାକ୍ସେନା ନାମକ ଜଣେ ସାମ୍ବାଦିକଙ୍କଠାରୁ ପୋଲିସ ହଜାରେ ଟଙ୍କା ଜରିମାନା ଆଦାୟ କରିଥିଲା ।

ପ୍ରଥମେ ସେ ଏହାକୁ ଏକ ଭୁଲ ଭାବି ଅଣଦେଖା କରୁଥିଲେ । କିନ୍ତୁ ପରେ ବହୁତ୍ ମେଲ୍ ଆସିବାରୁ ସେ ଏହାକୁ ନେଇ ଅଭିଯୋଗ କରିଛନ୍ତି । ସାମ୍ବାଦିକଙ୍କ କହିବା ଅନୁସାରେ, ସେ କେବେବି ନିଜ କାରକୁ NCR ଅଞ୍ଚଳରେ ଚଳାଇ ନାହାଁନ୍ତି । ଏହା ଛଡ଼ା କାରରେ ଭିତରେ ବି ହେଲମେଟ୍‌ର କି ଆବଶ୍ୟକତା ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଯଦି ସେ ଉକ୍ତ ଅର୍ଥକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୈଠ ନକରନ୍ତି ତେବେ ତାଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ପୋଲିସ ଚେତାବନୀ ଦେଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗତ ବର୍ଷ ମାର୍ଚ୍ଚରେ ତୁଷାର ଧଳା ହୁଣ୍ଡାଇ କାର କିଣିଥିଲେ । ବର୍ତ୍ତମାନ ଏପରି ଏକ କେସ୍ ସାମ୍ନାକୁ ଆସିଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେହିପରି ଗତ ବର୍ଷ ଜୁନ୍ ମାସରେ ଗୌତମ ବୁଦ୍ଧ ନଗର ଟ୍ରାଫିକ୍ ପୋଲିସ ନୋଏଡାର ହୋଶିଆରପୁର ଅଞ୍ଚଳରେ ହେଲମେଟ ବିନା କାର ଚଳାଇବା ପାଇଁ ସରକାରୀ ସ୍କୁଲ ଶିକ୍ଷକଙ୍କଠାରୁ ହଜାରେ ଟଙ୍କାର ଫାଇନ୍ କାଟିଥିଲା ।

ଏପରି ଘଟଣାକୁ ବିରୋଧ କରିବା ପାଇଁ ଜଣେ ବ୍ୟକ୍ତି କାର୍‌ ଭିତରେ ମଧ୍ୟ ହେଲମେଟ୍ ପିନ୍ଧୁଛନ୍ତି । ୨୦୧୭ ମସିହାରେ ରାଜସ୍ଥାନର ଭରତପୁରରେ ଏକ ମାମଲା ରୁଜୁ ହୋଇଥିଲା । ଯେଉଁଥିରେ ଜଣେ ବ୍ୟକ୍ତି ନିଜ କାର୍‌ରେ ହେଲମେଟ୍ ନପିନ୍ଧିବାରୁ ଭୁଲରେ ଜୋରିମାନା ହୋଇଥିଲା । ପୀଡ଼ିତଙ୍କ ନାମ ବିଷ୍ଣୁ ଶର୍ମା ଥିଲା ।

ଏହି ଘଟଣାକୁ ନେଇ ସେ ପରେ କାର ଭିତରେ ମଧ୍ୟ ହେଲମେଟ ପିନ୍ଧିବା ଆରମ୍ଭ କରିଥିଲେ । “ମୁଁ ସେମାନଙ୍କୁ ସମସ୍ତ ଡକ୍ୟୁମେଣ୍ଟ୍ ଦେଖାଇଥିଲି, କିନ୍ତୁ ସେମାନେ ଜୋରିମାନା ଦେବାକୁ ଜିଦ୍ ଧରିଥିଲେ । ମୁଁ ସିଟ୍ ବେଲ୍ଟ ବାନ୍ଧିଥିଲି ।“ ତଥାପି ଜରିମାନା ଦେବାକୁ ପଡ଼ିଲା ବୋଲି ସେ କହିଛନ୍ତି । କାର ଚଲାଇବା ସମୟରେ ସେ କାହିଁକି ହେଲମେଟ ବ୍ୟବହାର କରୁଛନ୍ତି ବୋଲି ପଚରାଯିବାରୁ ସେ କହିଛନ୍ତି, “ମୁଁ ଆଉ ଜରିମାନା ଦେବାକୁ ଚାହୁଁ ନାହିଁ ।”

ତେବେ ଏହା ଏକ ଭୁଲ୍ ବୋଲି ପୋଲିସ ସ୍ୱୀକାର କରିଛି । ଜରିମାନା କାଟିଥିବା କନଷ୍ଟେବଳ ପ୍ରହ୍ଲାଦ ସିଂ କହିଛନ୍ତି ଯେ, ସିଟ୍ ବେଲ୍ଟ ବ୍ୟବହାର ନକରିବାରୁ ଜରିମାନା କରିବାକୁ ଚାହୁଁଥିଲେ । କିନ୍ତୁ ଭୁଲରେ ହେଲମେଟ ପିନ୍ଧି ନଥିଲେ ବୋଲି ସେ ଲେଖିଦେଇଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now