• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରଳ ହେବ କି ଆୟକର ସ୍ଲାବ ? ବଢ଼ିବ କି ବ୍ୟକ୍ତିଗତ ଆୟକର ଛାଡ଼ ସୀମା ? ସଞ୍ଚୟ ବୃଦ୍ଧି ଲାଗି ମିଳିବ କି ଅଧିକ ଟିକସ ରିହାତି ? ସାଧାରଣ ବଜେଟ୍‌ ପୂର୍ବରୁ ଚାକିରିଆ ଓ ମଧ୍ୟବିତ୍ତଙ୍କ ମନରେ ଏମିତି ଅନେକ ପ୍ରଶ୍ନ । କୋଭିଡ୍ ମାଡ଼ରୁ ମୁକୁଳି ଦେଶର ଅର୍ଥନୀତି ଟ୍ରାକ୍‌କୁ ଫେରିଥିଲେ ମଧ୍ୟ ସ୍ୱାଭାବିକ ହୋଇନି ସ୍ଥିତି । ଖାସ୍ କରି ୟୁକ୍ରେନ-ଋଷିଆ ଯୁଦ୍ଧ ବିଶ୍ୱକୁ ଆର୍ଥିକ ମାନ୍ଦାବସ୍ଥା ଆଡକୁ ଠେଲି ଦେଇଛି । ଭାରତୀୟ ଅର୍ଥବଜାର ବି ଏଥିରୁ ବାଦ୍ ପଡିନି । ଖାସ୍ କରି ଖାଦ୍ୟା ସାମଗ୍ରୀ, ପେଟ୍ରୋଲିୟମ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହେବା ପରେ ଚିନ୍ତାରେ ଖାଉଟି ।

ଦରବୃଦ୍ଧି ମାଡ଼ରେ ସନ୍ତୁଳି ହେଉଛନ୍ତି ନିମ୍ନ ମଧ୍ୟବିତ୍ତବର୍ଗ । ସେମାନଙ୍କ ଇଛା ଅର୍ଥମନ୍ତ୍ରୀ ଆୟକର ଛାଡ଼ ସୀମା ଆଉ ଟିକେ ବଢାନ୍ତୁ । ଯାହାଦ୍ୱାରା କି ଖର୍ଚ୍ଚ ଲାଗି ସେମାନଙ୍କ ପକେଟ୍‌କୁ ଅଧିକ ଅର୍ଥ ଆସିବ । ଏପଟେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ସହ ଏମ୍ଏସ୍ଏମ୍ଇ ଲାଗି ସୁଧ ରିହାତି ସ୍କିମ୍ ଓ ସୁବିଧାରେ ଋଣ ପାଇବା ଲାଗି ସୀତାରମଣ ବ୍ୟବସ୍ଥା କରିବେ ବୋଲି ଆଶା ରଖିଛି ଶିଳ୍ପ ଜଗତ ।

୨୦୧୪ରେ ଶେଷ ଥର ଲାଗି ଦେଶରେ ମୂଳ ଆୟକର ଛାଡ଼ ସୀମା ୨ ଲକ୍ଷ ୫୦ ହଜାର ଟଙ୍କାକୁ ବଢ଼ିଥିଲା । ୧୦ ବର୍ଷ ହେଲା ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । କିନ୍ତୁ ଏ ଭିତରେ ମୁଦ୍ରାସ୍ଫୀତି ଢେର୍ ବଢ଼ିଛି, ଯାହାକି ମଧ୍ୟବିତ୍ତଙ୍କୁ ବହୁତ ପ୍ରଭାବିତ କରୁଛି । ଅନ୍ୟପକ୍ଷରେ ଏହା ମୋଦି ସରକାର ୨.୦ର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଅର୍ଥମନ୍ତ୍ରୀ ମଧ୍ୟବିତ୍ତ ଓ ଚାକିରିଆଙ୍କୁ ନିରାଶ କରିବେ ନାହିଁ ବୋଲି କୁହାଯାଉଛି । ସର୍ବନିମ୍ନ ଟିକସ ଛାଡ଼ ସୀମାକୁ ସୀତାରମଣ ଅଢ଼େଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବଢ଼ାଇବାର ଯଥେଷ୍ଟ ସମ୍ଭାବନା ରହିଛି ।

ସେହିପରି ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟବର୍ଗ ଲାଗି ଟିକସ ୨୦ରୁ ୧୦ ପ୍ରତିଶତ ଓ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ବର୍ଗ ଲାଗି ଟିକସ ୩୦ ପ୍ରତିଶତରୁ ୨୦ ପ୍ରତିଶତକୁ ହ୍ରାସ କରାଯାଇପାରେ । ଏପରିକି ଅନ୍ୟାନ୍ୟ ଟିକସ ରିହାତି ଜରିଆରେ ମଧ୍ୟ ସରକାର ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତ କରିପାରନ୍ତି । ତେବେ କର୍ପୋରେଟ ଟିକସ ୨୫ ପ୍ରତିଶତ ଥିବାରୁ ଏଥିରେ କୌଣସି ପରିବର୍ତ୍ତନର ଆଶା ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ ।

ସାଧାରଣ ବଜେଟ୍‌କୁ ନେଇ ସାଧାରଣ ଜନତାଙ୍କଠୁ ଆରମ୍ଭ କରି ଶିଳ୍ପଜଗତ ଯାଏଁ, ସଭିଏଁ ଢେର୍ ଆଶାବାଦୀ । ତେବେ ସେମାନଙ୍କ ଆଶା କେତେ ପୂରଣ ହେଉଛି, ଫେବ୍ରୁଆରୀ ପହିଲାରେ ନିର୍ମଳାଙ୍କ ବଜେଟ୍ ପେଡି ଖୋଲିବା ପରେ ସ୍ପଷ୍ଟ ହେବ ।